Advertisement

ଟ୍ରକ୍‌ ପଛରେ ଧକ୍କା ଦେଇ ଜଳିଗଲା ଟ୍ରକ୍‌: ଚାଳକ ଗୁରୁତର

ଦେବଗଡ଼,୧୩।୬(ଡି.ଏନ୍‌.ଏ.): ଦେବଗଡ଼ ପୌରପରିଷଦ ରଜାମୁଣ୍ଡା ନିକଟସ୍ଥ ତିୱାରୀ ଢାବା ସମ୍ମୁଖରେ ୪୯ ନମ୍ବର ଜାତୀୟ ରାଜପଥରେ ସୋମବାର ରାତିରେ ଠିଆ ହୋଇଥିବା ଏକ ଟ୍ରକ୍‌କୁ ଧକ୍କାଦେଇ ଅନ୍ୟ ଏକ ଲୁହା ପଥର  ବୋଝେଇ ଟ୍ରକ୍‌ ଜଳିଯାଇଥିବା ଜଣାପଡିଛି । ଏଥିସହ ଟ୍ରକ୍‌ ଚାଳକ ନିଆଁରେ ପୋଡ଼ି ଗୁରୁତର ଆହତ ହୋଇଥିବା ଜଣାପଡିଛି ।
ସୂଚନାନୁଯାୟୀ,  ତିୱାରୀ ଢାବା ସମ୍ମୁଖରେ ୪୯ ନମ୍ବର ଜାତୀୟ ରାଜପଥରେ ଦେବଗଡ଼ ଆଡକୁ ମୁହଁ କରି ଠିଆ ହୋଇଥିବା ଏକ ଟ୍ରକ(ନଂ-ଡବ୍ଲୁବି-୨୩-ଡି-୮୬୬)କୁ ପଛପଟୁ ଆସୁଥିବା ଏକ ଲୁହା ପଥର ବୋଝେଇ ଟ୍ରକ (ଓଡି-୧୪-ପି-୮୫୭୧)ଧକ୍କା ଦେଇଥିଲା । ଫଳରେ ଉକ୍ତ ଲୁହା ପଥର ବୋଝେଇ ଟ୍ରକର ଇଞ୍ଜିନ୍‌ରେ ହଠାତ ନିଆଁ ଲାଗିଯାଇ ବିଦ୍ୟୁତ ବେଗରେ ଏହା ଟ୍ରକ୍‌ର କ୍ୟାବିନକୁ ବ୍ୟାପୀ ଯାଇଥିଲା । ଏହି ସମୟରେ ଟ୍ରକ୍‌ର ଚାଳକ
ମଣ୍ଟୁ କିଶାନ ଜୀବନ ବଞ୍ଚାଇବାକୁ ଯାଇ ଟ୍ରକ୍‌ କ୍ୟାବିନର କବାଟ ଖୋଲି ବାହାରକୁ ଡେଇଁ ପଡିଥିଲେ। ମାତ୍ର ଏହା ପୂର୍ବରୁ ତାଙ୍କ ଶରୀରର ବିଭିନ୍ନ ଅଂଶ ନିଆଁରେ ପୋଡି ଯାଇଥିଲା । ଅନ୍ୟପକ୍ଷରେ ଠିଆ ହୋଇଥିବା ଟ୍ରକ୍‌ର ପଛପଟେ ମଧ୍ୟ ନିଆଁ ଲାଗିଯାଇଥିଲା। ତେବେ ଉକ୍ତ ଟ୍ରକର ଚାଳକ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଟ୍ରକଟିକୁ ନିକଟସ୍ଥ ଏକ ସର୍ଭିସିଂ(ୱାସ ସେଣ୍ଟର)କୁ ନେଇଯାଇ ନିଆଁ ଲିଭାଇବାରେ ସଫଳ ହୋଇଥିଲେ ।
ସୂଚନାପାଇ ଦେବଗଡ଼ ଦମକଳ ବାହୀନୀ ଘଟଣାସ୍ଥଳରେ ପହଞ୍ଚିବା ସହ ନିଆଁ ଲାଗିଥିବା ଲୁହା ପଥି ବୋଝେଇ ଟ୍ରକରୁ ନିଆଁକୁ ଲିଭାଇଥିଲେ। ତେବେ ଟ୍ରକ୍‌ର ଇଞ୍ଜିନଟି ସମ୍ପୂର୍ଣ୍ଣ ଭାବେ ପୋଡି ଯାଇଥିବା ଜଣାପଡିଛି । ଆହତ ହୋଇଥିବା ଟ୍ରକ୍‌ ଚାଳକ ମଣ୍ଟୁଙ୍କ ଘର ସମ୍ବଲପୁର ଜିଲା ଢୁଡିଖୋଳ (କୁଚିଣ୍ଡା)ବୋଲି ଜଣାପଡିଛି। ଆହତ ଚାଳକ ମଣ୍ଟୁଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share