ନେପାଳ-ବାଂଲାଦେଶକୁ କନ୍ଦାଉଛି ପିଆଜ: କିଲୋ ୧୫୦ ଟପିଲା

ଢାକା/ କାଠମାଣ୍ଡୁ, ୧୭।୯: ଭାରତରେ ପିଆଜ ଦାମରେ ନିୟନ୍ତ୍ରଣ ଆଣିବା ଲାଗି କେନ୍ଦ୍ର ସରକାର ଏହାର ରପ୍ତାନୀ ବନ୍ଦ କରିଛନ୍ତି। ଏହାର ପ୍ରଭାବ ଭାରତର ପଡ଼ୋଶୀ ନେପାଳ ଏବଂ ବାଂଲାଦେଶ ଉପରେ ପଡ଼ିଛି। ଏଠାରେ ଏବେ ପିଆଜ ଦାମ କିଲୋ ପିଛା ୫ ଗୁଣା ବଢ଼ିଛି। ପୂର୍ବରୁ ଏଠାରେ ୨୦ରୁ ୩୦ ଟଙ୍କାରେ ମିଳୁଥିବା ପିଆଜ ଏବେ ୧୫୦ ଟଙ୍କା ଟପିଛି। ବାଂଲାଦେଶ ପକ୍ଷରୁ ପିଆଜ ରପ୍ତାନୀ ଲାଗି ଭାରତକୁ ଅନୁରୋଧ କରାଯାଇଛି। ୨୦୨୦ ଜାନୁୟାରୀ ୧୫-୧୬ରେ ଭାରତ ବାଂଲାଦେଶ ମଧ୍ୟରେ ହୋଇଥିବା ବାଣିଜ୍ୟ ମନ୍ତ୍ରଣାଳୟର ସଚିବସ୍ତରୀୟ ବୈଠକରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ରପ୍ତାନୀ ଲାଗି ଚୁକ୍ତି ହୋଇଥିଲା। ଏହାକୁ ମନେ ପକାଇ ବାଂଲାଦେଶ ପିଆଜ ରପ୍ତାନୀ କରିବାକୁ ଭାରତକୁ ଅନୁରୋଧ କରିଛି। ଭାରତ ପିଆଜ ରପ୍ତାନୀ ବନ୍ଦ କରିବା ଯୋଗୁ ନେପାଳରେ ମଧ୍ୟ ସ୍ଥିତି ଖରାପ ହେବାରେ ଲାଗିଛି। ଏଠାରେ ପିଆଜ କଳାବଜାରୀ ଆରମ୍ଭ ହୋଇଛି। ଗୁରୁବାର ସ୍ଥାନୀୟ କୃଷି ଉତ୍ପାଦ ବଜାର ତିନକୁନେମାରେ ପିଆଜ କିଲୋ ପିଛା ଦାମ ୧୫୦ ଟଙ୍କା ଟପିଥିବା କୁହାଯାଉଛି। ପୂର୍ବରୁ ଏହା ୧୨୦ ଟଙ୍କା ଥିଲା। ସୂଚନାଯୋଗ୍ୟ, ଦକ୍ଷିଣ ଏସିଆରେ ଭାରତରେ ସର୍ବାଧିକ ପିଆଜ ଉତ୍ପାଦନ ହୋଇଥାଏ। ଭାରତର ପିଆଜ ଶ୍ରୀଲଙ୍କା, ମାଲେସିଆ, ନେପାଳ ଏବଂ ବାଂଲାଦେଶକୁ ରପ୍ତାନୀ ହୋଇଥାଏ।

Share