Categories: ଖେଳ

ସେନ ଓ୍ବାର୍ନଙ୍କ ସମ୍ମାନର୍ଥେ କ୍ରିକେଟ୍‌ ଅଷ୍ଟ୍ରେଲିଆ ନେଲା ବଡ଼ ନିଷ୍ପତ୍ତି

ମେଲବୋର୍ନ,୨୬।୧୨: ବିଶ୍ୱ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର ସ୍ବର୍ଗତ ଅଷ୍ଟ୍ରେଲୀୟ ସ୍ପିନର ସେନ୍‌ ୱାର୍ନଙ୍କୁ ସମ୍ମାନିତ କରିବା ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ଏକ ବଡ଼ ନିଷ୍ପତ୍ତି ନେଇଛି। କ୍ରିକେଟ ଅଷ୍ଟ୍ରେଲିଆ ବର୍ତ୍ତମାନ ଦ୍ୱିତୀୟ ସମ୍ମାନଜନକ ପୁରସ୍କାର ଅଷ୍ଟ୍ରେଲିଆ ପୁରୁଷ ଟେଷ୍ଟ ପ୍ଲେୟାର ଅଫ ଦି ଇୟର ସେନ୍‌ ୱାର୍ନଙ୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଏହି ପୁରସ୍କାରର ନାମ ସେନ୍‌ ୱାର୍ନ ଟେଷ୍ଟ ପ୍ଲେୟାର ଅଫ ଦି ଇୟର ହେବ।
ଦକ୍ଷିଣ ଆଫ୍ରିକା ବିପକ୍ଷ ଅଷ୍ଟ୍ରେଲିଆର ଦ୍ୱିତୀୟ ବକ୍ସିଂ ଡେ ଟେଷ୍ଟ ପୂର୍ବରୁ କ୍ରିକେଟ ଅଷ୍ଟ୍ରେଲିଆ ଏହି ନିଷ୍ପତ୍ତି ନେଇଛି। ୱାର୍ନ ତାଙ୍କ କ୍ୟାରିୟରରେ ଥରେ କ୍ରିକେଟ ଅଷ୍ଟ୍ରେଲିଆର ଏହି ସମ୍ମାନଜନକ ପୁରସ୍କାର ଜିତିଛନ୍ତି। ୨୦୦୫ ଆଶେସରେ ଇଂଲଣ୍ଡ ବିପକ୍ଷରେ ୪୦ ଉଇକେଟ ନେବା ପରେ ତାଙ୍କୁ ୨୦୦୬ରେ ଟେଷ୍ଟ କ୍ରିକେଟର ପୁରସ୍କାର ପ୍ରଦାନ କରାଯାଇଥିଲା।
ସେନ୍‌ ୱାର୍ନ ଦୁନିଆର ଅନ୍ୟତମ ସମ୍ମାନିତ କ୍ରିକେଟର ଥିଲେ। ଚଳିତ ବର୍ଷ ମାର୍ଚ୍ଚ ୪ ରେ ତାଙ୍କର ଦେହାନ୍ତ ହୋଇଥିଲା। ସେନ୍‌ ୱାର୍ନ ଅଷ୍ଟ୍ରେଲିଆ ପାଇଁ ୧୪୫ ଟେଷ୍ଟ ଖେଳି ୭୦୮ ଉଇକେଟ ନେଇଥିଲେ। ଟେଷ୍ଟରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୭୧ ରନ ଦେଇ ୮ଟି ଉଇକେଟ ଥିଲା। ସେ ଅଷ୍ଟ୍ରେଲିଆ ପାଇଁ ୧୯୪ଟି ଦିନିକିଆ ଖେଳି ୨୯୩ ଉଇକେଟ ନେଇଥିଲେ। ଦିନିକିଆରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୩୩ ରନ୍‌ ଦେଇ ୫ ଉଇକେଟ୍‌ ନେଇଥିଲେ। ଏହା ବ୍ୟତୀତ ୱାର୍ନ ଟେଷ୍ଟରେ ୩୧୫୪ ରନ ଏବଂ ଦିନିକିଆରେ ୧୦୧୮ ରନ ସ୍କୋର କରିଥିଲେ।

Share