Categories: ଜାତୀୟ

ପ୍ରାର୍ଥୀ ଘୋଷଣାର ୪୮ ଘଣ୍ଟା ମଧ୍ୟରେ ଦାଖଲ କରିବାକୁ ପଡ଼ିବ ଅପରାଧିକ ମାମଲା ସୂଚନା…

ନୂଆଦିଲ୍ଲୀ,୧୦।୮: ରାଜନୈତିକ ଅପରାଧୀକରଣ ସହ ଜଡିତ ଥିବା ଏକ ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି ଯେ ପ୍ରାର୍ଥୀ ଘୋଷଣା ହେବାର ୪୮ ଘଣ୍ଟା ମଧ୍ୟରେ ସମ୍ପୃକ୍ତ ପ୍ରାର୍ଥୀଙ୍କ ବିରୋଧରେ ରହିଥିବା ଅପରାଧିକ ମାମଲା ସମ୍ପର୍କିତ ପ୍ରଦାନ କରିବାକୁ ପଡିବ। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ପ୍ରାର୍ଥୀ ଘୋଷଣା ହେବାର ୪୮ ଘଣ୍ଟା ମଧ୍ୟରେ ସମସ୍ତ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ସମ୍ପର୍କିତ ତଥ୍ୟ ପ୍ରଦାନ କରିବାକୁ ପଡିବ। ସୁପ୍ରିମକୋର୍ଟଙ୍କ ଆଦେଶ ଅନୁଯାୟୀ, ଯଦି କୌଣସି ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି କିମ୍ବା ସେ କୌଣସି ମାମଲାରେ ଅଭିଯୁକ୍ତ ତେବେ ତାଙ୍କ ରାଜନୈତିକ ଦଳ ପକ୍ଷରୁ ଏହି ସୂଚନା ସାର୍ବଜନୀନ କରିବାକୁ ପଡିବ। ଏହା ସହିତ ସୁପ୍ରିମକୋର୍ଟ ୨୦୨୦ ଫେବୃଆରୀ ୧୩ ନିଷ୍ପତ୍ତିରେ ସଂଶୋଧନ କରିଛନ୍ତି। ଏହି ବିଚାରର ଅନୁଚ୍ଛେଦ ୪.୪ରେ, ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ପ୍ରାର୍ଥୀଙ୍କ ଅପରାଧିକ ଇତିହାସ ଚୟନର ୪୮ ଘଣ୍ଟା ମଧ୍ୟରେ କିମ୍ବା ନାମାଙ୍କନପତ୍ର ଦାଖଲ ହେବାର ପ୍ରଥମ ତାରିଖ ପୂର୍ବରୁ ଅତି କମରେ ଦୁଇ ସପ୍ତାହ ପୂର୍ବରୁ ପ୍ରକାଶ ପାଇବ। ଶୁଣାଣି ସମୟରେ ପ୍ରାର୍ଥୀମାନଙ୍କର ଅପରାଧିକ ଇତିହାସ ପ୍ରକାଶ ନ କରିବାରୁ ଜାତୀୟ ଦଳ ବିରୁଦ୍ଧରେ ହୋଇଥିବା ଉଲ୍ଲଂଘନକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟଙ୍କୁ ଦଳର ନିର୍ବାଚନ ଚିହ୍ନକୁ ଫ୍ରିଜ କିମ୍ବା ସ୍ଥଗିତ ରଖିବାକୁ କହିଛନ୍ତି। ସୁପ୍ରିମକୋର୍ଟଙ୍କ ଆଦେଶ ଉଲ୍ଲଂଘନ ମାମଲାରେ ଆୟୋଗ ଏହି ପରାମର୍ଶ ଦେଇଛନ୍ତି।

Share