ଗୁଗଲ୍‌ ମ୍ୟାପିଂରୁ ଚିହ୍ନଟ ହେବେ ଅପରାଧୀ

ଭୁବନେଶ୍ୱର,୧୧।୧(ସୂର୍ଯ୍ୟକାନ୍ତ ବେହେରା)ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଛିନ୍‌ତାଇ, ଲୁଟ୍‌ ଓ ଚୋରି ଘଟଣା ନିତିଦିନିଆ ହୋଇଯାଇଛି। କମିଶନରେଟ ପୋଲିସ ଏହାକୁ ରୋକିବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ଅପରାଧୀମାନେ ବେଫିକର ହୋଇ ଅପରାଧ ଘଟାଉଛନ୍ତି। ଅଧିକାଂଶ କ୍ଷେତ୍ରରେ ଅପରାଧୀ ବିଶେଷକରି ମାଷ୍ଟରମାଇଣ୍ଡ୍‌ ଧରାପଡୁ ନ ଥିବାରୁ ପୋଲିସକୁ ସେତେଟା ସଫଳତା ମିଳିପାରୁନି। ତେଣୁ ଅପରାଧୀଙ୍କୁ ଧରିବାକୁ କମିଶନରେଟ ପୋଲିସ ନୂଆ ପନ୍ଥା ଆପଣାଇବାକୁ ଯାଇଛି। ଗୁଗଲ ମ୍ୟାପିଂ ଦ୍ୱାରା ଅଭିଯୁକ୍ତଙ୍କୁ ସହଜରେ ଚିହ୍ନଟ କରିବା ସହ ଧରିବାକୁ ଯୋଜନା ହୋଇଛି। ଏନେଇ ଗୁଗଲ ଆପ୍ଲିକେଶନରେ କ୍ରାଇମ୍‌ ମ୍ୟାପିଂ ଟେକ୍‌ନିକକୁ ଆପଣାଯିବା ସହ ବିଭିନ୍ନ ଟେଲିକମ ସଂସ୍ଥାର ସାହାଯ୍ୟ ନେବ ପୋଲିସ। ପ୍ରଥମ ପର୍ଯ୍ୟାୟରେ ସ୍ନାଚିଂ ଓ ଲୁଟ୍‌ ଘଟଣାକୁ ଗୁରୁତ୍ୱ ଦିଆଯିବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ବୁଧବାର ସୂଚନା ଦେଇଛନ୍ତି। ଏହାଦ୍ୱାରା ଅଭ୍ୟାସଗତ ଅପରାଧୀ ଓ ଲୁଟେରାଙ୍କ ଗତିବିଧି ଉପରେ ନଜର ରହିବ। ଏଥିରେ ୟୁନିଫାଏଡ୍‌ କମାଣ୍ଡ କଣ୍ଟ୍ରୋଲ ସେଣ୍ଟରର ସବୁଠୁ ବଡ ଅବଦାନ ରହିବ। ସ୍ମାର୍ଟ ସିଟି ତରଫରୁ ରାଜଧାନୀରେ ଅନେକ କ୍ୟାମେରା ଲଗାଯାଇଛି। ଉକ୍ତ ସେଣ୍ଟରରୁ ପ୍ରଥମେ ସିସିଟିଭି ଫୁଟେଜ ହସ୍ତଗସ୍ତ କରାଯିବ। ଏହାପରେ ଆର୍ଟିଫିସିଆଲ୍‌ ଇଣ୍ଟିଲିଜେନ୍ସ (ଏଆଇ)ର ସହାୟତାରେ ଏହାର ଫିଡ୍‌କୁ ବିଶ୍ଳେଷଣ କରାଯିବ। ତେବେ ଏଥିରେ ଗୁଗଲ ଟ୍ରାକିଂ ବୋଲି କିଛି ନାହିଁ, ବରଂ ଅପରାଧଟାକୁ ଗୁଗଲ ମ୍ୟାପ୍‌ରେ ପକାଇ ଏହାର ବିଶ୍ଳେଷଣ କରି ପରବର୍ତ୍ତୀ ସମୟରେ ଅପରାଧୀଙ୍କୁ ଧରାଯାଇବ ପାରିବ ବୋଲି କମିଶନର ପ୍ରିୟଦର୍ଶୀ କହିଛନ୍ତି। ସୂଚନାଯୋଗ୍ୟ, ତଦନ୍ତରେ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ମଙ୍ଗଳବାର କମିଶନରେଟ ପୋଲିସର ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

Share