Categories: ଜାତୀୟ

ଗ୍ରୁପ କ୍ୟାପଟେନ୍‌ ବରୁଣ ସିଂହଙ୍କୁ ବେଙ୍ଗାଲୁରୁ ନିଆଗଲା

ଚେନ୍ନେଇ,୯।୧୨: ହେଲିକପ୍ଟର ଦୁର୍ଘଟଣାରେ ଜୀବିତ ଉଦ୍ଧାର ହୋଇଥିବା ଗ୍ରୁପ କ୍ୟାପଟେନ୍‌ ବରୁଣ ସିଂହଙ୍କୁ ଓ୍ବେଲିଂଟନ ମିଲିଟାରୀ ହସ୍ପିଟାଲରୁ ଗୁରୁବାର ବେଙ୍ଗାଲୁରୁକୁ ଏୟାରଲିଫ୍ଟ କରାଯାଇଛି। ତାଙ୍କ ଶରୀରର ୪୦ ପ୍ରତିଶତ ପୋଡି ଯାଇଥିବା ବେଳେ ସେ ଲାଇଫ ସର୍ପୋଟ ସିଷ୍ଟମରେ ରହିଛନ୍ତି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ବେଙ୍ଗାଲୁରୁ ସ୍ଥାନାନ୍ତର କରାଯାଇଛି ବୋଲି ବରୁଣ ସିଂହଙ୍କ ବାପା କର୍ନେଲ(ଅବସରପ୍ରାପ୍ତ) କେପି ସିଂହ କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗ୍ରୁପ କ୍ୟାପ୍ଟେନ ବରୁଣଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ଓ୍ବେଲିଂଟନ ହସ୍ପିଟାଲରୁ ସୁଲୁର ଏୟାରବେସ୍‌କୁ ଅଣାଯାଇଥିଲା। ସେଠାରୁ ଏକ ସ୍ବତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ ବେଙ୍ଗାଲୁରୁ ଅଣାଯାଇଛି। ବେଙ୍ଗାଲୁରୁ ସ୍ଥିତ କମାଣ୍ଡ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯିବ। ବୁଧବାର ସିଡିଏସ ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକାଙ୍କ ସହ ମୋଟ ୧୪ ଜଣ ସୁଲୁର ଏୟାରବେସ୍‌ରୁ ଓ୍ବେଲିଂଟନ ଯାଉଥିଲେ। ହେଲେ ହେଲିକପ୍ଟର ଲ୍ୟାଣ୍ଡ କରିବାର ୭ ମିନିଟ ପୂର୍ବରୁ କ୍ରାଶ କରିଯାଇଥିଲା। ଏଥିରେ ସିଡିଏସଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେବଳ କ୍ୟାପଟେନ୍‌ ବରୁଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

Share