Categories: ଜାତୀୟ

‘ଫେୟାର ଆଣ୍ଡ ଲଭ୍‌ଲି’ରୁ ହଟିବ ‘ଫେୟାର’

ନୂଆଦିଲ୍ଲୀ,୨୬ା୬:ଦେଶର ସର୍ବବୃହତ୍‌ କଞ୍ଜ୍ୟୁମର ପ୍ରଡକ୍ଟ ବ୍ରାଣ୍ଡ ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଡ୍‌(ଏଚ୍‌ୟୁଏଲ୍‌) ଏହାର ଲୋକପ୍ରିୟ ଫେୟାରନେସ କ୍ରିମ୍‌ ‘ଫେୟାର ଆଣ୍ଡ ଲଭ୍‌ଲି’ର ନାମକୁ ବଦଳାଇବ। ଏହି ପ୍ରଡକ୍ଟର ବ୍ରାଣ୍ଡ ନାମରୁ ଫେୟାର ଶବ୍ଦ ବ୍ୟବହାରକୁ କମ୍ପାନୀ ହଟାଇବ ବୋଲି ଜଣାପଡିଛି। ଆଫ୍ରିକୀୟ-ଆମେରିକୀୟ ଜର୍ଜ ଫ୍ଲୟେଡ୍‌ଙ୍କ ପୋଲିସ ଆକ୍ରମଣ ଦ୍ୱାରା ଗତ କିଛିଦିନ ତଳେ ଆମେରିକାରେ ମୃତ୍ୟୁ ଘଟିଛି। ଏହା ପରେ ବର୍ଣ୍ଣବୈଷମ୍ୟବାଦ ବିରୋଧୀ ପ୍ରତିବାଦ ତୀବ୍ର ହୋଇଛି। ଏଭଳି ବିଭିନ୍ନ ପ୍ରସଙ୍ଗକୁ ବିଚାରକରି ନୂଆ ଯୋଜନା ହାତକୁ ନେବ ବୋଲି କମ୍ପାନୀ ସୂଚନା ଦେଇଛି।
୧୯୭୫ଠାରୁ ଫେୟାର ଆଣ୍ଡ ଲଭ୍‌ଲି ବଜାରକୁ ଆସିଛି। ତ୍ୱଚାକୁ ଉଜ୍ଜ୍ୱଳ କରିବା ଏବଂ କଳାପଣ ହଟାଇବାରେ ଏହି କ୍ରିମ୍‌ ଭଲ କାମ କରିଥାଏ ବୋଲି ପ୍ରଡକ୍ଟ ମାର୍କେଟିଂ କ୍ୟାମ୍ପେନରେ କୁହାଯାଉଛି। ମୋଟାମୋଟି ଭାବେ କହିବାକୁ ଗଲେ ଏହି କ୍ରିମ୍‌ ଫେସ୍‌କ୍ରିମ୍‌ ବର୍ଗରେ ମାର୍କେଟ ଲିଡର ରହି ଆସିଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଅଧ୍ୟକ୍ଷ ସଞ୍ଜୀବ ମେହେଟ୍ଟା କହିଛନ୍ତି ଯେ, ସ୍କିନ କେୟାର ପୋର୍ଟଫୋଲିଓକୁ ଅଧିକ ସାର୍ବଜନୀନ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ସୁନ୍ଦରତା ବିଭିନ୍ନତାକୁ ଦର୍ଶାଇବା ସହ ଏହାକୁ ସେଲିବ୍ରେଶନ ଲାଗି ଏବେ ଅଗ୍ରସର ହେଉଛି। ପ୍ୟାକେଜିଂ ଏବଂ ବ୍ରାଣ୍ଡ କମ୍ୟୁନିକେଶନରେ ବିଭିନ୍ନ ପରିବର୍ତ୍ତନ ଅଣାଯାଇଛି। ସେହିଭଳି ଗତବର୍ଷ କମ୍ପାନୀ ଏହାର ପ୍ୟାକେଜିଂରୁ ଫେୟାର- ଫେୟାରନେସ୍‌, ହ୍ବାଇଟ୍‌-ହ୍ବାଇଟ୍‌ନିଂ,ଲାଇଟ୍‌-ଲାଇଟନିଂ ଭଳି ଶବ୍ଦକୁ ହଟାଇ ଦେଇଥିଲା। ଫେୟାର ଆଣ୍ଡ ଲଭ୍‌ଲିର ନୂଆ ନାମକୁ ନେଇ ନିୟାମକ ମଞ୍ଜୁରୀକୁ ଅପେକ୍ଷା ରହିଛି। ଆଗାମୀ କିଛି ମାସରେ ପରିବର୍ତ୍ତିତ ପ୍ୟାକ୍‌ ଏବଂ ନୂଆ ନାମ ସହ ପ୍ରଡକ୍ଟ ବଜାରରେ ଉପଲବ୍ଧ ହେବ। ଗତ ସପ୍ତାହରେ ଜନସନ ଆଣ୍ଡ ଜନସନ ଏଭଳି ଏକ ପଦକ୍ଷେପ ହାତକୁ ନେଇଛି। ଏହା ବଜାରରେ ଉପଲବ୍ଧ କରାଉଥିବା ନୁଟ୍ରୋଜିନା ଫାଇନ ଆଣ୍ଡ ଫେୟାରନେସ ପ୍ରଡକ୍ଟ ବିକ୍ରି ବନ୍ଦ କରିବ ବୋଲି ନିଷ୍ପତ୍ତି ନେଇଛି। କଳାପଣ ଏବଂ ଦାଗ ହଟାଇବା ଦିଗରେ ଏହି ପ୍ରଡକ୍ଟକୁ କମ୍ପାନୀ ବଜାରକୁ ଛାଡ଼ିଥିଲା।

Share