୪୮ ପ୍ରାର୍ଥୀଙ୍କ ନାମରେ ଜଘନ୍ୟ ଆପରାଧିକ ମାମଲା

ଭୁବନେଶ୍ୱର,୭ା୫(ଅନିଲଦାସ):ରାଜ୍ୟରେ ଆସନ୍ତା ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନ ପାଇଁ ମୋଟ ୨୪୩ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। ସେମାନଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ ଆପରାଧିକ ମାମଲା ରହିଥିବା ବେଳେ ୪୮ଜଣଙ୍କ ନାଁରେ ଜଘନ୍ୟ ଅପରାଧ ରହିଛି। ସୋମବାର ଆସୋସିଏଶନ ଫର୍‌ ଡେମୋକ୍ରାଟିକ ରିଫର୍ମସ(ଏଡିଆର୍‌) ଏବଂ ଓଡ଼ିଶା ଇଲେକ୍‌ଶନ ୱାଚ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି। ପ୍ରାର୍ଥୀଙ୍କ ସତ୍ୟପାଠରୁ ତଥ୍ୟ ସଂଗ୍ରହ କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିବା ସୂଚନା ଦିଆଯାଇଛି।
ଉକ୍ତ ରିପୋର୍ଟ ଅନୁସାରେ, ଭାଜପାର ୧୮ ଜଣ ବିଧାନସଭା ପ୍ରାର୍ଥୀଙ୍କ ନାମରେ ଆପରାଧିକ ମାମଲା ଥିବାବେଳେ କଂଗ୍ରେସ ୧୭, ବିଜେଡି ୯ ଏବଂ ଆମ୍‌ ଆଦ୍‌ମୀ ପାର୍ଟିର ୩ଜଣ ପ୍ରାର୍ଥୀଙ୍କ ନାମରେ ମାମଲା ରହିଛି। ସେହିପରି ଭାଜପାର ୧୫, କଂଗ୍ରେସ ୧୦, ବିଜେଡି ୪ ଏବଂ ଆମ୍‌ ଆଦ୍‌ମୀ ପାର୍ଟିର ୩ ଜଣ ପ୍ରାର୍ଥୀଙ୍କ ନାମରେ ଗୁରୁତର ଆପରାଧିକ ମାମଲା ରହିଛି। ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୭୦ ଜଣ ପ୍ରାର୍ଥୀ କୋଟିପତି । ସେମାନଙ୍କ ମଧ୍ୟରେ ବିଜେଡିରୁ ୨୫ଜଣ, ଭାଜପା ୧୪, କଂଗ୍ରେସ ୧୪ ଓ ଆମ୍‌ ଆଦ୍‌ମୀ ପାର୍ଟିରୁ ୨ ଜଣ ପ୍ରାର୍ଥୀଙ୍କର ସମ୍ପତ୍ତି ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ। ଦିଗପହଣ୍ଡିର ବିଜେଡି ବିଧାୟକ ପ୍ରାର୍ଥୀ ବିପ୍ଳବ ପାତ୍ର ସବୁଠୁ ଧନୀ ପ୍ରାର୍ଥୀ । ତାଙ୍କର ମୋଟ ସମ୍ପତ୍ତି ହେଲା ୩୩ କୋଟି ୩୬ ଲକ୍ଷରୁ ଅଧିକ। ସେହିପରି ଗୋପାଳପୁର ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୧୫.୯୪ କୋଟି ଥିବା ସତ୍ୟପାଠରେ ଦର୍ଶାଇଛନ୍ତି।
ସତ୍ୟପାଠରେ ୨ ଜଣ ପ୍ରାର୍ଥୀ କହିଛନ୍ତି, ତାଙ୍କ ପାଖରେ କୌଣସି ସମ୍ପତ୍ତି ନାହିଁ। ସେମାନେ ହେଲେ ଭବାନୀପାଟଣାରୁ ସ୍ବାଧୀନ ପ୍ରାର୍ଥୀ ରମେଶ ମହାନନ୍ଦ ଏବଂ ରାୟଗଡାରୁ ବିଏସ୍‌ପିରୁ ନିର୍ବାଚନ ଲଢୁଥିବା ପୂର୍ଣ୍ଣଚନ୍ଦ୍ର ମାଝି। ଲକ୍ଷ୍ମୀପୁର ଆସନରୁ ରିପବ୍ଲିକାନ ପାର୍ଟିର ବିଧାୟକ ପ୍ରାର୍ଥୀ ରମେଶ ଜାନି କହିଛନ୍ତି, ତାଙ୍କ ପାଖରେ ମାତ୍ର ହଜାରେ ଟଙ୍କା ଅଛି । ସେହିପରି ସ୍ବାଧୀନ ପ୍ରାର୍ଥୀ ଶିବ ପ୍ରସାଦ ଶଗଡିଆଙ୍କ ପାଖରେ ୧୯୨୧ ଟଙ୍କା ଏବଂ ସ୍ବାଧୀନ ପ୍ରାର୍ଥୀ ଭୁବନ ଖୋରାଙ୍କ ପାଖରେ ୬ ହଜାର ଟଙ୍କା ଥିବା ସତ୍ୟପାଠରେ ଦର୍ଶାଇଛନ୍ତି।
ଶିକ୍ଷାଗତ ଯୋଗ୍ୟତାକୁ ଦେଖିଲେ ୪ ଜଣ ଆଦୌ ପାଠ ପଢ଼ି ନାହାନ୍ତି। ୧୩୨ ପ୍ରାର୍ଥୀ ୫ମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ବେଳେ ୧୦୦ ଜଣ ଗ୍ରାଜୁଏଟ ଓ ଏହାଠାରୁ ଅଧିକ ଏବଂ ୭ ଜଣ ଡିପ୍ଲୋମାଧାରୀ ପ୍ରାର୍ଥୀ ରହିଛନ୍ତି। ସେହିପରି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ମଧରେ ୭୩ ଜଣଙ୍କର ବୟସ ୨୫ ରୁ ୪୦, ୧୪୪ ଜଣଙ୍କର ୪୦ରୁ ୬୦ ଏବଂ ୨୬ ଜଣଙ୍କର ବୟସ ୬୧ରୁ ୮୦ ବର୍ଷ ମଧ୍ୟରେ ରହିଛି।

Share