Categories: ଖେଳ

ବିବାଦ ଘନେଇଲା, ହନୁମାଙ୍କ ସପକ୍ଷରେ ବାହାରିବାକୁ ଖେଳାଳିଙ୍କୁ ଧମକ ଦିଆଯାଇଥିବା କହିଲା ଏସିଏ

ହାଇଦ୍ରାବାଦ,୨୮।୨: ଅଧିନାୟକ ପଦରୁ ହଟାଯିବା ପରେ ହନୁମା ବିହାରୀ ଆନ୍ଧ୍ରପ୍ରଦେଶ କ୍ରିକେଟ ଟିମ୍‌ ଛାଡ଼ିବା ନେଇ ଇଚ୍ଛା ପ୍ରକାଶ କରିଛନ୍ତି। ରାଜନୈତିକ ହସ୍ତକ୍ଷେପ ଯୋଗୁ ସେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ଏଭଳି ସ୍ଥିତିରେ ଆନ୍ଧ୍ର ପ୍ରଦେଶ କ୍ରିକେଟ ଆସୋସିଏଶନ ହନୁମାଙ୍କ ଅଭିଯୋଗ ଉପରେ ଜବାବ ରଖିଛି। ସୋସିଆଲ ମିଡିଆରେ ଟିମ୍‌ର ଖେଳାଳି ହସ୍ତାକ୍ଷର କରିଥିବା ଏକ ଲେଟର୍‌ ଭାଇରାଲ ହେଉଛି, ଯେଉଁଥିରେ ହନୁମାଙ୍କ ଉପରେ ଲାଗିଥିବା ଅଭଦ୍ର ଭାଷା ବ୍ୟବହାରର ଅଭିଯୋଗକୁ ମିଥ୍ୟା ଦର୍ଶାଇ ତାଙ୍କୁ ପୁଣିଥରେ ଦଳର ଅଧିନାୟକ କରିବାକୁ ଅନୁରୋଧ କରାଯାଇଛି। ହେଲେ ଆସୋସିଏଶନ କହିଛି ଯେ, ହନୁମାଙ୍କ ସମର୍ଥନରେ ଲେଖାଯାଇଥିବା ଚିଠିରେ ଦସ୍ତଖତ କରିବାକୁ ଖେଳାଳିମାନଙ୍କ ଉପରେ ଚାପ ପକାଯାଇଛି।

ଆନ୍ଧ୍ରପ୍ରଦେଶ କ୍ରିକେଟ ଟିମ୍‌କୁ ମଧ୍ୟପ୍ରଦେଶ ବିପକ୍ଷରେ ଇନ୍ଦୋରରେ ଖେଳାଯାଇଥିବା ରଣଜୀ ଟ୍ରଫି କ୍ୱାଟର ଫାଇନାଲରେ ୪ ରନ୍‌ ବ୍ୟବଧାନରେ ପରାଜିତ ହେବାକୁ ପଡ଼ିଥିଲା। ଏହାପରେ ହନୁମା ଅଧିନାୟକ ପଦରୁ ରାଜନୈତିକ କାରଣବଶତଃ ଇସ୍ତଫା ଦେଇଥିଲେ। ଏହାକୁ ନେଇ ଏସିଏ କହିଛି ଯେ କିଛି ଖେଳାଳିଙ୍କୁ ହନୁମାଙ୍କ ସମର୍ଥନରେ ଲେଖାଯାଇଥିବା ଚିଠିରେ ଦସ୍ତଖତ କରିବା ଲାଗି ଧମକ ଦିଆଯାଇଛି। ଏହାର ତଦନ୍ତ କରାଯିବ। ପରେ ବିସିସିଆଇକୁ ସମ୍ପୂର୍ଣ୍ଣ ରିପୋର୍ଟ ଦିଆଯିବ।

Share