ଶୁକ୍ର ଗ୍ରହ ଅଭିଯାନରେ ସଙ୍କଟ, ଆମେରିକାକୁ ହଟାଇ ଚାଇନାକୁ ସୁଯୋଗ ଦେଇପାରେ ରୁଷିଆ…

ମସ୍କୋ, ୨୬।୨ : ରୁଷିଆ ୟକ୍ରେନ୍‌ ଯୁଦ୍ଧ ଯୋଗୁ ଶୁକ୍ର ଗ୍ରହ ଅଭିଯାନରେ ସଙ୍କଟ ଦେଖାଦେଇଛି। ରୁଷିଆର ସ୍ପେସ ଏଜେନ୍ସିର ମୁଖ୍ୟ ଶନିବାର କହିଛନ୍ତି ଯେ ଆମେରିକାର ପ୍ରତିବନ୍ଧକ ମିଳିତ ମହାକାଶ ପ୍ରକଳ୍ପ ଉପରେ ପ୍ରଭାବ ପକାଇବ। ସେ କହିଛନ୍ତି ଯେ ଆମେରିକାର ପ୍ରତିବନ୍ଧକ ପରେ ଶୁକ୍ର ଗ୍ରହ ମହାକାଶ ଗବେଷଣା ପ୍ରକଳ୍ପ ଭାନେରା-ଡିରୁ ଆମେରିକାକୁ ହଟାଇ ଦିଆଯିବାର ଆଶଙ୍କା ସୃଷ୍ଟି ହୋଇଛି। ସେ କହିଛନ୍ତି ଯେ ମସ୍କୋ ଏକାକୀ କିମ୍ବା ଚାଇନା ଏହି ମିଶନରେ ଅଂଶଗ୍ରହଣ କରିପାରେ।

ଭାନେରା-ଡି ହେଉଛି ଶୁକ୍ର ଗ୍ରହ ସମ୍ପର୍କରେ ଅନୁସନ୍ଧାନ କରିବା ପାଇଁ ଏକ ମହାକାଶ ଅଭିଯାନ। ଏହା ରୁଷିଆର ରସକୋମୋସ ଏବଂ ଆମେରିକାର ସ୍ପେସ ଏଜେନ୍ସି ନାସା ମଧ୍ୟରେ ପୂର୍ବରୁ ଯୋଜନା ହୋଇଥିବା ମିଳିତ ମହାକାଶ ଅନୁସନ୍ଧାନ ପ୍ରକଳ୍ପ। ଗୁରୁବାର ୟୁକ୍ରେନ ଉପରେ ଆକ୍ରମଣ ପରେ ଆମେରିକା ଏବଂ ଏହାର ସହଯୋଗୀମାନେ ରୁଷିଆ ବିରୋଧରେ କେତେକ କଟକଣା ଜାରି କରିଥିଲେ। ଏହି କଟକଣା ରୁଷିଆର ଏରୋସ୍ପେସ ଶିଳ୍ପ ସମେତ ସ୍ପେସ ପ୍ରୋଗ୍ରାମ କ୍ଷେତ୍ରରେ ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି। କଟକଣା ଘୋଷଣା ପରେ ଏହି ପ୍ରକଳ୍ପରେ ଆମେରିକାର ଅଂଶଗ୍ରହଣ ସମ୍ଭବ ନୁହେଁ।

ଟାସ୍‌ ନ୍ୟୁଜ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ରୁଷିଆ ଏକାକୀ କିମ୍ବା ଚାଇନାର ସହଯୋଗରେ ଏହି ମିଶନ କାର୍ଯ୍ୟକାରୀ କରିବ। ରୁଷିଆର ସ୍ପେସ ଏଜେନ୍ସିର ମୁଖ୍ୟ କହିଛନ୍ତି ଯେ ସମସ୍ତ ମହାକାଶ ଗବେଷଣା ମିଶନ ପାଇଁ ପାରସ୍ପରିକ ବୈଷୟିକ ସହାୟତା ଉପରେ ବେଜିଂ ସହ ଆଲୋଚନା ଆରମ୍ଭ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଫ୍ରେଞ୍ଚ୍‌ ଗୁଇନାର କାଏରୋରେ ଥିବା ଗୁଇନା ସ୍ପେସ ସେଣ୍ଟରରୁ ସ୍ପେସ ଲଞ୍ଚରେ ରସକୋମୋସ ଇଉରୋପୀୟ ଅଂଶୀଦାରମାନଙ୍କ ସହ ସହଯୋଗକୁ ସ୍ଥଗିତ ରଖିଛି। ବର୍ତ୍ତମାନ କାଏରୋ କସମୋଡ୍ରୋମରେ ୮୭ ଜଣ ରୁଷିଆର ନାଗରିକ ଅଛନ୍ତି। ସେମାନଙ୍କୁ ବାହାରକୁ ଆଣିବା ପାଇଁ କାର୍ଯ୍ୟ କରାଯାଉଛି।

ରକେଟ ଏବଂ ସ୍ପେସ ସେଣ୍ଟର ସମେତ ୬୪ ଟି ପ୍ରମୁଖ ରୁଷିଆ ସଂରଚନା କେନ୍ଦ୍ର ଉପରେ ୟୁରୋପୀୟ ୟୁନିଅନ କଠୋର ଆର୍ଥିକ ଏବଂ ବୈଷୟିକ କଟକଣା ଲାଗୁ କରିଛି। ରୁଷିଆର ସ୍ପେସ ଏଜେନ୍ସିର ମୁଖ୍ୟ ଆମେରିକାକୁ ଚେତାବନୀ ଦେଇଛନ୍ତି ଯେ ମସ୍କୋ ଉପରେ ଲାଗୁ କରାଯାଇଥିବା କଟକଣା ଅନ୍ତର୍ଜାତୀୟ ସ୍ପେସ ସେଣ୍ଟର (ଆଇଏସଏସ) ଉପରେ ଆମର ସହଯୋଗରେ ବାଧା ସୃଷ୍ଟି କରିବାର ଆଶଙ୍କା ଦେଖାଦେଇଛି।

Share