Categories: ଖେଳ

କ୍ରିକେଟର୍‌ କେଦାର ଯାଦବଙ୍କ ନିଖୋଜ ପିତା ସୁରକ୍ଷିତ ଉଦ୍ଧାର

ନୂଆଦିଲ୍ଲୀ,୨୮।୩: ଭାରତୀୟ କ୍ରିକେଟର କେଦାର ଯାଦବଙ୍କ ପିତା ମହାଦେବ ଯାଦବ ମହାରାଷ୍ଟ୍ରର ପୁଣେସ୍ଥିତ ଘରୁ ନିଖୋଜ ହୋଇଯାଇଥିଲେ। ଅଭିଯୋଗ ପାଇବା ପରେ ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ଏବଂ କିଛି ଘଣ୍ଟା ମଧ୍ୟରେ ପୁଣେ ସହରର ମୁଣ୍ଡୱା ଅଞ୍ଚଳରୁ ତାଙ୍କ ସନ୍ଧାନ ମିଳିଥିଲା। ମହାଦେବ ସୁରକ୍ଷିତ ଥିବା ପୁଣେ ପୋଲିସ ସୂଚନା ଦେଇଛି।
ମହାଦେବ ଯାଦବ ପୁଣେର କୋଥ୍ରୋଡ ଅଞ୍ଚଳରୁ ୨୭ ମାର୍ଚ୍ଚ ସକାଳ ୧୧:୩୦ରୁ ନିଖୋଜ ଅଛନ୍ତି। ତାଙ୍କ ଫୋନ ମଧ୍ୟ ସୁଇଚ ଅଫ ଥିଲା। ଏହା ପରେ ସମ୍ପର୍କୀୟମାନେ ପୋଲିସ ନିକଟରେ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ।
କେଦାର ଯାଦବ ୨୦୧୪ରେ ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ। ସେ ୧୬ ନଭେମ୍ବର ୨୦୧୪ରେ ରାଞ୍ଚିରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଦିନିକିଆ ଖେଳିଥିଲେ। ୭୩ଟି ଦିନିକିଆରେ ଯାଦବ ହାରାହାରି ୪୨.୦୯ରେ ୧୩୮୯ ରନ ସଂଗ୍ରହ କରିଥିଲେ। ଏହି ସମୟ ମଧ୍ୟରେ ସେ ଦୁଇଟି ଶତକ ଏବଂ ଛଅ ଅର୍ଦ୍ଧଶତକ ହାସଲ କରିଥିଲେ। ଯାଦବ ମଧ୍ୟ ୨୭ଟି ଉଇକେଟ ନେଇଥିଲେ।

Share