ପଞ୍ଚଭୂତରେ ବିଲୀନ ହେଲେ ବିଜୟ

ଭୁବନେଶ୍ୱର, ୨୧।୭(ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ଅଭିନେତା ବିଜୟ ମହାନ୍ତିଙ୍କ ସୋମବାର ରାତିରେ ପରଲୋକ ଘଟିିଛି। ଏହି ଖବର ପ୍ରଚାରିତ ହେବା ପରେ ଶାରା ରାଜ୍ୟରେ ଶୋକର ଲହରୀ ଖେଳିଯାଇଛି। ଗତ ୨ ମାସ ଧରି ସେ ଅସୁସ୍ଥ ଥିଲେ। ମାତ୍ର ଶେଷରେ ଦୁଇ ମାସର ଜୀବନ ସଂଗ୍ରାମରେ ହାରି ଯାଇଥିଲେ। ମଙ୍ଗଳବାର ତାଙ୍କ ମର ଶରୀରକୁ ବମିଖାଲସ୍ଥିତ ବାସଭବନକୁ ନିଆଯାଇଥିଲା। ସେଠାରେ ପରିବାରବର୍ଗ, ବନ୍ଧୁ ପରିଜନ ତାଙ୍କୁ ଅଶ୍ରୁଳ ବିଦାୟ ଦେବା ପରେ ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରକୁ ନିଆଯାଇଥିଲା। ସେଠାରେ ତାଙ୍କୁ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟଦା ପ୍ରଦାନ କରାଯିବା ପରେ ଶହ ଶହ ଶୁଭେଚ୍ଛୁ, କଳାକାର, ରାଜନେତା ତାଙ୍କ ପ୍ରିୟ ଅଭିନେତାଙ୍କ ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ। କରୋନା ଲକ୍‌ଡାଉନ୍‌ କଟକଣା ଭିତରେ ମଧ୍ୟ ବହୁ ସିନେପ୍ରେମି ବିଜୟଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଥିଲେ। ଉତ୍କଳ ସଂଗୀତ ମହାବିଦ୍ୟାଳୟରୁ ତାଙ୍କ ମରଶରୀରକୁ ଅନ୍ତିମ ସଂସ୍କାର ପାଇଁ ସତ୍ୟନଗର ନିଆଯାଇଥିଲା।

୧୯୫୦ ଏପ୍ରିଲ ୮ରେ ବିଜୟ କେନ୍ଦ୍ରାପଡ଼ା ଜିଲାର ପାଣ୍ଡିରି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପିତା ଆଦିକନ୍ଦ ମହାନ୍ତି ଓ ମାତା ଶାନ୍ତିଲତା ମହାନ୍ତିଙ୍କ ସୁପୁତ୍ର ବିଜୟ ମୟୂରଭଞ୍ଜ ଜିଲାର ବାରିପଦାଠାରେ ବଢ଼ିଥିଲେ। ଏମ୍‌କେସି ହାଇସ୍କୁଲରେ ପଢ଼ା ଶେଷ କରିବା ପରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ଏହାପରେ ଦିଲ୍ଲୀ ନ୍ୟାଶନାଲ ସ୍କୁଲ୍‌ ଅଫ୍‌ ଡ୍ରାମାରୁ ଶିକ୍ଷାଗ୍ରହଣ କରିଥିଲେ। ସେହି ସମୟରେ ଖ୍ୟାତନାମା ଅଭିନେତା ନାସିରୁଦ୍ଦିନ ଶାହା, ରାଜ ବବ୍ବର, ଓମ୍‌ ପୁରୀ ତାଙ୍କର ସହପାଠୀ ଥିଲେ। ବିଭିନ୍ନ ମଞ୍ଚରେ ଅଭିନୟ କରିବା ସହ ସେ ଦିଲ୍ଲୀରେ ୧୯୭୫ ମସିହା ପର୍ଯ୍ୟନ୍ତ ଥିଲେ। ସେଠାରୁ ଓଡ଼ିଶା ଫେରିବା ପରେ ଓଡ଼ିଆ ଚଳିଚ୍ଚିତ୍ର ଜଗତ ସହ ନିଜକୁ ସମ୍ପୂର୍ଣ୍ଣ ସମର୍ପିତ କରିଥିଲେ। ଇତିମଧ୍ୟରେ ୧୭୫ଟି ଓଡ଼ିଆ ଚଳଚ୍ଚିତ୍ରରେ ମନଛୁଅଁା ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିଥିଲେ। ନିଖୁଣ ଅଭିନୟ ଲାଗି ସେ ଏକାଧିକ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଜିତିଥିବା ବେଳେ ଜୀବନବ୍ୟାପୀ ସାଧନା ପାଇଁ ଓଡ଼ିଆ ଚଳଚ୍ଚିତ୍ରର ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ ପାଇଥିଲେ। ଚଳଚ୍ଚିତ୍ରରେ ଅଭିନୟ ସହ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାଟକ ବିଭାଗର ଅଧ୍ୟାପକ ଓ ଅଧ୍ୟକ୍ଷ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ।

Share