ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ ପାଇଁ କ୍ଷେତ୍ର ପ୍ରସ୍ତୁତ। ଗୁରୁବାରଠାରୁ ଆରମ୍ଭ ହେବ କ୍ରିକେଟ ମହାସମର। ୧୦ ଦଳ ମଧ୍ୟରେ ହେବ ଟକ୍କର। ଭାରତର ୧୦ ଗ୍ରାଉଣ୍ଡରେ ନଭେମ୍ବର ୧୯ ପର୍ଯ୍ୟନ୍ତ ହେବ ୪୮ ମ୍ୟାଚ। ଅହମଦାବାଦସ୍ଥିତ ବିଶ୍ୱର ସର୍ବବୃହତ୍ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ ଆୟୋଜନ ହେବ। ପ୍ରଥମ ମ୍ୟାଚରେ ପରସ୍ପରର ସମ୍ମୁଖୀନ ହେବେ ଗତଥରର ଚାମ୍ପିୟନ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ। ୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରୁ ଭାରତ ଏହାର ଅଭିଯାନ ଆରମ୍ଭ କରିବ। ରୋହିତ ଶର୍ମା, ଟେମ୍ବା ବଭୁମା, ପ୍ୟାଟ୍ କୁମିନ୍ସ, ସ୍କଟ ଏଡଓ୍ବାଡର୍ସ, କେନ୍ ଓ୍ବିଲିୟମସନ, ହଶମତୁଲ୍ଲା ଶାହିଦି, ଜୋଶ ବଟଲର, ବାବର ଆଜମ, ଦସୁନ ଶନକା ଓ ଶକିବ ଅଲ୍ ହାସନ ୧୦ ଦଳର ନେତୃତ୍ୱ ନେବେ। ୧୯୮୩ରେ କପିଳ ଦେବ ଓ ୨୦୧୧ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ବିଶ୍ୱକପ ଜିତିଥିଲା। ଏଥର ଘରୋଇ ପରିବେଶରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ସେହି ସଫଳତା ପାଇବା ନେଇ କ୍ରିକେଟପ୍ରେମୀ ଆଶା ରଖିଛନ୍ତି।
ଭାରତ ଫେଭରାଇଟ୍
ଭାରତରେ ଖେଳାଯିବ ଦିନିକିଆ କ୍ରିକେଟ ବିଶ୍ୱକପ ୨୦୨୩। ଭାରତର ୧୦ଟି ଭେନ୍ୟୁରେ ଏହି ମେଗା ଇଭେଣ୍ଟ ଆୟୋଜିତ ହେବ। ଏସିଆ କପ୍ରେ ଭାରତୀୟ ଦଳ ଚାମ୍ପିୟନ ହେବା ସହିତ ବିଶ୍ୱକପ ପାଇଁ ଦୃଢ ଦାବିଦାରୀ ସ୍ଥାପନ କରିଛି ରୋହିତ ଶର୍ମାଙ୍କ ଦଳ। ଭାରତୀୟ ଦଳକୁ ଯଶପ୍ରୀତ୍ ବୁମ୍ରା, ଲୋକେଶ ରାହୁଲ ଓ ଶ୍ରେୟସ ଆୟର ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ମଧ୍ୟକ୍ରମ ବ୍ୟାଟିଂକୁ ନେଇ ଚିନ୍ତାରେ ରହିଛି ଭାରତୀୟ ମ୍ୟାନେଜମେଣ୍ଟ। ରୋହିତ ଶର୍ମାଙ୍କ ଦଳର ଶକ୍ତି, ସାମର୍ଥ୍ୟ ଓ ଦୁର୍ବଳତାକୁ ନେଇ ଉପସ୍ଥାପନା…
ଶକ୍ତି: ଭାରତୀୟ ଦଳର ବ୍ୟାଟିଂ ଲାଇନ୍ଅପ୍ ବେଶ ଶକ୍ତିଶାଳୀ ରହିଛି। ରୋହିତ ଶର୍ମା, ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ୍ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜଙ୍କୁ ନେଇ ଭାରତର ବ୍ୟାଟିଂ ବିଶ୍ୱର ଯେ କୌଣସି ବୋଲିଂ ଲାଇନ୍ଅପ୍କୁ ଧ୍ୱସ୍ତ କରିବା ପାଇଁ ଯଥେଷ୍ଟ। ଏପରିକି ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଶନଙ୍କ ପରି ଖେଳାଳିଙ୍କୁ ଦଳରୁ ବାହାରେ ବସିବାକୁ ପଡିବ। ଉଭୟ ଖେଳାଳି ମଧ୍ୟକ୍ରମରେ କୌଣସି ବି ଖେଳାଳିଙ୍କୁ ରିପ୍ଲେସ୍ କରି ପାରିବେ। ଭାରତୀୟ ପିଚ୍ ଗୁଡିକ ବ୍ୟାଟିଂ ସହାୟକ ହୋଇଥିବା ବେଳେ ଲମ୍ବା ବ୍ୟାଟିଂ ଲାଇନ୍ଅପ୍ ବଡ ସ୍କୋର କରିବାରେ ସହାୟତା କରିବ। ଓପନର ଶୁବମନ ଗିଲ୍ ବିଗତ ଏକ ବର୍ଷ ମଧ୍ୟରେ ୧୨୦୦ରୁ ଅଧିକ ରନ୍ ସ୍କୋର କରିଛନ୍ତି। ଏହା ସହିତ ଏସିଆ କପ୍ରେ ପାକିସ୍ତାନ ବିପକ୍ଷରେ ଶତକ ହାସଲ କରିବା ସହିତ ଫର୍ମ ଓ ଫିଟନେସକୁ ଫେରିଛନ୍ତି ଲୋକେଶ ରାହୁଲ।
ଦୁର୍ବଳତା : ଭାରତୀୟ ସ୍ପିନ୍ ବୋଲିଂ ଡିପାର୍ଟମେଣ୍ଟ ସାମାନ୍ୟ ଦୁର୍ବଳ ମନେ ହେଉଛି। କାଗଜ କଲମରେ ଭାରତୀୟ ବୋଲିଂ ଆକ୍ରମଣ ଶକ୍ତିଶାଳୀ ମନେ ହେଉଥିଲେ ହେଁ ବ୍ୟାଟିଂ ଅନୁକୂଳ ପିଚ୍ରେ ଜାଡେଜା-ଅଶ୍ୱିନ କିଭଳି ପ୍ରଦର୍ଶନ କରିବେ ତାହାକୁ ନେଇ ଆଶଙ୍କା ରହିଛି। କୁଲଦୀପ ଯାଦବ ସମସ୍ତ ମ୍ୟାଚ୍ରେ ଖେଳିବାର ସମ୍ଭାବନା ରହିଛି। ତେବେ ଲମ୍ବା ଟୁର୍ନାମେଣ୍ଟ ରହିଥିବାରୁ ସେ ଆହତ ହେଲେ ଅଥବା ଫର୍ମ ହରାଇଲେ ଏହା ଭାରତ ପାଇଁ ବୁମେରାଙ୍ଗ ସାବ୍ୟସ୍ତ ହେବ। ଉଭୟ ଅଶ୍ୱିନ୍ ଓ ଜାଡେଜା ବୋଲିଂ ସହାୟକ ପିଚ୍ରେ ଚମତ୍କାର ପ୍ରଦର୍ଶନ କରିବେ ମାତ୍ର ବ୍ୟାଟିଂ ସହାୟକ ପିଚ୍ରେ ଉଭୟଙ୍କ ପ୍ରଦର୍ଶନ ଆଭରେଜ ରହିଥାଏ। ଉଭୟ ଟେଷ୍ଟରେ ଭଲ ବ୍ୟାଟିଂ କରୁଥିବା ବେଳେ ଦିନିକିଆରେ କିନ୍ତୁ ଏହା ସମ୍ପୂର୍ଣ୍ଣ ବିପରୀତ ରହିଛି।
ସୁଯୋଗ : ଘରୋଇ ମାଟିରେ ଖେଳୁଥିବାରୁ ବିଶ୍ୱକପ ଜିତିବା ପାଇଁ ଭାରତୀୟ ଦଳ ନିକଟରେ ଏହା ସବୁଠାରୁ ଭଲ ସୁଯୋଗ ରହିଛି। ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପରି ଖେଳାଳିଙ୍କ ନିକଟରେ ରନ୍ ସ୍କୋର କରିବାର ସୁଯୋଗ ରହିଛି। ବିରାଟ କୋହଲି ଦିନିକିଆରେ ୪୭ ଶତକ ହାସଲ କରିଥିବା ବେଳେ ସଚିନ୍ ତେନ୍ଦୁଲକରଙ୍କୁ ଅତିକ୍ରମ କରିବାର ସୁଯୋଗ ରହିଛି।
ବିପଦ: ଭାରତୀୟ ଦଳରେ ଏକାଧିକ ବିକଳ୍ପ ହିଁ ବିପଦର ମୁଖ୍ୟ କାରଣ ଅଟେ। ବୋଲିଂ ଆକ୍ରମଣକୁ ନେଇ କିଛି ଦ୍ୱନ୍ଦ୍ୱ ନ ଥିବା ବେଳେ ଏହା ପିଚ୍ ଅନୁସାରେ ପରିବର୍ତ୍ତିତ ହେବ। ଇଶାନ କିଶନଙ୍କ ଅପେକ୍ଷା ଶ୍ରେୟସ ଆୟରଙ୍କୁ ପ୍ରାଥମିକତା ମିଳିବ। ଅନ୍ୟ ପକ୍ଷରେ ଉଇକେଟ କିପର ଭାବରେ ଲୋକେଶ ରାହୁଲଙ୍କୁ ଖେଳାଇବ ମ୍ୟାନେଜମେଣ୍ଟ। ଏହା ମଧ୍ୟରୁ ଗୋଟିଏ ବି କମ୍ବିନେଶନ ବିଫଳ ହେଲେ ମ୍ୟାନେଜମେଣ୍ଟ ପାଇଁ ମୁଣ୍ଡବିନ୍ଧାର କାରଣ ହେବ। କିଶନଙ୍କୁ ବାଦ ଦେବା ଦ୍ୱାରା ଯେଉଁ ବାମ ଡାହାଣ ସନ୍ତୁଳନ ରହିବା କଥା ତାହାର ମଧ୍ୟ ଅଭାବ ଅନୁଭୂତ ହେବ। ରାହୁଲ ଓ ଆୟରଙ୍କ ମଧ୍ୟରୁ ଜଣେ ବିଫଳ ହେଲେ ପୁନର୍ବାର ଭାରତୀୟ ବ୍ୟାଟିଂ ଲାଇନ୍ଅପ୍ ଧରାଶାୟୀ ହେବାର ସମ୍ଭାବନା ରହିଛି।
ରେକଡର୍ସ
ସର୍ବାଧିକ ରନ୍: ସଚିନ ତେନ୍ଦୁଲକର-୨୨୭୮ (୧୯୯୨-୨୦୧୧)
ସର୍ବାଧିକ ଆଭରେଜ (ଅତିକମ୍ରେ ୧୦ ଇନିଂସ): ଲାନ୍ସ କ୍ଲୁଜନର -୧୨୪.୦୦ (୧୯୯୯-୨୦୦୩)
ସର୍ବାଧିକ ସ୍କୋର: ମାର୍ଟିନ ଗୁପଟିଲ ବନାମ ଓ୍ବେଷ୍ଟଇଣ୍ଡିଜ-୨୩୭ (୨୦୧୫)
ସର୍ବାଧିକ ପାର୍ଟନରଶିପ୍: କ୍ରିସ୍ ଗେଲ୍ ଓ ମାର୍ଲୋନ ସାମୁଏଲ୍ସ (ଦ୍ୱିତୀୟ ଉଇକେଟ) ବନାମ ଜିମ୍ବାଓ୍ବେ-୩୭୨ (୨୦୧୫
ଗୋଟିଏ ବିଶ୍ୱକପରେ ସର୍ବାଧିକ ରନ: ସଚିନ ତେନ୍ଦୁଲକର-୬୭୩ (୨୦୦୩)
ସର୍ବାଧିକ ଶତକ: ରୋହିତ ଶର୍ମା-୬ (୨୦୧୫-୨୦୧୯), ସଚିନ ତେନ୍ଦୁଲକର-୬ (୧୯୯୨-୨୦୧୧)
ଗୋଟିଏ ବିଶ୍ୱକପରେ ସର୍ବାଧିକ ଶତକ: ରୋହିତ ଶର୍ମା-୫ (୨୦୧୯)
ସର୍ବାଧିକ ଉଇକେଟ: ଗ୍ଲେନ ମ୍ୟାକଗ୍ରା-୭୧ (୧୯୯୬-୨୦୦୭)
କମ୍ ଆଭରେଜ (ସର୍ବନିମ୍ନ ୪୦୦ ବଲ୍ ବୋଲିଂ): ମିଚେଲ ଷ୍ଟାର୍କ ୧୪.୮୧ (୨୦୧୫-୨୦୧୯)
ଶ୍ରେଷ୍ଠ ଷ୍ଟ୍ରାଇକ୍ହାର (ଅତିକମ୍ରେ ୨୦ ଉଇକେଟ): ମହମ୍ମଦ ଶାମି-୧୮.୬ (୨୦୧୫-୨୦୧୯)
ଶ୍ରେଷ୍ଠ ଇକୋନୋମି (ଅତିକମ୍ରେ ୧୦୦୦ ବଲ୍ ବୋଲିଂ): ଆଣ୍ଡି ରବଟର୍ସ-୩.୨୪ (୧୯୭୫-୧୯୮୩)
ଶ୍ରେଷ୍ଠ ବୋଲିଂ ଫିଗର: ଗ୍ଲେନ ମ୍ୟାକଗ୍ରା ବନାମ ନାମ୍ବିଆ-୭/୧୫ (୨୦୦୩)
ଗୋଟିଏ ଟୁର୍ନାମେଣ୍ଟରେ ସର୍ବାଧିକ ଉଇକେଟ: ମିଚେଲ ଷ୍ଟାର୍କ-୨୭ (୨୦୧୯)
ସର୍ବାଧିକ ଡିସ୍ମିଶାଲ (ଉଇକେଟ କିପର): କୁମାର ସଙ୍ଗକାରା-୫୪ (୨୦୦୩-୨୦୧୫)
ସର୍ବାଧିକ କ୍ୟାଚ (ଫିଲ୍ଡର): ରିକି ପଣ୍ଟିଂ -୨୮ (୧୯୯୬-୨୦୧୧)
ସର୍ବାଧିକ ଦଳଗତ ସ୍କୋର: ଅଷ୍ଟ୍ରେଲିଆ ବନାମ ଆଫଗାନିସ୍ତାନ-୪୧୭/୬ (୨୦୧୫)
ସର୍ବନିମ୍ନ ଦଳଗତ ସ୍କୋର: କାନାଡ଼ା ବନାମ ଶ୍ରୀଲଙ୍କା-୩୬ (୨୦୦୩)
ସର୍ବାଧିକ ବିଜୟ%: ଅଷ୍ଟ୍ରେଲିଆ-୭୪.୭୩%
ସର୍ବାଧିକ କ୍ରମାଗତ ବିଜୟ: ଅଷ୍ଟ୍ରେଲିଆ -୨୭ (୨୦ ଜୁନ ୧୯୯୯-୧୯ ମାର୍ଚ୍ଚ ୨୦୧୧, ଗୋଟିଏ ବିନା ଫଳାଫଳକୁ ବାଦ୍ ଦିଆଯାଇଛି)
ସର୍ବାଧିକ କ୍ରମାଗତ ଟୁର୍ନାମେଣ୍ଟ ବିଜୟ: ଅଷ୍ଟ୍ରେଲିଆ-୩ (୧୯୯୯-୨୦୦୭)
୧୦ ଷ୍ଟାଡିୟମ
ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମ, ଅହମଦାବାଦ।
ସ୍ଥାପନା: ୧୯୮୨
ଦର୍ଶକ କ୍ଷମତା: ୧,୩୨,୦୦୦
ମ୍ୟାଚ୍ ସଂଖ୍ୟା: ୫(ଫାଇନାଲ ସମେତ)
ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମ, ହାଇଦ୍ରାବାଦ।
ସ୍ଥାପନା: ୨୦୦୪
ଦର୍ଶକ କ୍ଷମତା: ୩୮,୦୦୦
ମ୍ୟାଚ୍ ସଂଖ୍ୟା: ୪(୩ ବିଶ୍ୱକପ ଓ ୧ ଓ୍ବାର୍ମ ଅପ୍)
ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ ଷ୍ଟାଡିୟମ, ଧର୍ମଶାଳା।
ସ୍ଥାପନା: ୨୦୦୩
ଦର୍ଶକ କ୍ଷମତା: ୨୩,୦୦୦
ମ୍ୟାଚ୍ ସଂଖ୍ୟା: ୫
ଅରୁଣ ଜେଟ୍ଲୀ ଷ୍ଟାଡିୟମ,ଦିଲ୍ଲୀ।
ସ୍ଥାପନା: ୧୮୮୩
ଦର୍ଶକ କ୍ଷମତା: ୪୮,୦୦୦
ମ୍ୟାଚ୍ ସଂଖ୍ୟା: ୫
ଏମ୍. ଏ. ଚିଦାମ୍ବରମ ଷ୍ଟାଡିୟମ, ଚେନ୍ନାଇ।
ଦର୍ଶକ କ୍ଷମତା: ୫୫,୦୦୦
ମ୍ୟାଚ୍ ସଂଖ୍ୟା: ୫
ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପାୟୀ ଏକାନା କ୍ରିକେଟ ଷ୍ଟାଡିୟମ, ଲକ୍ଷ୍ନୌ।
ସ୍ଥାପନା: ୨୦୧୭
ଦର୍ଶକ କ୍ଷମତା: ୫୦,୦୦୦
ମ୍ୟାଚ୍ ସଂଖ୍ୟା: ୫
ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମ, ପୁଣେ।
ସ୍ଥାପନା: ୨୦୧୧
ଦର୍ଶକ କ୍ଷମତା: ୩୭,୦୦୦
ମ୍ୟାଚ୍ ସଂଖ୍ୟା: ୫
ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମ, ବେଙ୍ଗାଲୁରୁ।
ସ୍ଥାପନା: ୧୯୬୯
ଦର୍ଶକ କ୍ଷମତା: ୪୦,୦୦୦
ମ୍ୟାଚ୍ ସଂଖ୍ୟା: ୫
ଓ୍ବାଙ୍ଖେଡେ ଷ୍ଟାଡିୟମ, ମୁମ୍ବାଇ।
ସ୍ଥାପନା: ୧୯୭୪
ଦର୍ଶକ କ୍ଷମତା: ୩୩,୦୦୦
ମ୍ୟାଚ୍ ସଂଖ୍ୟା: ୫(ପ୍ରଥମ ସେମି ଫାଇନାଲ)।
ଇଡେନ୍ ଗାର୍ଡେନ୍ସ, କୋଲକାତା
ସ୍ଥାପନା: ୧୮୬୪
ଦର୍ଶକ କ୍ଷମତା: ୬୩,୦୦୦
ମ୍ୟାଚ୍ ସଂଖ୍ୟା: ୫(ଦ୍ୱିତୀୟ ସେମି ଫାଇନାଲ)।
ଏମାନଙ୍କ ପାଇଁ ହୋଇପାରେ ଶେଷ ବିଶ୍ୱକପ୍
ବାର ବର୍ଷ ପରେ ଭାରତ ୨୦୨୩ ଦିନିକିଆ ବିଶ୍ୱକପ୍ ଆୟୋଜନ କରିବାକୁ ଯାଉଛି। ଭାରତ ଗତଥର ନିଜ ମାଟିରେ ୨୦୧୧ରେ ଏମ୍.ଏସ୍. ଧୋନୀଙ୍କ ଅଧିନାୟକତ୍ୱରେ ବିଶ୍ୱକପ୍ ଜିତିଥିଲା। ବିଶ୍ୱକପ୍ ଗୁରୁବାରଠାରୁ ଆରମ୍ଭ ହେବ। ସେଦିନ ଅହମଦାବାଦସ୍ଥିତ ବିଶ୍ୱର ସର୍ବବୃହତ୍ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ୨୦୧୯ ବିଶ୍ୱକପ୍ ଫାଇନାଲିଷ୍ଟ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ପରସ୍ପରକୁ ଭେଟିବେ। ଭାରତୀୟ ଦଳ ଏହାର ପ୍ରଥମ ମ୍ୟାଚ ଚେନ୍ନାଇସ୍ଥିତ ଏମ୍.ଏ. ଚିଦାମ୍ବରମ୍ ଷ୍ଟାଡିୟମରେ ୫ଥର ଚାମ୍ପିୟନ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ଦଳ ଅକ୍ଟୋବର ୧୪ରେ ଏହାର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ଅହମଦାବାଦରେ ଖେଳିବ। ଯେଉଁ ଖେଳାଳିମାନଙ୍କର ଏହା ଶେଷ ବିଶ୍ୱକପ୍ ହେବ ବୋଲି ଅନୁମାନ କରାଯାଉଛି ତା’ ଉପରେ ଏକ ନଜର…
ରୋହିତ ଶର୍ମା
ଭାରତୀୟ ଅଧିନାୟକ ରୋହିତ ଶର୍ମା ଦଶନ୍ଧି ଧରି ଭାରତୀୟ ଟପ୍ ଅର୍ଡରର ମେରୁଦଣ୍ଡ ରହି ଆସିଛନ୍ତି। ଖରାପ ଫର୍ମ ଯୋଗୁ ସେ ୨୦୧୧ ବିଶ୍ୱକପ୍ ଖେଳିବାରୁ ବଞ୍ଚତ୍ତ ହୋଇଥିଲେ। ସେ କିନ୍ତୁ ୨୦୧୫ ବିଶ୍ୱକପ୍ ପାଇଁ ମନୋନୀତ ହୋଇଥିଲେ। ୨୦୧୯ରେ ସେ ଉପ ଅଧିନାୟକ ରହିଥିଲେ। ବିଶ୍ୱକପ୍ର ଏହି ସଂସ୍କରଣରେ ସେ ଥିଲେ ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟର। ୨୦୨୭ ପରବର୍ତ୍ତୀ ବିଶ୍ୱକପ୍ ପୂର୍ବରୁ ସେ ହୁଏତ ଅବସର ନେଇଯାଇ ପାରନ୍ତି।
ଡେଭିଡ୍ ଓ୍ବାର୍ନର
ଅଷ୍ଟ୍ରେଲିଆର ଅନ୍ୟତମ ଶ୍ରେଷ୍ଠ ରନ ସ୍କୋରର ବ୍ୟାଟର ହେଉଛନ୍ତି ଡେଭିଡ ଓ୍ବାର୍ନର। ଏହି ବାମହାତୀ ବ୍ୟାଟର ୨୦୧୫ ଓ ୨୦୧୯ ବିଶ୍ୱକପ୍ରେ ଅଷ୍ଟ୍ରେଲିଆରୁ ପ୍ରତିନିଧିତ୍ୱ କରିଥିଲେ। ୨୦୧୯ ବିଶ୍ୱକପ୍ରେ ସେ ଅଷ୍ଟ୍ରେଲିଆର ସର୍ବାଧିକ ରନ ସ୍କୋରର ବିବେଚିତ ହୋଇଥିଲେ। ମୋଟ ଉପରେ ରୋହିତ ଶର୍ମାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଥିଲେ। ସେ ମଧ୍ୟ ଚଳିତବର୍ଷ ପ୍ରାରମ୍ଭରେ ତାଙ୍କ ଅବସର ସମ୍ପର୍କରେ ସୂଚନା ଦେଇଛନ୍ତି।
ରବିଚନ୍ଦ୍ରନ ଅଶ୍ୱିନ
୩ ମାସ ପୂର୍ବେ ଯଦି ଜଣେ କେହି କହିଥାନ୍ତା ଅଶ୍ୱିନ ବିଶ୍ୱକପ୍ ଦଳରେ ସ୍ଥାନ ପାଇବେ, ଅଧିକାଂଶ ହୁଏତ ତାହାକୁ ବିଶ୍ୱାସ କରି ନ ଥାନ୍ତେ। ଆଘାତପ୍ରାପ୍ତ ଅକ୍ଷର ପଟେଲଙ୍କ ସ୍ଥାନରେ ତାଙ୍କୁ ଦଳରେ ସୁଯୋଗ ମିଳିଛି। ସେ ୨୦୧୧ ଓ ୨୦୧୫ ବିଶ୍ୱକପ୍ ଖେଳି ସାରିଛନ୍ତି। କିନ୍ତୁ ୨୦୧୯ ଦଳରେ ତାଙ୍କୁ ସ୍ଥାନ ମିଳି ନ ଥିଲା। ଇଂଲଣ୍ଡ ବିପକ୍ଷ ଓ୍ବାର୍ମଅପ୍ରେ ସେ ସୂଚନା ଦେଇଥିଲେ ଯେ, ସେ ତାଙ୍କ ଶେଷ ବିଶ୍ୱକପ୍ ଖେଳିବାକୁ ଯାଉଛନ୍ତି।
ଶକିବ ଅଲ୍ ହସନ
ବାଂଲାଦେଶ ଅଧିନାୟକ ଶକିବ ଅଲ୍ ହସନ ଚଳିତବର୍ଷ ତାଙ୍କ ଅନ୍ତିମ ବିଶ୍ୱକପ୍ ଖେଳିବାକୁ ଯାଉଛନ୍ତି। ୨୦୦୭, ୨୦୧୧, ୨୦୧୫ ଓ ୨୦୧୯ ବିଶ୍ୱକପ୍ରେ ସେ ଅଂଶଗ୍ରହଣ କରିସାରିଛନ୍ତି। ୨୦୧୧ରେ ଦଳର ନେତୃତ୍ୱ ନେବା ପରେ ପୁଣି ୨୦୨୩ରେ ଅଧିନାୟକ ପଦକୁ ଫେରିବାରେ ସେ ପ୍ରଥମ ଖେଳାଳି। ନିକଟରେ ସେ ତାଙ୍କ ଅବସର ସମ୍ପର୍କରେ ସୂଚନା ଦେଇଛନ୍ତି।
ବେନ୍ ଷ୍ଟୋକ୍ସ
ବିଶ୍ୱକପ୍ ୨୦୧୯ ଫାଇନାଲର ଷ୍ଟାର ଖେଳାଳି ହେଉଛନ୍ତି ବେନ୍ ଷ୍ଟୋକ୍ସ। ଇଂଲଣ୍ଡକୁ ବିଶ୍ୱକପ୍ ଜିତାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଫାଇନାଲରେ ତାଙ୍କର ଖେଳ ଏତେ ପ୍ରଭାବଶାଳୀ ଥିଲା ଯେ ଇଂଲଣ୍ଡ କ୍ରିକେଟ ଦଳର ଅନୁରୋଧକ୍ରମେ ସେ ବିଶ୍ୱକପ୍ ପାଇଁ ଅନ୍ତର୍ଜାତୀୟ ଦିନିକିଆ ଅବସରରୁ ସେ ପୁଣି ଖେଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବିଶ୍ୱକପ୍ ପରେ ସେ ଅନ୍ତର୍ଜାତୀୟ ଦିନିକିଆରୁ ପୁନର୍ବାର ଅବସର ନେଇପାରନ୍ତି।
ମାସ୍କଟ ବ୍ଲେଜ୍, ଟଙ୍କ
କ୍ରିକେଟ ବିଶ୍ୱକପ ପାଇଁ ମାସ୍କଟଙ୍କ ନାମାଙ୍କନ କରାଯାଇଛି। ଲିଙ୍ଗଗତ ସମାନତା ଓ ବିବିଧତାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଦୁଇଟି ମାସ୍କଟ ରଖାଯାଇଛି। ପୁରୁଷ ମାସ୍କଟଟି ଟର୍ବୋ ପାଓ୍ବାର ବ୍ୟାଟ ସହ ବ୍ୟାଟିଂ କରୁଥିବା ବେଳେ ମହିଳା ମାସ୍କଟକୁ ବୋଲିଂର ପ୍ରତୀକ ଭାବରେ ରଖାଯାଇଛି। ପୁରୁଷ ମାସ୍କଟର ନାମ ଟଙ୍କ ରହିଥିବା ବେଳେ ମହିଳା ମାସ୍କଟର ନାମ ବ୍ଲେଜ୍ ରହିଛି। ପ୍ରଥମ ଥର ପାଇଁ ଆଇସିସି ପକ୍ଷରୁ ଫ୍ୟାନ୍ମାନଙ୍କ ଭୋଟିଂ ଜରିଆରେ ମାସ୍କଟର ଡିଜାଇନ୍ ପ୍ରସ୍ତୁତ କରାଯାଇଥିଲା। ମ୍ୟାଚ୍ ଦିନଗୁଡ଼ିକରେ ଷ୍ଟାଡିୟମରେ ଉପସ୍ଥିତ ରହି ଏହି ମାସ୍କଟମାନେ ଦର୍ଶକଙ୍କ ମନୋରଞ୍ଜନ କରିବେ।
ଚାମ୍ପିୟନ ଦଳକୁ ୪ ଲକ୍ଷ ଡଲାର
କ୍ରିକେଟ ବିଶ୍ୱକପ ୨୦୨୩ର ବିଜେତା ଦଳକୁ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ୍ ପକ୍ଷରୁ ୪ ଲକ୍ଷ ଡଲାର ଅର୍ଥରାଶି ପୁରସ୍କାର ଆକାରରେ ପ୍ରଦାନ କରାଯିବ। ରନର ଅପ୍ ଦଳକୁ ୨ ଲକ୍ଷ ଡଲାର ଅର୍ଥରାଶି ଦିଆଯିବାକୁ ଥିବା ବେଳେ ସେମି ଫାଇନାଲର ଦୁଇ ପରାଜିତ ଦଳଙ୍କୁ ୮୦ ହଜାର ଡଲାର ଲେଖାଏ ପ୍ରଦାନ କରାଯିବ। ଲିଗ୍ ଷ୍ଟେଜ୍ରୁ ବିଦାୟ ନେଇଥିବା ୬ ଦଳକୁ ୧ ଲକ୍ଷ ଡଲାର ଲେଖାଏ ପ୍ରଦାନ କରାଯିବ।ସେହିପରି ଲିଗ୍ ପର୍ଯ୍ୟାୟରେ ପ୍ରତି ମ୍ୟାଚର ବିଜେତାକୁ ୪୦ ହଜାର ଡଲାର ପ୍ରଦାନ କରାଯିବ। ସମୁଦାୟ ବିଶ୍ୱକପ ପାଇଁ ୧୦ ଲକ୍ଷ ଡଲାରର ପୁରସ୍କାର ରାଶି ଘୋଷଣା କରାଯାଇଛି।