ଏକା ସହ ଜାଳିଦେଲେ ୫୦ କରୋନା ଆକ୍ରାନ୍ତଙ୍କ ମୃତଦେହ, ଆଉ ତା’ ପରେ..

ହାଇଦ୍ରାବାଦ,୨୪।୭: ସାରା ବିଶ୍ୱରେ କରୋନା କାୟା ବୃଦ୍ଧି ପାଇବାରେ ଲାଗିଛି। ଏଥିରେ ସଂକ୍ରମିତ ହୋଇ ଲକ୍ଷାଧିକ ଲୋକଙ୍କ ଜୀବନହାନି ମଧ୍ୟ ଘଟୁଛି। ଭାରତରେ ମଧ୍ୟ ଏବେ ସ୍ଥିତି ସଙ୍ଗୀନ ଆଡ଼କୁ ଗତି କରୁଛି। ଏହି କ୍ରମରେ ହାଇଦ୍ରାବାଦରୁ ଏକ ଚକିତ କରିବା ଭଳି ଘଟଣା ସମ୍ମୁଖକୁ ଆସିଛି। ଏକାସହ ୫୦ଜଣ କରୋନା ରୋଗୀଙ୍କ ଶେଷକୃତ୍ୟ କରାଯାଇଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଜୁନ୍‌ ୨୧ର ଏହି ଘଟଣା ବୋଲି କୁହାଯାଉଛି। ତେବେ ହାଇଦ୍ରାବାଦର ଇଏସ୍‌ଆଇ ଶ୍ମଶାନରେ ସାମୁହିକ ଦାହ ସଂସ୍କାର କରାଯାଉଥିବା ଭିଡିଓରେ ଦେଖାଯାଉଛି। ଏହାକୁ ନେଇ ବିରୋଧିମାନେ ସରକାରଙ୍କୁ କଟାକ୍ଷ କରିବା ଆରମ୍ଭ କରିଛନ୍ତି। କରୋନା ମୃତ୍ୟୁକୁ ଲୁଚାଇବା ଲାଗି ସରକାର ଏଭଳି କରୁଥିବା ସେମାନେ ଅଭିଯୋଗ କରୁଛନ୍ତି।

ଅପରପକ୍ଷେ ଏନେଇ ସ୍ବାସ୍ଥ୍ୟ ଅଧିକାରୀମାନେ ସ୍ପଷ୍ଟିକରଣ ରଖିଛନ୍ତି। ସାମୁହିକ ଦାହକୁ ସେମାନେ ସ୍ବିକାର କରିଥିବା ବେଳେ କରୋନା ମୃତ୍ୟୁ ସଂଖ୍ୟାକୁ ନେଇ କୌଣସି ପ୍ରକାର ହେରଫେର କରାଯାଉ ନ ଥିବା କହିଛନ୍ତି।

କରୋନାରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ମୃତଦେହ ନେବାକୁ ଅନିଚ୍ଛା ପ୍ରକାଶ କରୁଥିବା ଲୋକଙ୍କ ପାଇଁ ଏପରି କରାଯାଇଛି। ଦୁଇ ଦିନ ଧରି ମୃତ୍ୟୁ ଘଟିଥିବା ଲୋକଙ୍କ ମୃତଦେହକୁ ସତ୍କାର କରାଯାଇଥିବା କୁହାଯାଉଛି।

Share