Categories: ରାଜ୍ୟ

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୯୦୨ ନୂଆ ପଦବୀ ସୃଷ୍ଟି

ଭୁବନେଶ୍ୱର,୧୧ା୭(ଅନୁରାଧା ମହାରଣା)- ରାଜ୍ୟର ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ନୂତନ ପଦବୀ ସୃଷ୍ଟି ହୋଇଛି। ରାଜ୍ୟ ସରକାର ମୋଟ ୯୦୨ଟି ପଦବୀ ସୃଷ୍ଟି କରିଛନ୍ତି। ଏଥିମଧ୍ୟରେ ୬୪୨ଟି ଶିକ୍ଷକ ଓ ୨୬୦ଟି ଅଣଶିକ୍ଷକ ପଦବୀ ରହିଛି। ଖୁବ୍‌ଶୀଘ୍ର ଏନେଇ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ୬୪୨ ପୋଷ୍ଟ ଗ୍ରାଜୁଏଟ ଟିଚର (ପିଜିଟି) ପଦବୀ ସମେତ ୨୪ ଲାବୋରେଟୋରୀ ଆସିଷ୍ଟାଣ୍ଟ, ୨୪ ଲାବୋରେଟୋରୀ ଆଟେଣ୍ଡାଣ୍ଟ୍‌, ୧୦୬ ଆସିଷ୍ଟାଣ୍ଟ ଲାଇବ୍ରେରିଆନ, ୧୦୬ ଜୁନିୟର କ୍ଲର୍କ ପଦବୀ ସୃଷ୍ଟି କରାଯାଇଛି। ଚଳିତ ବର୍ଷ ୧୦୬ ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ସରକାର ଉନ୍ନୀତ କରିଛନ୍ତି। ଉକ୍ତ ବିଦ୍ୟାଳୟଗୁଡ଼ିକରେ ଯୁକ୍ତ୨ ଶ୍ରେଣୀ ଖୋଲାଯାଇଛି। ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ରୀଛାତ୍ରମାନେ ସିଧାସଳଖ ନିଜ ବିଦ୍ୟାଳୟରେ ଯୁକ୍ତ୨ ଶ୍ରେଣୀରେ ପଢ଼ିପାରିବେ ା ସେମାନଙ୍କୁ ଶିକ୍ଷାଦାନ ନିମନ୍ତେ ଏହି ନୂତନ ଶିକ୍ଷକ ପଦବୀଗୁଡ଼ିକ ସୃଷ୍ଟି କରାଯାଇଛି। ସେହିପରି ପ୍ରତ୍ୟେକ ଉନ୍ନୀତ ମାଧ୍ୟମିକ ବିଦ୍ୟାଳୟରେ ଅଫିସ କାର୍ଯ୍ୟ, ଲାବ୍‌ ଓ ପାଠାଗାର ପରିଚାଳନା ପାଇଁ ଅଣଶିକ୍ଷକ ପଦବୀଗୁଡିକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି।

Share