ଢାକା,୨୦।୪: ବାଂଲାଦେଶର ପୂର୍ବତନ ବାମହାତୀ ସ୍ପିନର ମୁଶରଫ ହୁସେନ ରୁବେଲ ଆଉ ନାହାନ୍ତି। ୪୦ ବର୍ଷ ବୟସରେ ତାଙ୍କ ପରଲୋକ ଘଟିଛି। ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି) ଏନେଇ ଟୁଇଟ୍ କରି ସୂଚନା ଦେଇଛି।
ଦୀର୍ଘଦିନରୁ ମସ୍ତିଷ୍କ କର୍କଟ ସହ ଲଢ଼େଇ କରୁଥିଲେ ରୁବେଲ। ୨୦୧୯ ମାର୍ଚ୍ଚରେ ସେ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ପରେ ସେ ଏହି ରୋଗରୁ ସୁସ୍ଥ ହୋଇଥିଲେ। ହେଲେ ୨୦୨୦ ନଭେମ୍ବରରେ ପୁଣିଥରେ ତାଙ୍କର ଟ୍ୟୁମର ହୋଇଥିବା ଜଣାପଡ଼ିଥିଲା। ସେବେଠାରୁ ପୁଣି ତାଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା। ନିକଟରେ ସେ କେମୋଥେରାପି ନେଇ ଘରକୁ ଫେରିଥିଲେ। ହେଲେ ଏହି ରୋଗ ସହ ଲଢ଼େଇରେ ସେ ହାରିଯାଇଛନ୍ତି ବୋଲି ବିସିବି ପକ୍ଷରୁ କୁହାଯାଇଛି। ରୁବେଲଙ୍କ ମୃତ୍ୟୁ ପରେ ପରିବାରରେ ସ୍ତ୍ରୀ ଏବଂ ଏକମାତ୍ର ସନ୍ତାନ ଏକାକି ହୋଇଯାଇଛନ୍ତି। ଉଭୟଙ୍କୁ ବୋର୍ଡ ସମବେଦନା ଜଣାଇଛି।
୧୯୮୧ରେ ଢାକାରେ ଜନ୍ମଗ୍ରହଣ କରିଥିବା ହୁସେନ ୨୦୦୮ରୁ ୨୦୧୬ ଯାଏ ବାଂଲାଦେଶ ପାଇଁ ୫ ଦିନିକିଆ ଖେଳିଥିଲେ। ଏହାଛଡ଼ା ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ୩୦୦୦ ରନ୍ ଏବଂ ୩୦୦ ଉଇକେଟ ନେବାର ଉପଲବ୍ଧି ହାସଲ କରିଥିଲେ।