Categories: ଜାତୀୟ

ଇଣ୍ଡିଆ ମେଣ୍ଟ ସଙ୍କଟରେ: ସୁପ୍ରିମ୍‌କୋର୍ଟରେ ମୁହାଁମୁହିଁ ୨ ସହଯୋଗୀ…

ନୂଆଦିଲ୍ଲୀ,୧।୧୦ : ଆଗକୁ ୨୦୨୪ ଳୋକସଭା ନିର୍ବାଚନ। ଏଭଳି ସ୍ଥିତିରେ ଇଣ୍ଡିଆ ମେଣ୍ଟରେ ସବୁକିଛି ଠିକ ଚାଲି ନାହିଁ। ମେଣ୍ଟର ୨ ସହଯୋଗୀ ସୁପ୍ରିମକୋର୍ଟରେ ମୁହାଁମୁହିଁ ହୋଇଛନ୍ତି। ଫଳରେ ମେଣ୍ଟ ସଙ୍କଟରେ ରହିଛି। କର୍ନାଟକର ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ଘୋଷଣା କରିଛନ୍ତି ପଡୋଶୀ ତାମିଲନାଡୁକୁ ୩୦୦୦ କ୍ୟୁସେକ ଜଳ ଛାଡିବାକୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିବା କାବେରୀ ୱାଟର ମ୍ୟାନେଜମେଣ୍ଟ ଅଥରିଟି (ସିଡବ୍ଲ୍ୟୁଏମଏ) ନିର୍ଦ୍ଦେଶର ଉତ୍ତରରେ ଏକ ସମୀକ୍ଷା ଆବେଦନ କରାଯାଇଛି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ପରିସ୍ଥିତିର ଆକଳନ କରିବା ପରେ ସିଡବ୍ଲ୍ୟୁଏମଏ ନିର୍ଦ୍ଦେଶନାମା ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ସମୀକ୍ଷା ଆବେଦନ ମଧ୍ୟ କରାଯିବ।

ଜାରି ରହିଥିବା କାବେରୀ ଜଳ ବିବାଦର ସମାଧାନ ପାଇଁ ସିଦ୍ଦରାମାୟା, କ୍ୟାବିନେଟର ବରିଷ୍ଠ ସଦସ୍ୟଙ୍କ ସହ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଏବଂ ଆଡଭୋକେଟ ଜେନେରାଲଙ୍କ ସହ ଏକ ବୈଠକ କରିଥିଲେ। ଏହାପୂର୍ବରୁ, ସିଡବ୍ଲ୍ୟୁଏମଏ କବେରୀ ଜଳ ନିୟାମକ କମିଟି (ସିଡବ୍ଲ୍ୟୁଆରସି)ର ନିଷ୍ପତ୍ତିକୁ ସମର୍ଥନ କରି କର୍ନାଟକକୁ ଅକ୍ଟୋବର ୧୫ ସୁଦ୍ଧା ତାମିଲନାଡୁକୁ ପ୍ରତିଦିନ ୩୦୦୦ କ୍ୟୁସେକ ଜଳ ଛାଡିବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା। ଜଳ ବାଣ୍ଟିବା ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ମଧ୍ୟ ଉପସ୍ଥିତ ଥିଲେ।

ଭାଜପା ଏମପି ତେଜସୱୀ ସୂର୍ଯ୍ୟ ଏହି ପ୍ରସଙ୍ଗରେ କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଛନ୍ତି। ତାମିଲନାଡୁରେ ଇଣ୍ଡିଆ ମେଣ୍ଟ ସହଯୋଗୀ ଡିଏମକେକୁ ସମର୍ଥନ କରିବା ପାଇଁ କଂଗ୍ରେସ ଏହି ପ୍ରସଙ୍ଗକୁ ନେଇ ଅଧିକ ପ୍ରଚାର କରୁଛି ବୋଲି ସୂର୍ଯ୍ୟ ଅଭିଯୋଗ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସମନ୍ବୟର ଅଭାବକୁ ନେଇ ଉଦବେଗ ପ୍ରକାଶ କରିବା ସହ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ରାଜନୈତିକ ଉଦ୍ଦେଶ୍ୟମୂଳକ କି ନୁହେଁ ବୋଲି ପ୍ରଶ୍ନ କରିଛନ୍ତି।

ତାମିଲନାଡୁକୁ ଅଧିକ ଜଳ ଛାଡିବା କର୍ନାଟକର ପାନୀୟ ଜଳର ଆବଶ୍ୟକତା ଉପରେ ଗୁରୁତର ପ୍ରଭାବ ପକାଇବ ବୋଲି ସୂର୍ଯ୍ୟ ଗୁରୁତ୍ୱାରୋପ କରିଛନ୍ତି। ସିଡବ୍ଲ୍ୟୁଏମଏ ଆଗରେ ଏହି ବାସ୍ତବତା ଉପସ୍ଥାପନ କରିବାକୁ ସେ ରାଜ୍ୟକୁ ଅନୁରୋଧ କରିଛନ୍ତି। ସେ କର୍ନାଟକର ଏକ ଆହ୍ବାନପୂର୍ଣ୍ଣ ଜଳ ପରିସ୍ଥିତି ଉପରେ ଆଲୋକପାତ କରି କାବେରୀ ଅବବାହିକାରେ ଥିବା ୩୪ ଟି ତାଲୁକ ମଧ୍ୟରୁ ୩୨ ଟିରେ ୬୦ ପ୍ରତିଶତ ବୃଷ୍ଟିପାତର ଅଭାବ ଏବଂ ମରୁଡ଼ି ପରିସ୍ଥିତିକୁ ଦର୍ଶାଇଛନ୍ତି। ତାମିଲନାଡୁକୁ ଅତିରିକ୍ତ ଜଳ ଛାଡିବା ପୂର୍ବରୁ କର୍ନାଟକର ନିଜସ୍ବ ଜଳ ସଙ୍କଟ ଦୂର କରିବା ଉପରେ ସୂର୍ଯ୍ୟ ଗୁରୁତ୍ୱ ଦେଇଛନ୍ତି।

Share