ତୃତୀୟ ପର୍ଯ୍ୟାୟରେ ୪ ପ୍ରାର୍ଥୀଙ୍କ ନାମରେ ହତ୍ୟା, ଜଣଙ୍କ ନାମରେ ବଳାତ୍କାର ମାମଲା

ଭୁବନେଶ୍ୱର,୧୮।୫: ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୪୨ ବିଧାନସଭା ନିର୍ବାଚନମଣ୍ଡଳୀର ୩୮୩ ବିଧାୟକ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୦ଜଣ ଅର୍ଥାତ ୨୬%ଙ୍କ ନାମରେ ଅପରାଧିକ ମାମଲା ରହିଛି। ୮୬ଜଣଙ୍କ ନାମରେ ଗୁରୁତର ଅପରାଧ ମାମଲା ରହିଥିବା ବେଳେ ୪ ଜଣଙ୍କ ନାମରେ ହତ୍ୟା ମାମଲା ରହିଛି। ୨୬ ଜଣଙ୍କ ନାମରେ ହତ୍ୟା ଉଦ୍ୟମ ଓ ୨୮ ଜଣଙ୍କ ନାମରେ ମହିଳା ହିଂସା ମାମଲା ରହିଛି । ଏମିତି କି ଜଣେ ପ୍ରାର୍ଥୀଙ୍କ ନାମରେ ବଳାତ୍କାର ମାମଲା ବି ଅଛି ।

ଶିକ୍ଷାଗତ ଯୋଗ୍ୟତା ଦେଖିଲେ ଏଡିଆର୍‌ ଏବଂ ଓଡ଼ିଶା ଇଲେକ୍ସନ ଓ୍ବାଚ୍‌ ସତ୍ୟପାଠ ବିଶ୍ଳେଷଣ କରିଥିବା ମୋଟ ୩୮୧ପ୍ରାର୍ଥୀଙ୍କ ମଧ୍ୟରୁ ୨ଜଣ ଖଡ଼ି ବି ଛୁଇଁ ନାହାନ୍ତି । ୧୧ ଜଣ ପ୍ରାର୍ଥୀ ୫ମ ପାସ ହୋଇଥିବାବେଳେ ୮୬ ଜଣ ସ୍ନାତକ ଓ ୬ ଜଣ ଡକ୍ଟରେଟ କରିଛନ୍ତି ।

ଅନ୍ୟପକ୍ଷରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୩୩ ପ୍ରତିଶତ ବିଧାୟକ ପ୍ରାର୍ଥୀ କୋଟିପତି ଥିବା ଜଣାଯାଇଛି । ଚମ୍ପୁଆ ବିଜେଡି ବିଧାୟକ ସବୁଠୁ ଧନୀ ବୋଲି ସୂଚନା ମିଳିଛି । ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୨୨୭କୋଟି ୬୭ ଲକ୍ଷ । ତେବେ ବିଜେଡିରୁ ବହିଷ୍କୃତ ତଥା ଘଷିପୁରାରୁ ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଦ୍ୱିତୀୟ ବଡ଼ ଧନୀ ବୋଲି ଜଣାଯାଇଛି । ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୧୨୨ କୋଟି ୮୬ ଲକ୍ଷ ବୋଲି ଜଣାଯାଇଛି । ସେହିପରି ନୟାଗଡ଼ ଭାଜପା ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ତୃତୀୟ ସର୍ବାଧିକ ଧନୀ ବିଧାୟକ ପ୍ରାର୍ଥୀ । ପ୍ରତ୍ୟୁଷା ରାଜେଶ୍ୱରୀଙ୍କ ମୋଟ ସମ୍ପତ୍ତିର ପରିମାଣ ୧୨୦ କୋଟି ୫୬ ଲକ୍ଷ ବୋଲି ଜଣାଯାଇଛି ।