ଗୁରୁତର ଉଦ୍ଧାର କିନ୍ନରଙ୍କ ଚାଲିଗଲା ଜୀବନ, ହତ୍ୟା ଅଭିଯୋଗ ଆଣିଲେ ସାଥୀ

ବଡବିଲ,୧୮।୧(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଲାଣୀ ଥାନା ଅଧୀନ ଡର୍ବି ଛକରୁ ଗତ ସୋମବାର ସନ୍ଧ୍ୟାରେ ବଡବିଲ ଷ୍ଟେଶନ ରୋଡ ଅଞ୍ଚଳରେ ରହୁଥିବା କିନ୍ନର ସିନୁ ନାଏକ(୩୫)ଙ୍କୁ ମୁମୂର୍ଷୁ ଅବସ୍ଥାରେ ବଲାଣୀ ପୋଲିସ ଉଦ୍ଧାର କରିଥିଲା। ବୁଧବାର କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ସିନୁଙ୍କ ମୃତ୍ୟୁ ଘଟିଛି। ଏ ନେଇ ବଲାଣି ଥାନାରେ ଏକ ଏତଲା ଦିଆଯାଇଛି। ମୃତ ସିନୁଙ୍କ ସାଥୀ ବୁଧୁରାମଙ୍କ ଏତଲା ଅନୁଯାୟୀ ବଲାଣି ପୋଲିସ ଏକ ହତ୍ୟା ମାମଲା(ନଂ.୪୦/୨୦୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ବୁଧୁରାମଙ୍କ ଅଭିଯୋଗ ଅନୁଯାୟୀ, ଗତ ସୋମବାର ଅପରାହ୍ନରେ ଡର୍ବିଠାରେ ହେଉଥିବା ମକର ମେଳା ବୁଲିବାକୁ ସିନୁ ଯାଇଥିଲେ। ସନ୍ଧ୍ୟାରେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ପୋଲିସ ଉଦ୍ଧାର ପରେ ପ୍ରଥମେ ବଡବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଅବସ୍ଥା ସଂକଟାପନ୍ନ ହେବାରୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ସିନୁଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ସିନୁଙ୍କ ମୁଣ୍ଡ ଏବଂ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବାରୁ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିବା ବୁଧୁରାମ ଏତଲାରେ ଉଲ୍ଲେଖ କରିଛନ୍ତି।