କରୋନାରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା

ଭୁବନେଶ୍ୱର, ୬।୧୦(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଏବେ କରୋନା ମୁକାବିଲା କରୁଛି। ହେଲେ କରୋନା ଆଳରେ ବିଏମ୍‌ସି ଭୁବନେଶ୍ୱରବାସୀଙ୍କୁ ମୌଳିକ ସେବା ଦେବାରେ ଅବହେଳା କରୁଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱରବାସୀଙ୍କ ପାଇଁ ଉପଲବ୍ଧ ଥିବା ପ୍ରମୁଖ ସେବା ପରିମଳ ଏବେ ସହରର କୋଣ ଅନୁକୋଣରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ପରିଲକ୍ଷିତ ହେଉଛି। ଏ ନେଇ ସହରବାସୀଙ୍କ ମଧ୍ୟରେ ଏବେ ଜନଆକ୍ରୋଶ ହେଉଥିବାବେଳେ ବିଏମ୍‌ସିର ଟୁଇଟର ହ୍ୟାଣ୍ଡେଲରେ ଅଭିଯୋଗର ଲମ୍ବାଫର୍ଦ୍ଦ ଥିବା ନଜରକୁ ଆସିଛି।
ସୂଚନା ମୁତାବକ, କରୋନା ଲାଗି ସର୍ବସାଧାରଣଙ୍କ ପାଇଁ ବିଏମ୍‌ସି ଫାଟକ ବନ୍ଦ ଥିବାବେଳେ କୌଣସି ଅଭିଯୋଗ ଥିଲେ ଅନ୍‌ଲାଇନ୍‌ ଜଣାଇବାକୁ କହିଛି। ଏ ନେଇ ସହରବାସୀ ନାନା ଅଭିଯୋଗ କରୁଥିଲେ ହେଁ ସେଗୁଡ଼ିକୁ ସମାଧାନ କରାଯାଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। କେଉଁଠି ଦୀର୍ଘଦିନ ହେବ ଡଷ୍ଟବିନ୍‌ ଦିଆଯାଇ ନ ଥିବାବେଳେ କେଉଁଠି ଫଟା ଡଷ୍ଟବିନ୍‌ ସହର ପରିମଳ ବ୍ୟବସ୍ଥାର ଶୋଭା ବଢ଼ାଉଛି। ସେହିପରି କେଉଁ ସ୍ଥାନରୁ ଘରକୁ ଘର ବୁଲି ନିଆଯାଉଥିବା ଅଳିଆ ଉଠୁ ନ ଥିବା ମଧ୍ୟ ଅଭିଯୋଗ ହେଉଛି। ଏ ନେଇ ପରିମଳ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ଖୁବଶୀଘ୍ର ଏହାର ଯାଞ୍ଚ କରିବେ ବୋଲି ସଫେଇ ଦେଉଛନ୍ତି। ତେବେ କରୋନା ମହାମାରୀ ସମୟରେ ସ୍ବଚ୍ଛତା ଉପରେ ବିଶେଷ ଭାବେ ଧ୍ୟାନ ରଖିବା ବଦଳରେ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଏପରି କାର୍ଯ୍ୟଶୈଳି ଏବେ ନାନା ପ୍ରଶ୍ନବାଚୀ ସୃଷ୍ଟି କରାଇଛି।

Share