Categories: ଜାତୀୟ

ଶିବକୁମାରଙ୍କ ପାଇଁ ସଙ୍କଟ: କର୍ନାଟକରେ ହେବେ ୫ ଉପମୁଖ୍ୟମନ୍ତ୍ରୀ…

ବେଙ୍ଗାଲୁରୁ,୨୩।୯ : କର୍ନାଟକ କଂଗ୍ରେସ ବିଧାୟକ ବାସଭରାଜ ରାୟାରେଡି ଶନିବାର ଦାବି କରିଛନ୍ତି ରାଜ୍ୟରେ ଆଉ ୫ଜଣ ଉପ-ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ସରକାର ଏହା ଉପରେ ବିଚାର କରୁଛନ୍ତି ବୋଲି ସେ କହିଛନ୍ତି। ଏହି ପ୍ରସ୍ତାବ କ୍ୟାବିନେଟରେ ମଧ୍ୟ ଉପସ୍ଥାପିତ ହୋଇଛି ଏବଂ ଅନେକ ମନ୍ତ୍ରୀ ଏହାକୁ ସମର୍ଥନ କରୁଛନ୍ତି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟାଙ୍କ ସରକାରରେ ଡି.କେ ଶିବକୁମାର ଏକମାତ୍ର ଉପମୁଖ୍ୟମନ୍ତ୍ରୀ।

କଂଗ୍ରେସ ବିଧାୟକଙ୍କ ଅନୁସାରେ ରାଜ୍ୟ ଗୃହମନ୍ତ୍ରୀ ଜି ପରମେଶ୍ୱର ଏବଂ ପୂର୍ବତନ ମନ୍ତ୍ରୀ ଏମ.ବି ପାଟିଲ ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରୁଛନ୍ତି। ରାଜ୍ୟରେ ଅତି କମରେ ୫ଜଣ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ ହେବା ଉଚିତ। ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ସମ୍ପର୍କରେ ଆମ ସରକାର ଆଲୋଚନା କରୁଛନ୍ତି। ବହୁ ବରିଷ୍ଠ ନେତା ଏହି ପ୍ରସ୍ତାବକୁ ସମର୍ଥନ କରିସାରିଛନ୍ତି।

ପୂର୍ବରୁ କର୍ନାଟକ ସମବାୟ ମନ୍ତ୍ରୀ କେ.ଏନ ରାଜନା ମଧ୍ୟ ଅଧିକ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାକୁ ଦାବି କରିଥିଲେ। ଆନ୍ଧ୍ରପ୍ରଦେଶରେ ପାଞ୍ଚ ଜଣ ଉପମୁଖ୍ୟମନ୍ତ୍ରୀ ଥିବା ଦର୍ଶାଇ ରାୟାରେଡି କହିଛନ୍ତି କର୍ନାଟକ ଏକ ବଡ ରାଜ୍ୟ ଏବଂ ଏଠାରେ ଆଉ ପାଞ୍ଚ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇପାରିବ।

ନିକଟରେ କର୍ନାଟକ କ୍ୟାବିନେଟ ମନ୍ତ୍ରୀ ରାଜନା ରାଜ୍ୟରେ ଆଉ ତିନି ଜଣ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାକୁ ଦାବି କରିଥିଲେ। ସେ କହିଥିଲେ ବୀରଶୈବ-ଲିଙ୍ଗାୟତ, ଏସସି / ଏସଟି ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରତ୍ୟେକ ନେତାଙ୍କ ମଧ୍ୟରୁ ଜଣେ ଜଣେ ନେତାଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ପ୍ରଦାନ କରିବାକୁ ଦାବି ରହିଛି ଯାହା ଦ୍ୱାରା ୨୦୨୪ ଲୋକସଭା ନିର୍ବାଚନରେ ଦଳ ଏଥିରୁ ଉପକୃତ ହେବ। ତେବେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି କେବଳ ପାର୍ଟି ହାଇକମାଣ୍ଡ ଗ୍ରହଣ କରିବେ।

ସୂଚନାଯୋଗ୍ୟ ଯେତେବେଳେ ବିଧାନସଭା ନିର୍ବାଚନରେ କଂଗ୍ରେସ ଜିତିଥିଲା ସେତେବେଳେ ଉଭୟ ଡି.କେ ଶିବକୁମାର ଏବଂ ସିଦ୍ଦରାମାୟା iମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଦାବି କରିଥିଲେ। କିଛି ଦିନ ଧରି ଏହି ବିଷୟରେ ଚର୍ଚ୍ଚା ହୋଇଥିଲା। ଶେଷରେ ପାର୍ଟି ହାଇ କମାଣ୍ଡ ଡି.କେ ଶିବକୁମାରଙ୍କୁ ମନାଇବାରେ ସଫଳ ହୋଇଥିଲେ ଏବଂ ଶିବକୁମାର ଉପମୁଖ୍ୟମନ୍ତ୍ରୀ ହେବାକୁ ରାଜି ହୋଇଥିଲେ।

କିଛି ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଶିବକୁମାର ଏକମାତ୍ର ଉପମୁଖ୍ୟମନ୍ତ୍ରୀ ହେବା ସହିତ ଦଳର ରାଜ୍ୟ ସଭାପତି ପଦ ମଧ୍ୟ ବଜାୟ ରଖିବେ। ଆହୁରି ମଧ୍ୟ ଆଲୋଚନା ହେଉଛି ଅଢ଼େଇ ବର୍ଷ ପରେ ଶିବକୁମାର ପୁଣିଥରେ କାଳେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଦାବି କରିବାର ଆଶଙ୍କା ରହିଛି। ଏଭଳି ପରିସ୍ଥିତିରେ ଅଧିକ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ ହେବା ଦ୍ୱାରା ଡି.କେ ଶିବକୁମାରଙ୍କ ପ୍ରଭାବ ହ୍ରାସ କରିବାର ପ୍ରୟାସ ସିଦ୍ଦରାମାୟାଙ୍କ ଦ୍ୱାରା ହେଉଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Share