ପୂର୍ବ ୨ ବିବାହ ବାର୍ଷିକୀରେ ଅନୁଷ୍କାଙ୍କୁ ଏହି ସ୍ବତନ୍ତ୍ର ଉପହାର ଦେଇଥିଲେ କୋହଲି: ଏଥର…

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କର ଆଜି ଅର୍ଥାତ୍‌ ଡିସେମ୍ବର ୧୧ ହେଉଛି ୩ୟ ବିବାହ ବାର୍ଷିକୀ। ଚଳିତ ବର୍ଷ ତାଙ୍କର ବିବାହ ବାର୍ଷିକୀ ସବୁଠାରୁ ସ୍ବତନ୍ତ୍ର ହେବ। କାରଣ ଏଥର ସ୍ତ୍ରୀ ଅନୁଷ୍କା ଶର୍ମା ତାଙ୍କୁ ସବୁଠାରୁ ବଡ଼ ଖୁସି ଦେଇଛନ୍ତି, ତାହା ହେଲା ବିରାଟ ଆଗାମୀ ଜାନୁୟାରୀରେ ବାପା ହେବାକୁ ଯାଉଛନ୍ତି। କିନ୍ତୁ ଏଥର ବିରାଟ-ଅନୁଷ୍କା ଏକାଠି ଏହି ଖାସ୍‌ ଦିନକୁ ପାଳନ କରିପାରିବେ ନାହିଁ। କାରଣ ଏବେ ସେ ଅଷ୍ଟ୍ରେଲିଆରେ ଥିବାବେଳେ ଅନୁଷ୍କା ମୁମ୍ବାଇରେ ଅଛନ୍ତି। ହେଲେ ଏହା ପ୍ରଥମ ଥର ନୁହେଁ, ଗତ ବର୍ଷ ମଧ୍ୟ ବିରାଟ ଅନୁଷ୍କାଙ୍କ ଠାରୁ ଦୂରରେ ରହି ଦେଶ ପାଇଁ କ୍ରିକେଟ ଖେଳୁଥିଲେ। ମାତ୍ର ଦ୍ୱିତୀୟ ବିବାହ ବାର୍ଷିକୀ ଅବସରରେ ବିରାଟ ଅନୁଷ୍କାଙ୍କୁ ଏକ ସ୍ବତନ୍ତ୍ର ଉପହାର ଦେଇଥିଲେ।
ବିରାଟ ଓ୍ବେଷ୍ଟଇଣ୍ଡିଜ୍‌ ବିରୋଧରେ ଟି-୨୦ ମ୍ୟାଚ୍‌ରେ ୨୯ ବଲ୍‌ରେ ୭୦ ରନ୍‌ କରିଥିଲେ। ଏହା ତାଙ୍କର ସବୁଠୁ ଭଲ ପ୍ରଦର୍ଶନ ମଧ୍ୟରେ ଅନ୍ୟତମ। ଏହି ମ୍ୟାଚ୍‌ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଖେଳାଯାଇଥିଲା। ଏହି ଅବସରରେ ବିରାଟ ୭ଟି ଛକା ଏବଂ ୪ ଚୌକା ମାରିଥିଲେ। ବିରାଟଙ୍କ ଭଲ ଇନିଂସ ଯୋଗୁ ଭାରତ ୨୪୧ ରନ୍‌ କରିଥିବା ବେଳେ ଓ୍ବେଷ୍ଟଇଣ୍ଡିଜ୍‌ ୧୭୩ ରନ୍‌ କରି ପରାସ୍ତ ହୋଇଥିଲା। ଏହି ଚମତ୍କାର ବିଜୟକୁ କୋହଲି ଅନୁଷ୍କାଙ୍କୁ ବିବାହ ବାର୍ଷିକୀ ଉପହାର ରୂପେ ଦେଇଥିଲେ।
ଏହା ପୂର୍ବରୁ ଅର୍ଥାତ୍‌ ପ୍ରଥମ ବିବାହ ବାର୍ଷିକୀ ଅବସରରେରେ ବିରାଟ ଅନୁଷ୍କାଙ୍କୁ ଯେଉଁ ଉପହାର ଦେଇଥିଲେ ତାହା ମଧ୍ୟ ବହୁତ ସ୍ବତନ୍ତ୍ର ଥିଲା। ପ୍ରଥମ ବିବାହ ବାର୍ଷିକୀର ଗୋଟିଏ ଦିନ ପୂର୍ବରୁ ଆଡିଲେଡରେ ଭାରତ ଏକ ଐତିହାସର ବିଜୟ ହାସଲ କରିଥିଲା।
ବିରୁଷ୍କା ଡିସେମ୍ବର ୨୦୧୭ରେ ଇଟାଲିର ଟସ୍କନୀରେ ବିବାହ କରିଥିଲେ। ଏହି ବିବାହ ବଲିଉଡ୍‌ ଏବଂ କ୍ରିକେଟ ଜଗତର ଏକ ଚର୍ଚ୍ଚିତ ବିବାହ ଥିଲା।