Categories: ଖେଳ

ଟି୨୦ ବିଶ୍ୱକପ୍‌ ଜିତି ପାରିବ ନାହିଁ ଟିମ୍‌ ଇଣ୍ଡିଆ…କୋହଲିଙ୍କ ନାଁ ନେଇ ଏ କ’ଣ କହିଦେଲେ…

ନୂଆଦିଲ୍ଲୀ,୧୭।୫: ଆଉ କିଛି ଦିନର ବ୍ୟବଧାନ ପରେ ଆରମ୍ଭ ହେବାକୁ ଯାଛି ଟି୨୦ ବିଶ୍ୱକପ୍‌। ଏହାକୁ ନେଇ ପ୍ରଶଂସକ ଦିନ ଗଣିବା ଆରମ୍ଭ କରିଦେଇଥିବା ବେଳେ କ୍ରିକେଟ ବିଶେଷଜ୍ଞମାନେ ଭବିଷ୍ୟବାଣୀ କରୁଥିବା ଦେଖାଯାଉଛି। ଏହି କ୍ରମରେ ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ ଅଧିନାୟକ ଟିମ୍‌ ପେନ୍‌ କହିଛନ୍ତି ଯେ ଏଥର ମଧ୍ୟ ଭାରତ ବିଶ୍ୱକପ୍‌ ଜିତିପାରିବ ନାହିଁ। ତେବେ ଏହା ପଛରେ କୋହଲିଙ୍କୁ ମୁଖ୍ୟ କାରଣ ବୋଲି ସେ କହିଛନ୍ତି।

ଶେଷ ଥର ପାଇଁ ୨୦୦୭ରେ ବିଶ୍ୱକପ୍‌ ଜିତିଥିଲା ଟିମ୍‌ ଇଣ୍ଡିଆ। ଏହାକୁ ୧୭ ବର୍ଷ ବିତିସାରିଛି। ଅପରପକ୍ଷେ ଦଳ ୧୩ ବର୍ଷ ହେଲାଣି କୌଣସି ଆଇସିସି ଟ୍ରଫି ମୁହଁ ଦେଖିନାହିଁ। ଏମିତିରେ ଏଥର ବିଶ୍ୱକପ୍‌ ଆମର ବୋଲି ଭାରତୀୟ ପ୍ରଶଂସକ କହିବା ଆରମ୍ଭ କରିଥିଲେ। ହେଲେ ଟିମ୍‌ ପେନ୍‌ ସେଭଳି ହେବ ନାହିଁ ବୋଲି କହିଛନ୍ତି।
‘ଆରାଉଣ୍ଡ ଦ ଓ୍ବିକେଟ’ ପୋଡକାଷ୍ଟରେ ପେନ୍‌ କହିଛନ୍ତି, ବିରାଟ କୋହଲି ଯଦି ରନ୍‌ ନ କରନ୍ତି ତେବେ ଭାରତ ଟି୨୦ ବିଶ୍ୱକପ୍‌ ଜିତିବା ମୁସ୍କିଲ ହେବ। କୋହଲିଙ୍କ ରନ୍‌ ଏବଂ ଭାରତର ବିଶ୍ୱକପ୍‌ର ସିଧା କନେକ୍ସନ ରହିଛି। କାରଣ ବର୍ତ୍ତମାନ ସମୟରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଖରାପ ଫର୍ମରେ ଅଛନ୍ତି। ଟପ୍‌ ୪ରେ କେବଳ କୋହଲି ଫର୍ମରେ ନଜର ଆସୁଛନ୍ତି। ଏହାଛଡ଼ା ବିଶ୍ୱକପ୍‌ ଭଳି ବଡ଼ ଟୁର୍ନାମେଣ୍ଟରେ ସେ ଭଲ ପ୍ରଦର୍ଶନ କରନ୍ତି ବୋଲି ସେ କହିଛନ୍ତି।

ଆଇପିଏଲ୍‌ରେ କୋହଲିଙ୍କ ପ୍ରଦର୍ଶନ ଦେଖିଲେ ସେ ଏହି ସିଜନରେ ୧୩ ମ୍ୟାଚ୍‌ରେ ୧୫୫ ଷ୍ଟ୍ରାଇକ୍‌ ରେଟ୍‌ରେ ୬୬୧ ରନ୍‌ କରିଛନ୍ତି। ତାଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ଦଳ ପ୍ଲେଅଫ୍‌ ଦୌଡ଼ କୁ ଫେରିଛି। ଯଦି ସେ ଏହି ଫର୍ମରେ ରୁହନ୍ତି ତେବେ ଭାରତ ବିଶ୍ୱକପ୍‌ ଦାବିଦାର ହୋଇପାରେ ବୋଲି କୁହାଯାଉଛି।

Share