Categories: ଖେଳ

ଚେତା ହରାଉଥିବା ସତ୍ତ୍ୱେ ଅଶ୍ୱିନଙ୍କୁ ମା’ ପଚାରିଥିଲେ ଗୋଟିଏ ପ୍ରଶ୍ନ, ମନେ ପକାଇଲେ…

ଧର୍ମଶାଳା,୬।୩: ଭାରତ-ଇଂଲଣ୍ଡ ମଧ୍ୟରେ ଧର୍ମଶାଳାରେ ଗୁରୁବାରଠାରୁ ଟେଷ୍ଟ ସିରିଜର ୫ମ ତଥା ଅନ୍ତିମ ମୁକାବିଲା ଆରମ୍ଭ ହେବ। ଏହି ମ୍ୟାଚ୍‌ ଅଶ୍ୱିନଙ୍କ ପାଇଁ ସ୍ବତନ୍ତ୍ର ହେବ। କାରଣ ସେ ନିଜ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିବେ। ତେବେ ଏହି ମ୍ୟାଚ୍‌ ଖେଳିବା ପୂର୍ବରୁ ଅଶ୍ୱିନ ମା’ ଚିତ୍ରା ରବିଚନ୍ଦ୍ରନଙ୍କ ଅସୁସ୍ଥତାକୁ ନେଇ ଏକ ଖୁଲାସା କରିଛନ୍ତି, ଯାହାକି ଅନେକଙ୍କୁ ଭାବୁକ କରୁଛି।

ରାଜକୋଟରେ ଖେଳାଯାଇଥିବା ୩ୟ ଟେଷ୍ଟରେ ଅଶ୍ୱିନ ୫୦୦ ଉଇକେଟ ପୂରଣ କରିଥିଲେ। ହେଲେ ଯେଉଁ ଦିନ ସେ ଏହି ଉପଲବ୍ଧି ହାସଲ କରିଥିଲେ, ସେହି ଦିନ ତାଙ୍କ ମା’ଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିଲା। ଏଣୁ ଅଶ୍ୱିନ ଟେଷ୍ଟ ମ୍ୟାଚ୍‌କୁ ଅଧାରେ ଛାଡ଼ି ପରିବାର ନିକଟକୁ ଫେରି ଯାଇଥିଲେ।

ନିଜର ୧୦୦ତମ ଟେଷ୍ଟ ଖେଳିବା ପୂର୍ବରୁ ଅଶ୍ୱିନ ସେହି ଦିନକୁ ମନେ ପକାଇ କହିଛନ୍ତି, ଚେନ୍ନାଇରେ ପହଞ୍ଚିବା ପରେ ତାଙ୍କ ମା’ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି ହୋଇଥିବା ଦେଖିବାକୁ ପାଇଥିଲେ। ସେ ଚେତାକୁ ଆସୁଥିଲେ, ପୁଣି ଚେତାଶୂନ୍ୟ ହୋଇଯାଉଥିଲେ। ଯେତେବେଳେ ସେ ତାଙ୍କୁ ଦେଖିବା ମାତ୍ରେ କେବଳ ଏତିକି ପଚାରିଥିଲେ ଯେ ‘ଟେଷ୍ଟ ମ୍ୟାଚ୍‌ ଛାଡ଼ି କାହିଁକି ଆସିଲେ’। ଏପରିକି ସୁସ୍ଥ ଅନୁଭବ କରିବା ପରେ ତୁରନ୍ତ ତାଙ୍କୁ ମ୍ୟାଚ୍‌ ଖେଳିବାକୁ ଯିବା ଉଚିତ ବୋଲି କହିଥିଲେ ବୋଲି ସେ କହିଥିଲେ। ତେବେ ଅଶ୍ୱିନ ମା’ଙ୍କ କଥାକୁ ମାନିଥିଲେ। ତୃତୀୟ ଦିନ ଖେଳିପାରି ନ ଥିଲେ ହେଁ ଚତୁର୍ଥ ଦିନରେ ଟିମ୍‌ ସହ ଯୋଡ଼ି ହୋଇଥିଲେ।