Categories: ଖେଳ

ମୋର କ’ଣ ଅଛି, ଏହା ମୋର ଶେଷ…ରୋହିତ ଶର୍ମାଙ୍କ ଭିଡିଓ ଭାଇରାଲ…

ନୂଆଦିଲ୍ଲୀ,୧୧।୫: ମୁମ୍ବାଇ ଇଣ୍ଡିଆନ୍ସରେ ସବୁକିଛି ଠିକ୍‌ ଚାଲିନାହିଁ। କାରଣ ସୋସିଆଲ ମିଡିଆରେ ଅଭିଷେକ ନାୟର ଏବଂ ମୁମ୍ବାଇର ପୂର୍ବତନ ଅଧିନାୟକ ହିଟ୍‌ମାନଙ୍କ  ଯେଉଁ ଭିଡିଓ ଭାଇରାଲ ହେଉଛି ତାହା ଅନେକ ପ୍ରଶ୍ନ ଉଠାଉଛି। କୁହାଯାଉଛି ଯେ କେକେଆର୍‌ ପକ୍ଷରୁ ଏକ୍ସରେ ଏହି ଭିଡିଓ ଶେୟାର କରାଯାଇଥିଲା, ହେଲେ ପରେ ଏହାକୁ ଡିଲିଟ୍‌ କରି ଦିଆଯାଇଛି। ଭିଡିଓଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ସୋସିଆଲ ମିଡିଆରେ ଅଭିଷେକ ନାୟର ଏବଂ ରୋହିତ ଶର୍ମାଙ୍କ ଭିଡିଓ ଶେୟାର କରାଯାଉଛି। ସେଥିରେ ରୋହିତ ଏବଂ ଅଭିଷେକଙ୍କ ମଧ୍ୟରେ କଥାବାର୍ତ୍ତା ରହିଛି। ହେଲେ ଭିଡିଓ ବ୍ରାକ୍‌ଗ୍ରାଉଣ୍ଡରେ ଦର୍ଶକଙ୍କ ହୋହଲ୍ଲା ଯୋଗୁ ସ୍ପଷ୍ଟ ଅଡିଓ ଆସିନାହିଁ। ହେଲେ ଉଭୟଙ୍କ ୩୦ ସେକେଣ୍ଡ କଥାବାର୍ତ୍ତାରେ ଯାହା ଶୁଭୁଛି ତାହା ହେଉଛି..
୦.୦୧ ଗୋଟିଏ ଗୋଟିଏ ଜିନିଷ ବଦଳୁଛି
୦.୦୪ ସେସବୁ ତାଙ୍କ ଉପରେ, ମୋତେ ଫରକ ପଡ଼ିବ ନାହିଁ
୦.୦୮ ମୁଁ କେଉଁଠିକୁ ବି ଯିବି ନାହିଁ
୦.୧୨ ଯାହା ବି ହେଉ ସେଇଟା ମୋ ଘର ଭାଇ
୦.୧୫ ଯେଉଁ ମନ୍ଦିର ମୁଁ ନିର୍ମାଣ କରିଛି
୦.୧୮ ମୋର କ’ଣ ଅଛି, ମୋର ତ ଏହା ଶେଷ

ରୋହିତ ଏବଂ ଅଭିଷେକଙ୍କ ଏହି ଭିଡିଓର ପ୍ରଶଂସକ ଭିନ୍ନ ଭିନ୍ନ ଅର୍ଥ କାଢ଼ୁଛନ୍ତି। କିଛି ଲେଖୁଛନ୍ତି ଯେ ମୁମ୍ବାଇ ଟିମ୍‌ର ଅନ୍ତଃକନ୍ଦଳ ଏବେ ସାମ୍ନାକୁ ଆସିଛି। ଏହି ସିଜନ ଆରମ୍ଭରୁ ଦଳ ଭିନ୍ନ କାରଣରୁ ଖବର ଶିରୋନାମାରେ ଥିଲା। ପ୍ରଥମେ ରୋହିତଙ୍କୁ ହଟାଇ ହାର୍ଦ୍ଦକ ପାଣ୍ଡ୍ୟାଙ୍କୁ ଅଧିନାୟକ କରାଯାଇଥିଲା। ପରେ ଦଳ ଖରାପ ପ୍ରଦର୍ଶନ କରି ପ୍ଲେ ଅଫ୍‌ ଦୌଡ଼ରୁ ବାଦ ପଡ଼ିଛି। ଏମିତିରେ କୁହାଯାଉଛି ଯେ ଆଗାମୀ ଦିନରେ ହେବାକୁ ଥିବା ମେଗା ଅକ୍ସନରେ ଦଳର ଅନେକ ଖେଳାଳି ବାଦ୍‌ ପଡ଼ିପାରନ୍ତି।
Share