ଭୁବନେଶ୍ୱର,୧୪।୭(ବ୍ୟୁରୋ): ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡ଼ୁଆ ବଢ଼ିଲା। ବିଧାୟକଙ୍କ ବାନ୍ଧବୀ ସୋମାଲିକା ଦାଶ ତାଙ୍କ ବିରୋଧରେ ଆଣିଥିବା ସେକ୍ସ ରାକେଟ ଅଭିଯୋଗର କ୍ରାଇମବ୍ରାଞ୍ଚ ତଦନ୍ତ କରିପାରେ। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ କ୍ରାଇମବ୍ରାଞ୍ଚ ଦ୍ୱାରା ଏହାର ତଦନ୍ତ ପାଇଁ ଜଗତସିଂହପୁର ଏସ୍ପିି ଅଖିଳେଶ୍ୱର ସିଂ ଚିଠି ଲେଖିଛନ୍ତି ।
ଗତ ମାସରେ ବିଧାୟକ ବିଜୟ ଶଙ୍କର ସେକ୍ସ ରାକେଟ ଚଳାଇଛନ୍ତି ବୋଲି ସୋମାଲିକା ଅଭିଯୋଗ କରିଥିଲେ। ଏହି ରାକେଟରେ ସେ ନିରୀହ ଯୁବତୀଙ୍କୁ ନିୟୋଜିତ କରୁଥିବା ସେ କହିଥିଲେ। ଏହାକୁ ପୋଲିସ ଗମ୍ଭୀରତାର ସହ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଚିଠି ଲେଖିଛି। ଅଭିଯୋଗଟି ଜଣେ ବିଧାୟକଙ୍କ ବିରୋଧରେ ଥିବାରୁ ନିରପେକ୍ଷ ତଦନ୍ତ ପାଇଁ ଜୁଲାଇ ୭ରେ ଜଗତସିଂହପୁର ଏସ୍ପିଏଡିଜି କ୍ରାଇମବ୍ରାଞ୍ଚଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ବିଜୟଶଙ୍କର ଜଣେ ବିଧାୟକ ହୋଇଥିବାରୁ ଏ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ଦ୍ୱାରା କରିବାକୁ ଅଭିଯୋଗକାରିଣୀ ଦାବି କରିଥିବା ଜଗତସିଂହପୁର ଏସ୍ପି ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି ।
ସୂଚନାଯୋଗ୍ୟ, ପ୍ରଥମେ ବିଧାୟକ ବିଜୟ ଶଙ୍କର ଓ ତାଙ୍କ ପ୍ରେମିକା ସୋମାଲିକା ଦାସଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ନେଇ ବିବାଦ ଦେଖାଦେବା ପରେ ଆପୋଷ ଆଲୋଚନା ମଧ୍ୟରେ ଉଭୟ କୋର୍ଟରେ ବିବାହ ଲାଗି ସହମତି ପ୍ରକାଶ କରିଥିଲେ। ଏନେଇ ସେମାନେ ସବ୍ରେଜିଷ୍ଟ୍ରାର ଅଫିସ୍ରେ ଆବେଦନ କରିଥିଲେ। ଜୁନ ୧୭ ତାରିଖରେ ସୋମାଲିକା ସେଠାରେ ପହଞ୍ଚି ବିଜୟଙ୍କୁ ଅପେକ୍ଷା କରିଥିଲେ ମଧ୍ୟ ବିଧାୟକ ପହଞ୍ଚି ନ ଥିଲେ। ଏହି ଘଟଣା ପରେ ତାଙ୍କୁ ବିଧାୟକ ଛଳନା କରିଥିବା ଅଭିଯୋଗ କରିଥିଲେ ସେ । ପରେ ସୋମାଲିକା ବିଧାୟକ ସେକ୍ସ ରାକେଟ ଚଳାଉଥିବା ପରି ସଙ୍ଗୀନ ଅଭିଯୋଗ ଆଣିଥିଲେ।