ଶ୍ରୀଲଙ୍କାରେ ଡିଜେଲ ଶେଷ

କଲମ୍ବୋ,୩୧।୩: ଆର୍ଥିକ ଏବଂ ମାନବୀୟ ସଙ୍କଟର ସମ୍ମୁଖୀନ ହେଉଥିବା ଶ୍ରୀଲଙ୍କା ପାଖରେ ଆଉ ଡିଜେଲ ନାହିଁ। ଡିଜେଲ ଅଭାବରୁ ଦେଶର ଟ୍ରାନ୍ସପୋର୍ଟ ବ୍ୟବସ୍ଥା ପୁରା ଠପ ହୋଇଯାଇଛି। କେବଳ ଏତିକି ନୁହେଁ, ଦେଶରେ ବିଦ୍ୟୁତ ସଙ୍କଟ ଯୋଗୁ ୨୨ ନିୟୁତ ନାଗରିକ ଏବେ ଅନ୍ଧାରରେ ଅଛନ୍ତି।

ଏହି ଦକ୍ଷିଣ ଏସିଆ ଦେଶ ସ୍ବାଧୀନତା ପରଠୁ ସବୁଠୁ ବଡ଼ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି। ବୈଦେଶିକ ମୂଦ୍ରା ଅଭାବରୁ ଦେଶକୁ ଜରୁରୀ ସାମଗ୍ରୀ ମଧ୍ୟ ଆସି ପାରୁ ନାହିଁ।

ବସ୍‌ ଏବଂ ବ୍ୟବସାୟିକ ଗାଡ଼ିରେ ମୁଖ୍ୟତଃ ଡିଜେଲ ବ୍ୟବହାର କରାଯାଇଛି। କିନ୍ତୁ ଏହି ଦ୍ୱିପ ଦେଶର କୌଣସି ଷ୍ଟେଶନରେ ଡିଜେଲ ନାହିଁ। ପେଟ୍ରୋଲ ଏବେ ବି ବିକ୍ରି ହେଉଛି। କିନ୍ତୁ ଯୋଗାଣ ଅଭାବରୁ ଲୋକେ ରାସ୍ତାରେ ଗାଡ଼ି ଛାଡ଼ି ଦେଇ ଯାଉଛନ୍ତି।

ଆମେ ଏବେ ବି ପୁରୁଣା ଷ୍ଟକ ଡିଜେଲ ବ୍ୟବହାର କରୁଛୁ। ଯଦି ଗୁରୁବାର ସନ୍ଧ୍ୟା ସୁଦ୍ଧା ଯୋଗାଣ ନ ହୁଏ, ତେବେ ଦେଶରେ ଗାଡ଼ି ଚଳାଚଳ କରିପାରିବ ନାହିଁ ବୋଲି ବେସରକାରୀ ବସ୍‌ ପରିଚାଳକ ଆସୋସିଏଶନ ଚେୟାରମ୍ୟାନ୍‌ ଗେମୁନୁ ଓ୍ବିଜେରାତ୍ନେ କହିଛନ୍ତି।

Share