Categories: ଜାତୀୟ

ବଢୁଛି ‘ବୁଲଡୋଜର ବାବା’ଙ୍କ କ୍ରେଜ୍‌

ବାରାଣସୀ,୧୩।୩: ଉତ୍ତରପ୍ରଦେଶରେ ଭାଜପା ପୁଣି ଥରେ ବିରାଟ ବିଜୟ ସହ କ୍ଷମତାକୁ ଫେରିଛି। ୨୦୨୨ରେ ଅପରାଧୀ ଏବଂ ମାଫିଆଙ୍କ ବିରୋଧରେ ବୁଲଡୋଜର ଚଳାଇବା ସ୍ଲୋଗାନ ଦେଇ କ୍ଷମତାକୁ ଫେରିଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କ ସମର୍ଥକମାନେ ‘ବୁଲଡୋଜର ବାବା’ର ନୂତନ ନାମ ଦେଇଛନ୍ତି। ଶପଥ ଗ୍ରହଣ ପୂର୍ବରୁ ବୁଲଡୋଜର ବାବାଙ୍କ କ୍ରେଜ ଯୁବକମାନଙ୍କ ମଧ୍ୟରେ ସ୍ପଷ୍ଟ ଦେଖାଯାଉଛି। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପ୍ରତି ଉତ୍ସାହ ଏତେ ଯେ ବାରାଣସୀର ଅନେକ ଯୁବକ ସେମାନଙ୍କ ହାତରେ ବୁଲଡୋଜରର ଟାଟୁ କରିବା ଆରମ୍ଭ କରି ଦେଇଛନ୍ତି। ଟାଟୁ କଳାକାର ସୁମିତ କହିଛନ୍ତି, ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିବା ପରଠାରୁ ଲୋକମାନେ ବୁଲଡୋଜର ଟାଟୁ କରିବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି।
ସୂଚନାଯୋଗ୍ୟ, ଯୋଗୀ ଆଦିତ୍ୟନାଥ ନିର୍ବାଚନୀ ଭାଷଣରେ କହିଥିଲେ, ପୁଣି ସେ ସରକାରକୁ ଆସିଲେ ମାଫିଆଙ୍କ ଉପରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

Share