Categories: ଖେଳ

ତୁମ ସମୟ ଆସିବାକୁ ଯାଉଛି… ନିଜ ଶିଷ୍ୟଙ୍କ ପ୍ରଶଂସାରେ ଶତମୁଖ ହେଲେ ସିକ୍ସର କିଙ୍ଗ୍‌

ନୂଆଦିଲ୍ଲୀ,୯।୫: ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ୧୬୭ ରନ୍‌ର ବିଜୟ ଲକ୍ଷ୍ୟ କେବଳ ୫୮ ବଲ୍‌ରେ ହାସଲ କରିନେଇଥିଲା। ଏହି ମୁକାବିଲାରେ ହାଇଦ୍ରାବାଦର ଓପନିଂ ଯୋଡ଼ି ଏଭଳି ବ୍ୟାଟିଂ କରିଥିଲେ ଯେ ସଚିନ ତେନ୍ଦୁଲକର ଚକିତ ହୋଇଥିଲେ। ପ୍ରଥମେ ବ୍ୟାଟିଂ କରିଥିଲେ ନିଶ୍ଚିତ ଟି୨୦ ଇତିହାସରେ ୩୦୦ ରନ୍‌ର ସ୍କୋର ଛିଡ଼ା ହୋଇଥାନ୍ତା ବୋଲି କହିଥଲେ। ଅଭିଷେକ ଶର୍ମା ଏବଂ ଟ୍ରାଭିସ୍‌ ହେଡ୍‌ଙ୍କ ଯୋଡ଼ି ଲକ୍ଷ୍ନୌର ପ୍ରତିଟି ବୋଲରଙ୍କୁ ଘାଇଲା କରିଥିଲେ। ଅଭିଷେକ ୨୮ ବଲ୍‌ରେ ୭୫ ଏବଂ ହେଡ୍‌ ୩୦ ବଲ୍‌ରେ ୮୯ ରନ୍‌ର ଇନିଂସ ଖେଳିଥିଲେ। ହେଡ୍‌ ଗତ କିଛି ବର୍ଷ ଧରି ବିସ୍ଫୋରକ ବ୍ୟାଟିଂ କରି ଆସୁଥିବା ଯୋଗୁ ଚର୍ଚ୍ଚାରେ ରହିଛି ଅନ୍‌କ୍ୟାପ୍‌ଡ ଖେଳାଳି ଅଭିଷେକଙ୍କ ବ୍ୟାଟିଂ।

ମ୍ୟାଚ୍‌ ପରେ ଅଭିଷେକ ନିଜର ଗୁରୁ ତଥା ସିକ୍ସର କିଙ୍ଗ ଯୁବରାଜ ସିଂହଙ୍କ ସମେତ ବ୍ରାଏନ ଲାରା ଏବଂ ବାପାଙ୍କୁ ଏହି ଇନିଂସର ଶ୍ରେୟ ଦେଇଥିଲେ। ତେବେ ପ୍ରଶଂସକଙ୍କ ସମେତ ଅନେକେ ପୂର୍ବତନ ଖେଳାଳି ଅଭିଷେକଙ୍କଠାରେ ଯୁବରାଜଙ୍କ ଝଲକ ନଜର ଆସୁଥିବା କୁହନ୍ତି।

ତେବେ ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍‌ରେ ପ୍ରଦର୍ଶନକୁ ନେଇ ଯୁବରାଜ ଅଭିଷେକଙ୍କ ପ୍ରଶଂସା କରିଛନ୍ତି। ନିଜର ଏକ୍ସ ହ୍ୟାଣ୍ଡେଲରେ ସେ ଲେଖିଛନ୍ତି, ସାବାସ ଅଭିଷେକ, ତୁମର ସମୟ ଆସିବାକୁ ଯାଉଛି।

କିଛି ଦିନ ପୂର୍ବେ ଅଭିଷେକଙ୍କୁ ଟି୨୦ ବିଶ୍ୱକପରେ ସାମିଲ କରା ନ ଯିବାକୁ ନେଇ ଯୁବରାଜଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଜବାବରେ ଅଭିଷେକ ସେଥିଲାଗି ପ୍ରସ୍ତୁତ ନୁହନ୍ତି ବୋଲି ସେ କହିଥିଲେ। ହେଲେ ଏବେ ଯୁବରାଜ ତାଙ୍କ ସମୟ ଆସୁଛି ବୋଲି କହିବା ଆଳରେ ଟିମ ଇଣ୍ଡିଆରେ ତାଙ୍କୁ ସୁଯୋଗ ବିଷୟ କହିଛନ୍ତି।

Share