ଶ୍ରମିକ ବେଶରେ ରାଜଧାନୀ ବସ୍ତିରେ ଅପରାଧୀ ଗ୍ୟାଙ୍ଗ୍‌: ବନ୍ଦ ଘରୁ ଚୋରି, ଏକୁଟିଆ ପାଇଲେ ଲୁଟୁଥିଲେ

ଭୁବନେଶ୍ୱର,୫।୭ (ବ୍ୟୁରୋ): ରାଜଧାନୀ ବସ୍ତିରେ ଆଡ୍ଡା ଜମାଇଛନ୍ତି ଅପରାଧୀ ଗ୍ୟାଙ୍ଗ୍‌। ରାଜରାସ୍ତାରୁ କଲୋନୀ ସବୁଠି ରାଜୁତି କରୁଛନ୍ତି। କରୋନା କଟକଣା ଭିତରେ କମିଶନରେଟ ପୋଲିସକୁ ଚକ୍‌ମା ଦେଇ ଗୋଟିକ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି। ଅପରାଧୀଙ୍କ ଆଡ୍ଡା ସମ୍ପର୍କରେ ସୁରାକ ପାଇବା ପରେ ପୋଲିସ ଚଢ଼ାଉ ଆରମ୍ଭ କରିଛି। ଶାନ୍ତିପଲ୍ଲୀ ବସ୍ତିରୁ ଏକ ବଡ଼ ଅପରାଧୀ ଗ୍ୟାଙ୍ଗ୍‌କୁ ଧରିବା ପରେ ବହୁ ଚାଞ୍ଚଲ୍ୟକର ତଥ୍ୟ ପାଇଛି ପୋଲିସ। ଗ୍ୟାଙ୍ଗ୍‌ର ଦୁଇ ମାଷ୍ଟରମାଇଣ୍ଡ୍‌ ଓ ଜଣେ ସହଯୋଗୀଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ବାଡ୍‌। ସେମାନେ ହେଲେ ଶହୀଦନଗର ଥାନା ଅନ୍ତର୍ଗତ ଶାନ୍ତିପଲ୍ଲୀ ବସ୍ତିରେ ରହୁଥିବା ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲା ଇଚ୍ଛାପୁର ଥାନାଞ୍ଚଳର ସନ୍ତୋଷ ରେଡ୍ଡୀ ଓରଫ ସନ୍ତୁ, ପୁରୀ ଜିଲା ଅସ୍ତରଙ୍ଗ ଥାନାଞ୍ଚଳର ଭାସ୍କର ମହାପାତ୍ର ଓରଫ ଶିବ ଓ କଟକ ଜିଲା ବାଙ୍କୀ ଥାନା ଗୟଳବାଙ୍କ ଗ୍ରାମର ସଞ୍ଜୀବ କୁମାର ସିଂ ଓରଫ ପପୁ। ସେମାନଙ୍କଠାରୁ ୮୭ ଗ୍ରାମର ସୁନା ଓ ୪୦ ଗ୍ରାମର ରୁପା ଅଳଙ୍କାର ସହ ଅନ୍ୟ ଚୋରି ସାମଗ୍ରୀ ଜବତ କରାଯାଇଛି। ଏହି ଗ୍ୟାଙ୍ଗ୍‌ ବସ୍ତିରେ ରହି ଶ୍ରମିକ ବେଶରେ ଲୁଟ୍‌, ଡକାୟତି ଆଦି ବହୁ ଅପରାଧ ଘଟାଇଥିବା ଜଣାପଡ଼ିଛି। ସେହିଭଳି ବିଭିନ୍ନ ଥାନାରେ ୩ ଅଭିଯୁକ୍ତଙ୍କ ନାମରେ ୨୦ରୁ ଊର୍ଦ୍ଧ୍ୱ ମାମଲା ରହିଥିବା ପୋଲିସ କହିଛି।

ସୂଚନା ମୁତାବକ, ଅଭିଯୁକ୍ତମାନେ ରାତିରେ ସାଇକେଲ ଧରି ଶ୍ରମିକ ବେଶରେ ଘୂରି ବୁଲୁଥିଲେ। ସାଇକେଲରେ ଶାବଳ ଓ ଅନ୍ୟାନ୍ୟ ଘର ତାଡିବା ସାମଗ୍ରୀ ବାନ୍ଧି ଟାର୍ଗେଟ କରିଥିବା ଘରୁ ଅତି ଚତୁରତାର ସହ ଲୁଟପାଟ କରି ଫେରାର ହୋଇଯାଉଥିଲେ। ବାଟରେ ଯାହାକୁ ପାଉଥିଲେ ଲୁଟୁଥିଲେ। ମଞ୍ଚେଶ୍ୱର ଥାନା ଅଞ୍ଚଳରେ ୭ଟି , ଲକ୍ଷ୍ମୀସାଗର ଓ ବଡଗଡ ଥାନା ଅଞ୍ଚଳରେ ୨ଟି ଡକାୟତି କରିଥିବା ସେମାନେ କହିଛନ୍ତି। ଲକ୍‌ଡାଉନ୍‌ ସମୟରେ ମଞ୍ଚେଶ୍ୱର ଥାନାଞ୍ଚଳରେ ରହୁଥିବା ଓଡିଶୀ ନୃତ୍ୟଶିଳ୍ପୀ ଜ୍ୟୋତିର୍ମୟୀ ଦାସ ଘରକୁ ପଳାଇଥିଲେ। କିଛିଦିନ ଧରି ଘର ବନ୍ଦ ଥିବା ଦେଖି ଅଭିଯୁକ୍ତ ସନ୍ତୁ, ଶିବ, ପପୁ ଓ ଗ୍ୟାଙ୍ଗ୍‌ର ଅନ୍ୟ ସଦସ୍ୟମାନେ ଶ୍ରମିକ ବେଶରେ ସାଇକେଲରେ ଯାଇ ଗ୍ରୀଲ୍‌ ତାଡ଼ି ଘର ଭିତରକୁ ପଶିଥିଲେ। ଲୁହା ଆଲମିରା ଲକର ତାଡି ସେଥିରୁ ୬୦ ଗ୍ରାମର ସୁନା ଓ ଓଡିଶୀ ନୃତ୍ୟରେ ବ୍ୟବହୃତ ସାମଗ୍ରୀକୁ ଚୋରି କରି ଫେରାର ହୋଇଥିଲେ। ଜ୍ୟୋତିର୍ମୟୀ ଫେରିବା ପରେ ଘରୁ ଡକାୟତି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସିସିଟିଭି ଫୁଟେଜକୁ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା। ଶୁକ୍ରବାର ସ୍ପେଶାଲ ସ୍କ୍ବାଡ୍‌ ଶାନ୍ତିପଲ୍ଲୀ ବସ୍ତିରେ ଚଢ଼ାଉ କରି ସେମାନଙ୍କୁ ଧରିବା ପରେ କୋର୍ଟ ଚାଲାଣ କରିଥିଲା। ଜାମିନ ଆବେଦନ ଖାରଜ ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Share