Categories: ଜାତୀୟ

୧୨୦୧ ପ୍ରାର୍ଥୀଙ୍କ ନାଁରେ ଅପରାଧ ମାମଲା

ନୂଆଦିଲ୍ଲୀ,୩ା୧୧: ବିହାର ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ୧,୨୦୧ ଜଣଙ୍କ ନାଁରେ ଅପରାଧ ମାମଲା ରହିଛି। ସେମାନଙ୍କ ମଧ୍ୟରୁ ୯୧୫ଟି ଗୁରୁତର ମାମଲା ବୋଲି ବିହାର ଇଲେକ୍ସନ ଓ୍ବାଚ୍‌ ଏବଂ ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ରିପୋର୍ଟରେ କୁହାଯାଇଛି।
ନିର୍ବାଚନରେ ମୋଟ ୩,୭୩୩ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩,୭୨୨ ଜଣଙ୍କ ସତ୍ୟପାଠକୁ ଉପରୋକ୍ତ ସଂସ୍ଥା ବିଶ୍ଳେଷଣ କରିଥିଲେ। ଜାତୀୟ ଦଳରୁ ୩୪୯ ଜଣ ଏବଂ ରାଜ୍ୟ ଦଳରୁ ୪୭୦ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ଏହାବ୍ୟତୀତ ପଞ୍ଜୀକୃତ ଅସ୍ବୀକୃତ ପାର୍ଟିରୁ ୧,୬୦୭ ଜଣ ଏବଂ ୧,୨୯୬ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)ର ୧୪୧ ପ୍ରାର୍ଥୀଙ୍କ ମଧ୍ୟରୁ ସର୍ବାଧିକ ୯୮ ଜଣଙ୍କ ବିରୋଧରେ ଅପରାଧ ମାମଲା ରହିଛି। ସେହିପରି ଭାଜପାର ୧୦୯ ପ୍ରାର୍ଥୀଙ୍କ ମଧ୍ୟରୁ ୭୬, କଂଗ୍ରେସର ୭୦ ପ୍ରାର୍ଥୀଙ୍କ ମଧ୍ୟରୁ ୪୫, ଲୋକ ଜନଶକ୍ତି (ଏଲ୍‌ଜେପି)ର ୧୩୫ ପ୍ରାର୍ଥୀରୁ ୭୦, ଜେଡିୟୁର ୧୧୫ ପ୍ରାର୍ଥୀଙ୍କ ମଧ୍ୟରୁ ୫୬, ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ୭୮ ପ୍ରାର୍ଥୀଙ୍କ ମଧ୍ୟରୁ ୨୯ ଜଣଙ୍କ ବିରୋଧରେ ଅପରାଧ ମାମଲା ରହିଛି। ଆର୍‌ଜେଡିର ୭୨ ପ୍ରାର୍ଥୀଙ୍କ ବିରୋଧରେ ଗୁରୁତର ଅପରାଧ ମାମଲା ଥିବାବେଳେ ଭାଜପାର ୫୫, କଂଗ୍ରେସର ୩୩, ଏଲ୍‌ଜେପିର ୫୫, ଜେଡିୟୁର ୩୬ ଏବଂ ବିଏସ୍‌ପିର ୨୩ ପ୍ରାର୍ଥୀଙ୍କ ବିରୋଧରେ ଏଭଳି ଅପରାଧ ରହିଛି।

Share