ଲଣ୍ଡନ, ୭।୯: କାଉଣ୍ଟି କ୍ରିକେଟ୍ କ୍ଲବ ନର୍ଥହାମ୍ପଶାୟର ଜଣେ ଖେଳାଳି କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ବବ୍ ଓ୍ବିଲ୍ସ ଟ୍ରଫିର ଏକ ୪ ଦିବସୀୟ ମ୍ୟାଚ୍ ବାତିଲ୍ କରିଦିଆଯାଇଛି। ଜଣେ ଖେଳାଳି ଘାତକ କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ନର୍ଥହାମ୍ପଶାୟର ଓ ବ୍ରିଷ୍ଟଲ ଦଳ ମଧ୍ୟରେ ଆରମ୍ଭ ହୋଇଥିବା ମ୍ୟାଚ୍କୁ ପ୍ରଥମ ଦିନ ହିଁ ବାତିଲ୍ ଘୋଷଣା କରାଯାଇଥିଲା। କିନ୍ତୁ କରୋନା ଆକ୍ରାନ୍ତ ହୋଇଥିବା ଖେଳାଳିଙ୍କ ନାମ ସ୍ପଷ୍ଟ କରାଯାଇନାହିଁ। ତେବେ ଏହି ଖେଳାଳିଜଣଙ୍କ ବ୍ରିଷ୍ଟଲରେ ଥିବା ନର୍ଥହାମ୍ପଶାୟର ଦଳର ସଦସ୍ୟ ନ ଥିଲେ। ସେ ତାଙ୍କ କରୋନା ରିପୋର୍ଟକୁ ଅପେକ୍ଷା କରି ଘରେ ଆଇସୋଲେଶନରେ ଥିଲେ। କିନ୍ତୁ ସେ କରୋନା ଆକ୍ରାନ୍ତ ହେବାର ୪୮ ଘଣ୍ଟା ପୂର୍ବରୁ କିଛି ଖେଳାଳି ତାଙ୍କ ସମ୍ପର୍କରେ ରହିଥିଲେ ବୋଲି ଜଣାପଡ଼ିଛି। ଫଳରେ ଖେଳାଳିଙ୍କ ହିତକୁ ଦେଖି ଇଂଲଣ୍ଡ ଆଣ୍ଡ୍ ଓ୍ବେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଏହି ମ୍ୟାଚ୍କୁ ବାତିଲ କରିଦେଇଛି। ମ୍ୟାଚ୍ର ପ୍ରଥମ ଦିବସ ମଧ୍ୟାହ୍ନ ପୂର୍ବରୁ ଏହି ଖେଳାଳି କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।