Advertisement

ପାଉଁଶ ତଳରୁ ଖିଅ ଖୋଜୁଛି କ୍ରାଇମ୍‌ବ୍ରାଞ୍ଚ

ରାୟଗଡ଼ା,୩୧।୧୨(ସ୍ବ.ପ୍ର.): ରାୟଗଡ଼ାରେ ରୁଷିଆ ନାଗରିକଙ୍କ ମୃତ୍ୟୁକୁ ନେଇ କ୍ରାଇମବ୍ରାଞ୍ଚ ଦ୍ୱିତୀୟ ଦିନରେ ତଦନ୍ତ ଜୋରଦାର କରି ଖୋଳତାଡ଼ ଆରମ୍ଭ କରିଛି। ଶନିବାର ଶିରିକଣାସ୍ଥିତ ଶ୍ମଶାନକୁ ଯାଇ କ୍ରାଇମ୍‌ବ୍ରାଞ୍ଚ ପ୍ରମାଣ ସଂଗ୍ରହ କରିଛି। କ୍ରାଇମବ୍ରାଞ୍ଚ ଡିଏସ୍‌ପି ସରୋଜକାନ୍ତ ମହାନ୍ତଙ୍କ ନେତୃତ୍ୱରେ ଆସିଥିବା ୧୨ ଜଣିଆ ଟିମ୍‌ ଶନିବାର ରାୟଗଡା ଥାନା ଓ ଶ୍ମଶାନ ଯାଇ ଅନୁସନ୍ଧାନ କରିଛନ୍ତି। ଏଥିରେ ସାଇଣ୍ଟିିଫିକ୍‌ ଓ ଫରେନସିକ୍‌ ଟିମ୍‌ ମଧ୍ୟ ରହିଛନ୍ତି। କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ ସ୍ଥାନୀୟ ପୋଲିସ ସହିତ ସାକ୍ଷାତ କରି ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି। ଏଥିସହ ଶ୍ମଶାନରେ ଦୁଇ ମୃତକଙ୍କ ପାଉଁଶରୁ ହାଡ ଓ ଶରୀରର ଅନ୍ୟ ଅଂଶ ସଂଗ୍ରହ କରିଛନ୍ତି। କହିବା ପାଇଁ ଗଲେ ପାଉଁଶ ତଳରୁ ଏକପ୍ରକାର ଖିଅ ଖୋଜୁଥିବା ପରିଲକ୍ଷିତ ହୋଇଛି। ତେବେ ଶନିବାର ପୁନର୍ବାର କ୍ରାଇମବ୍ରାଞ୍ଚ ଟିମ୍‌ ଘଟଣାସ୍ଥଳ ହୋଟେଲରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ହୋଟେଲରେ ରୁମ ନମ୍ବର ୨୦୩ ଓ ୩୦୯ ଯାଇ ଆଉ କିଛି ପ୍ରମାଣ ସଂଗ୍ରହ କରିଛନ୍ତି। ହୋଟେଲର ସମସ୍ତ କର୍ମଚାରୀ ଉପସ୍ଥିତ ରହିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି। କ୍ରାଇମବ୍ରାଞ୍ଚ ଡିଏସ୍‌ପି ସରୋଜକାନ୍ତ ମହାନ୍ତ କହିଛନ୍ତି ଯେ, ଘଟଣାର ତଦନ୍ତ ଜାରି ରହିଛି। ଯାହା ଆବଶ୍ୟକ ସେ ଅନୁସାରେ ତଦନ୍ତ ଚାଲିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share