ଆସୁଛି ବଡ଼ଦିନ: ଜମିଲାଣି ବେପାର

କଟକ ଅଫିସ,୨୨ା୧୨: ଆସନ୍ତା ୨୫ ତାରିଖରେ ବଡ଼ଦିନ। ହାତରେ ଆଉ ମାତ୍ର କେଇଟା ଦିନ। ଏହିଦିନ ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ଧରାବତରଣ ଉତ୍ସବ ପାଳନ ନେଇ ଖ୍ରୀଷ୍ଟ ଧର୍ମାବଲମ୍ବୀମାନଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ଲୋକମାନେ ବଡ଼ଦିନକୁ ଜାକଜମକରେ ପାଳନ କରିବା ଲାଗି ଏବେଠୁ ଯୋଜନା ପ୍ରସ୍ତୁତ କରିସାରିଲେଣି। ବଜାରରେ ବଡ଼ଦିନର ସାମଗ୍ରୀ ଉପଲବ୍ଧ ହେଲାଣି। ମିଶନ ରୋଡ୍‌, ବକ୍ସିବଜାର, ଚଣ୍ଡୀ ଛକ, କଲେଜ ଛକ ସମେତ ସହରର ବିଭିନ୍ନ ଅଞ୍ଚଳରେ ବଡ଼ଦିନ ପାଇଁ ସ୍ବତନ୍ତ୍ର ଷ୍ଟଲ୍‌ ଖୋଲାଯାଇଛି। ବ୍ୟବସାୟୀମାନେ ବଡ଼ଦିନର ଆବଶ୍ୟକତାକୁ ଦୃଷ୍ଟିରେ ରଖି କମ୍‌ ମୂଲ୍ୟରୁ ଆରମ୍ଭ କରି ଦାମିକା ଯାଏ ସବୁ ପ୍ରକାରର ସାମଗ୍ରୀ ସଜେଇ ରଖିଛନ୍ତି। ଏଥିପାଇଁ ବେପାର ମଧ୍ୟ ଜମିଲାଣି। ବଜାର ଦର ଅନୁଯାୟୀ ଖ୍ରୀଷ୍ଟମାସ ଟ୍ରି ୬୦ରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିପରି ସାନ୍ତାକ୍ଲଜ୍‌ ୧୦୦ରୁ ୧୦୦୦ ଟଙ୍କା, ସାନ୍ତାକ୍ଲଜ ପୋଷାକ ୪୦୦ରୁ ୧୨୦୦ ଟଙ୍କା, ଡେକୋରେଟିଭ ଷ୍ଟାର୍‌ ୧୦୦ରୁ ୭୦୦ ଟଙ୍କା, ଡିଜିଟାଲ ଷ୍ଟାର୍‌ ୧୦୦୦ରୁ ୫୦୦୦ ଟଙ୍କା, କେକ୍‌ ୧୫୦ରୁ ୨୦୦୦ ଟଙ୍କା ଓ ଘରସଜ୍ଜା ସାମଗ୍ରୀ ୪୦୦ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ସବୁବର୍ଗର ଲୋକେ ଯେପରି ଖୁସିରେ ବଡ଼ଦିନ ପାଳନ କରିବେ ସେନେଇ ଉତ୍ସାହିତ ଅଛନ୍ତି।

Share