ଅନିୟନ୍ତ୍ରିତ ବ୍ୟବହାରରୁ ସଙ୍କଟ

ଯାଜପୁର ଅଫିସ,୨୨ା୩: ଜଳବାୟୁ ପରିବର୍ତ୍ତନ ଯୋଗୁ ଭୂପୃଷ୍ଠ ଜଳ ଭୂତଳକୁ ଝରିବା ହ୍ରାସ ପାଇଚାଲିଛି। ଏଭଳି ସ୍ଥଳେ ଭୂତଳ ଜଳର ମାତ୍ରାଧିକ ବ୍ୟବହାର ବଢ଼ିଚାଲିଛି। ଏଥିରୁ ଅନେକ ଅଞ୍ଚଳରେ ଜଳକ୍ଲିଷ୍ଟତା ଦେଖିବାକୁ ମିଳୁଛି। ଅନିୟନ୍ତ୍ରିତ ଭୂତଳ ଜଳ ବ୍ୟବହାରକୁ ରୋକିବା ପାଇଁ ସବୁସ୍ତରରେ ଉଦ୍ୟମ ନ ହେଲେ ପିଇବା ପାଣି ନ ପାଇ ଲୋକେ ଗୁରୁତର ଜଳ ସଙ୍କଟକୁ ଶୀଘ୍ର ସାମ୍ନା କରିବେ ବୋଲି ପରିବେଶବିତ୍‌ମାନେ ଚେତାଇ ଦେଇଛନ୍ତି।

ଜଳର ମୂଲ୍ୟ ନିର୍ଦ୍ଧାରଣ ଏବଂ ବିଶ୍ୱ ଜଳ ସଙ୍କଟ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୨୨କୁ ବିଶ୍ୱ ଜଳ ଦିବସ ଭାବେ ୧୯୯୩ରୁ ପାଳନ କରାଯାଉଛି। ଅଥଚ ଭୂତଳ ଜଳ ସଂରକ୍ଷଣ ଓ ପୁନଃଭରଣ ସକାଶେ ଏଯାଏ ପ୍ରଣିତ ହୋଇଥିବା ବିଭିନ୍ନ ଯୋଜନା ଉପଯୁକ୍ତ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ଭୂତଳ ଜଳସ୍ତର ହ୍ରାସ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। ଏଥିରେ ଖଣି ଓ ଶିଳ୍ପ ସମୃଦ୍ଧ ଯାଜପୁର ଜିଲାକୁ ଉଦାହରଣ ଭାବେ ନିଆଯାଇପାରେ। ଜିଲାର ଖଣି ଅଞ୍ଚଳ ସୁକିନ୍ଦା ଓ ଶିଳ୍ପାଞ୍ଚଳ ଦାନଗଦି ବ୍ଲକରେ ବୋରୱେଲ ଖୋଳି ଭୂତଳ ଜଳ ମାତ୍ରାଧିକ ବ୍ୟବହାର ହେଉଥିବାରୁ ଏହାର ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଉଥିବା ହାଇଡ୍ରୋମେଟ୍ରି ନିର୍ଦ୍ଦେଶାଳୟରୁ ମିଳିଥିବା ଗତ ୩ ବର୍ଷର ତଥ୍ୟରୁ ସ୍ପଷ୍ଟ ହୋଇଛି।
ସାଧାରଣତଃ ଭୂତଳକୁ ୫ ମିଟର ପର୍ଯ୍ୟନ୍ତ ରହୁଥିବା ଜଳସ୍ତର ଲୋକଙ୍କୁ ଆବଶ୍ୟକ ଅନୁଯାୟୀ ପାନୀୟ ଜଳ ଯୋଗାଇ ଦେଇଥାଏ ବୋଲି ଆକଳନ କରାଯାଇଛି। ଭୂତଳ ଜଳ ବ୍ୟବହାରକୁ ନେଇ ହୋଇଥିବା କଟକଣାକୁ ଜିଲାର ଶିଳ୍ପସଂସ୍ଥାଗୁଡିକ ମାନୁନାହାନ୍ତି। ପ୍ରାୟ ସମସ୍ତ ଶିଳ୍ପସଂସ୍ଥା ପରିସରରେ ୧୫/୨୦ଟି ଲେଖାଏ ବୋରୱେଲ ଖନନ କରାଯାଇ ଆଖିବୁଜା ଭୂତଳ ଜଳ ବ୍ୟବହାର କରାଯାଉଛି। ଏଥିଯୋଗୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ନଳକୂପ ଖୋଳିଲେ ପାଣି ବାହାରୁ ନାହିଁ। ଗ୍ରୀଷ୍ମମାସରେ ଜଳସ୍ତର ଅଧିକ ନିମ୍ନଗାମୀ ହୋଇ ନଳକୂପ, କୂଅ ଆଦିରୁ ପାଣି ଶୁଖିଯାଉଛି। ୨୦୧୮ରୁ ୨୦୨୦ ମୌସୁମୀ ପୂର୍ବରୁ ଓ ପରେ ଭୂତଳ ଜଳସ୍ତର ସ୍ଥିତିକୁ ଅବଲୋକନ କଲେ ଏହା ଜଳଜଳ ହୋଇ ଦିଶୁଛି, ଯାହାକି ଉଲ୍ଲେଖ ଟେବୁଲରେ ଦର୍ଶାଯାଇଛି। ଏହା ଶିଳ୍ପ ସଂସ୍ଥାଗୁଡ଼ିକ ଉପରେ ସେତେଟା ପ୍ରଭାବ ପଡୁ ନ ଥିଲେ ହେଁ ଜିଲାର ବିଶେଷ କରି ଦାନଗଦି ଓ ସୁକିନ୍ଦା ବ୍ଲକ ଅଞ୍ଚଳବାସୀଙ୍କ ପାଇଁ ଜଳ କ୍ଲିଷ୍ଟତା ଏକ ପ୍ରମୁଖ ସମସ୍ୟା ହୋଇଛି। ନିୟମାନୁଯାୟୀ ଜିଲାର ଶିଳ୍ପ ସଂସ୍ଥାଗୁଡିକ ଜଳସମ୍ପଦ ବିଭାଗ ନିକଟରେ ଚୁକ୍ତି କରି ସେମାନେ କେତେ ପରିମାଣର ଭୂତଳ ଜଳ ବ୍ୟବହାର କରୁଛନ୍ତି ତାହା ଫ୍ଲୋମିଟର ବସାଇ ଦର୍ଶାଇବା କଥା। ଗୋଟେ ପ୍ଲାଣ୍ଟ ଯେତିକି ପରିମାଣର ପାଣି ବ୍ୟବହାର କରୁଛି ତା’ର ସବିଶେଷ ତଥ୍ୟ ଜଳ ସମ୍ପଦ ବିଭାଗ ନିକଟରେ ଦାଖଲ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍‌ଭିନ୍ନ ସମ୍ପୃକ୍ତ କମ୍ପାନୀ ଭୂତଳ ଜଳ ନେବା ଦ୍ୱାରା ସ୍ଥାନୀୟ ଅଞ୍ଚଳ ଯେପରି ପ୍ରଭାବିତ ନ ହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ରହିଛି। ହେଲେ ଏହିସବୁ ନିର୍ଦ୍ଦେଶନାମାକୁ ଶିଳ୍ପାନୁଷ୍ଠାନଗୁଡିକ କାର୍ଯ୍ୟକାରୀ କରୁନାହାନ୍ତି।
ଏ ସଂକ୍ରାନ୍ତରେ ଜାରକା ଜଳସେଚନ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଦେବାଶିଷ ପଟ୍ଟନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ଭୂତଳ ଜଳ ବ୍ୟବହାର ଅନୁଯାୟୀ ଜଳକର ଆଦାୟ କରାଯାଉଛି। ଏଥିପାଇଁ ନିୟମିତ ଭାବେ ପରିଦର୍ଶନରେ ଯାଇ ନିରୀକ୍ଷଣ ହେଉଛି। ଶିଳ୍ପସଂସ୍ଥାଗୁଡ଼ିକଠାରୁ ମାସିକ ପ୍ରାୟ ୧ କୋଟି ୯୦ ଲକ୍ଷ ଏବଂ ବାର୍ଷିକ ପ୍ରାୟ ୨୨ କୋଟି ଟଙ୍କା ଭୂତଳ ଜଳକର ଆଦାୟ ହେଉଛି।

Share