Categories: ଜାତୀୟ

ଆତିଶୀଙ୍କ ଘରେ କ୍ରାଇମ ବ୍ରାଞ୍ଚ ଟିମ: ଘୋଡ଼ାବେପାର ଅଭିଯୋଗ ନେଇ ନୋଟିସ…

ନୂଆଦିଲ୍ଲୀ,୪।୨ : ରବିବାର ସକାଳେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଟିମ ଦିଲ୍ଲୀ ସରକାରୀ ମନ୍ତ୍ରୀ ଆତିଶୀ ମାର୍ଲେନାଙ୍କ ଘରେ ପହଞ୍ଚିଛନ୍ତି। ବାସ୍ତବରେ, ଆତିଷୀ ମାର୍ଲେନା ଏବଂ ସିଏମ ଅରବିନ୍ଦ କେଜରିୱାଲ ନିକଟରେ କିଛି ଆଦମ ପାର୍ଟି (ଏଏପି) ବିଧାୟକଙ୍କୁ ଭାଜପା ପକ୍ଷରୁ ଘୋଡ଼ାବେପାର କରିବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଗମ୍ଭୀରତାର ସହ ଗ୍ରହଣ କରି ଦିଲ୍ଲୀ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା ଏବଂ ଏହା ଅନ୍ତର୍ଗତ କ୍ରାଇମ ବ୍ରାଞ୍ଚର ଏସିପି ରବିବାର ସକାଳେ ଆତିଶୀଙ୍କ ଘରେ ପହଞ୍ଚି ନୋଟିସ ଜାରି କରିଛନ୍ତି। ତେବେ ସେ ତାଙ୍କ ବାସଭବନରେ ନ ଥିଲେ। ଏଭଳି ପରିସ୍ଥିତିରେ କ୍ରାଇମ ବ୍ରାଞ୍ଚ ଦଳ ତାଙ୍କ ଓଏସଡିଙ୍କୁ ଏକ ନୋଟିସ ଦେଇ ସେଠାରୁ ଚାଲି ଯାଇଛନ୍ତି।

ଏହାପୂର୍ବରୁ ଏହି ମାମଲାର ତଦନ୍ତ ସଂପର୍କରେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଟିମ ମଧ୍ୟ ସିଏମ କେଜରିୱାଲ ଏବଂ ଆତିଶୀଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ। ଯଦିଓ ସେତେବେଳେ ମଧ୍ୟ ଟିମଙ୍କୁ ସଫଳତା ମିଳି ନ ଥିଲା। ସୂତ୍ରରୁ ପ୍ରକାଶ ଦିଲ୍ଲୀ ପୋଲିସ ଉଭୟ ଏଏପି ନେତାଙ୍କୁ ନୋଟିସ ଦେଇପାରି ନ ଥିଲେ।

ଗତ ସପ୍ତାହରେ ସିଏମ କେଜରିୱାଲ ଅଭିଯୋଗ କରିଥିଲେ ଦିଲ୍ଲୀରେ ତାଙ୍କ ସରକାରକୁ ହଟାଇବା ପାଇଁ ଭାଜପା ପକ୍ଷରୁ ସାତଜଣ ଏଏପି ବିଧାୟକଙ୍କୁ ୨୫ କୋଟି ଲେଖାଏଁ ଟଙ୍କା ପ୍ରଦାନ କରିବାକୁ କହିଥିଲେ। ଭାଜପା ଦିଲ୍ଲୀରେ ‘ଅପରେଶନ ଲୋଟସ ୨.୦ ଆରମ୍ଭ କରିଥିବା ଆତିଶୀ ଅଭିଯୋଗ କରିଥିଲେ। ସେ କହିଥିଲେ ଭାଜପା ପକ୍ଷରୁ ଏଏପି ବିଧାୟକଙ୍କୁ ଟଙ୍କା ଲୋଭ ଦେଖାଇ ସେମାନଙ୍କୁ ନିଜ ପଟକୁ ନେବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସେ ବିଫଳ ହୋଇଥିଲା।

ଏହି ଅଭିଯୋଗ ପରେ ଜାନୁଆରୀ ୩୦ ରେ ଭାଜପାର ଦିଲ୍ଲୀ ୟୁନିଟ ମୁଖ୍ୟ ବିରେନ୍ଦ୍ର ସଚ୍ଚଦେବଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ନଗର ପୋଲିସ ମୁଖ୍ୟଙ୍କୁ ଭେଟି ଏହି ଘଟଣାର ତଦନ୍ତ ଦାବି କରିଥିଲେ।

ଅପରପକ୍ଷରେ ଆମ ଆଦମୀ ପାର୍ଟି ଏହି ଦାବିକୁ ଖଣ୍ଡନ କରି କହିଛି କ୍ରାଇମ ବ୍ରାଞ୍ଚ ଦଳ କୌଣସି ସୂଚନା ନ ଦେଇ ଚାଲିଯାଇଛନ୍ତି। ଏଏପି ସୂତ୍ରରୁ ପ୍ରକାଶ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଏହି ନୋଟିସ ଗ୍ରହଣ କରିବାକୁ ପ୍ରସ୍ତୁତ ଥିଲେ, କିନ୍ତୁ ଦିଲ୍ଲୀ ପୋଲିସ କିଛି ନ ଦେଇ ଚାଲି ଯାଇଥିଲେ।

Share