ଏଥର ମୋହାଲି, ଥିରୁଭାନନ୍ତପୁରମରେ ହେବ ନାହିଁ ଓ୍ବାର୍ଲଡ କପ ମୁକାବିଲା, ବିରୋଧୀ କହିଲେ ରାଜନୀତି ଦ୍ୱାରା ପ୍ରେରିତ ନିଷ୍ପତ୍ତି

ନୂଆଦିଲ୍ଲୀ,୨୮।୬: ଆଇସିସି କ୍ରିକେଟ ବିଶ୍ୱକପ ୨୦୨୩ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ କରିଛି। କାର୍ଯ୍ୟସୂଚୀ ଅନୁଯାୟୀ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପର ଉଦଘାଟନ ଏବଂ ଅନ୍ତିମ ମ୍ୟାଚ ଖେଳାଯିବ। ଏହା ବ୍ୟତୀତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ କେବଳ ଅହମ୍ମଦାବାଦରେ ଖେଳାଯିବ। ଏବେ ଏହି ବିଶ୍ୱକପର କାର୍ଯ୍ୟସୂଚୀକୁ ନେଇ ରାଜନୀତି ଆରମ୍ଭ ହୋଇଛି। କଂଗ୍ରେସ ଏବଂ ଟିଏମସି ବ୍ୟତୀତ ଅନ୍ୟ ଅନେକ ବିରୋଧୀ ଦଳ ବିଶ୍ୱକପ କାର୍ଯ୍ୟସୂଚୀକୁ ସମାଲୋଚନା କରିଛନ୍ତି।

ଅକ୍ଟୋବର ୫ରେ ନ୍ୟୁଜିଲ୍ୟାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ଏକ ମ୍ୟାଚ ସହିତ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ। ୧୫ ଅକ୍ଟୋବରରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ ହେବ । ଅନ୍ତିମ ମ୍ୟାଚ ୧୯ନଭେମ୍ବରରେ ଅନୁଷ୍ଠିତ ହେବ। ଓପନିଂ ଏବଂ ଫାଇନାଲ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ।
ଏଥର ମୋହାଲି, ଇନ୍ଦୋର, ଥିରୁଭାନ୍ତପୁରମ ଏବଂ ରାଞ୍ଚି ବିଶ୍ୱକପ ମ୍ୟାଚ ପାଇଁ ହୋଷ୍ଟିଂ ପାଇ ନାହାଁନ୍ତି। ହାଇଦ୍ରାବାଦ, ଅହମ୍ମଦାବାଦ, ଧରମଶାଲା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁନେ, ବେଙ୍ଗାଲୁରୁ, ମୁମ୍ବାଇ ଏବଂ କୋଲକାତାରେ ବିଶ୍ୱକପ ମ୍ୟାଚ ଖେଳାଯିବ। ଏବେ ଏହାକୁ ନେଇ ବିବାଦ ଆରମ୍ଭ ହେଉଛି ।
କଂଗ୍ରେସ ନେତା ଶଶି ଥରୁର କହିଛନ୍ତି ଯେ ଥିରୁଭାନ୍ତପୁରମ ହେଉଛି ଏକ ସ୍ପୋର୍ଟସ ହବ। ଏହାକୁ ଭାରତର ଶ୍ରେଷ୍ଠ କ୍ରିକେଟ ଷ୍ଟାଡିୟମ ମଧ୍ୟ କୁହାଯାଏ, କିନ୍ତୁ ଥିରୁଭାନ୍ତପୁରମ ଷ୍ଟାଡିୟମ ତାଲିକାରୁ ହଜିଯାଇଛି। ଅହମ୍ମଦାବାଦ ଦେଶର ନୂଆ କ୍ରିକେଟ ରାଜଧାନୀ ପାଲଟିଛ।
ତ୍ରୁଣମୂଳ କଂଗ୍ରେସ (ଟିଏମସି) ମଧ୍ୟ ଏଥିରେ ଖୋଳତାଡ଼ କରିଛି। ଟିଏମସି ନେତା ସାକେତ ଗୋଖଲେ କହିଛନ୍ତି ଯେ ବିସିସିଆଇ ସଚିବ ତଥା ଅମିତ ଶାହାଙ୍କ ପୁଅ ଜୟ ଶାହା ସର୍ବଦା ସୁନିଶ୍ଚିତ କରନ୍ତି ଯେ ଗୁଜୁରାଟକୁ ଅନ୍ୟ ରାଜ୍ୟ ଅପେକ୍ଷା ପ୍ରାଥମିକତା ଦିଆଯାଉଛି।
ଅନ୍ୟପକ୍ଷରେ ପଞ୍ଜାବର କ୍ରୀଡ଼ା ମନ୍ତ୍ରୀ କହିଛନ୍ତି ଯେ କ୍ରିକେଟ ବିଶ୍ୱକପ ଆୟୋଜନରୁ ମୋହାଲିକୁ ବାଦ ଦିଆଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କ୍ରୀଡ଼ା ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ପଞ୍ଜାବ ଦେଶକୁ ମହାନ ଖେଳାଳି ଦେଇଛି। ମୋହାଲି ଷ୍ଟାଡିୟମ ଦୁନିଆର ଶୀର୍ଷ ଷ୍ଟାଡିୟମ ମଧ୍ୟରୁ ଅନ୍ୟତମ। ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ନେତୃତ୍ୱରେ ସରକାର ବିସିସିଆଇ ସହିତ ଏହି ପ୍ରସଙ୍ଗ ଉଠାଇବେ।

Share