Categories: ଖେଳ

ସନ୍ୟାସ ପରେ ବି ପୁଣି ମ୍ୟାଚ୍‌କୁ ଫେରିବେ କାର୍ତ୍ତିକ୍‌, ଏହି ମ୍ୟାଚ୍‌ରେ ଆସିବେ ନଜର

ନୂଆଦିଲ୍ଲୀ, ୦୬।୦୮: ଭାରତୀୟ ଦଳର ପୂର୍ବତନ ଖେଳାଳି ତଥା ୱିକେଟ କିପର ଦୀନେଶ କାର୍ତ୍ତିକ ଆଇପିଏଲ ୨୦୨୪ ସିଜନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ପାଇଁ ଖେଳିବା ପରେ ଅବସର ଘୋଷଣା କରିଥିଲେ। ବର୍ତ୍ତମାନ କାର୍ତ୍ତିକଙ୍କୁ ଅନ୍ତର୍ଜାତୀୟ ଟି-୨୦ ଲିଗରେ ନଜର ଆସିବେ । ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଦକ୍ଷିଣ ଆଫ୍ରିକାର ଫ୍ରାଞ୍ଚାଇଜ ଆଧାରିତ ଟି-୨୦ ଲିଗ ଏସ୍‌ଏ୨୦ ରେ ପାରଲ ରୟାଲ୍ସ ଦଳ ପକ୍ଷରୁ ସେ ଖେଳିବେ। ଏହି ଟି-୨୦ ଲିଗର ପରବର୍ତ୍ତୀ ସିଜିନ ୨୦୨୫ ଜାନୁଆରୀ ୯ ରୁ ଖେଳାଯିବ । ଯେଉଁଥିରେ କାର୍ତ୍ତିକ ବିଦେଶୀ ଖେଳାଳି ଭାବରେ ରୟାଲ୍ସ ଦଳରେ ରହିବେ ।

ଏସ୍‌ଏ୨୦ରେ ଖେଳିଥିବା ଭାରତର ପ୍ରଥମ ଖେଳାଳି ଦୀନେଶ କାର୍ତ୍ତିକ ହେବେ। ଆଇପିଏଲର ୧୭ ତମ ସିଜନ ଶେଷ ହେବା ପରେ ସେ ତାଙ୍କ ଜନ୍ମଦିନରେ ଅବସର ଘୋଷଣା କରିଥିଲେ । ଦୀନେଶ କାର୍ତ୍ତିକ ଭାରତୀୟ ଦଳ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୧୮୦ଟି ମ୍ୟାଚ ଖେଳିଛନ୍ତି। ଏଥି ସହିତ, ଆରସିବି ଦଳ ତାଙ୍କୁ ୨୦୨୫ ଆଇପିଏଲ ସିଜିନ୍‌ ପାଇଁ ନିଜ ଦଳର ମେଣ୍ଟର ତଥା ବ୍ୟାଟିଂ କୋଚ ଭାବରେ ନିଯୁକ୍ତ କରିଛି।

ଟି-୨୦ କ୍ରିକେଟରେ ଦୀନେଶ କାର୍ତ୍ତିକ ମୋଟ ୪୦୧ଟି ମ୍ୟାଚ ଖେଳିଛନ୍ତି। ସେ ଆଇପିଏଲର ସମସ୍ତ ୧୭ ଟି ସିଜନରେ ଅଂଶଗ୍ରହଣ କରିଛନ୍ତି । ଯେଉଁଥିରେ ସେ ସମୁଦାୟ ୬ ଟି ଦଳ ପକ୍ଷହରୁ ଖେଳିଛନ୍ତି । ସେ କୋଲକାତା ନାଇଟ ରାଇଡର୍ସ ଦଳର ଅଧିନାୟକ ରହିଥିଲେ ।

Share