ତୁଷ୍ଟୀକରଣ ଜଣାଣକୁ ସମାଲୋଚନା

ପୁରୀ ଅଫିସ,୨୮ା୧୦: ରାଜ୍ୟ ସରକାରଙ୍କ ତରଫରୁ ଶ୍ରୀକ୍ଷେତ୍ରରେ ହବିଷିଆଳି କେନ୍ଦ୍ର ଖୋଲାଯାଇଛି। ୫ଟି ହବିଷିଆଳି କେନ୍ଦ୍ରରେ ହବିଷିଆଳିମାନେ ରହୁଥିବାବେଳେ ସେମାନଙ୍କୁ ପ୍ରଶାସନ ପକ୍ଷରୁ ମାଗଣାରେ ବିଭିନ୍ନ ସୁବିଧା ଯୋଗାଇ ଦିଆଯାଉଛି। ବୃନ୍ଦାବତୀ ନିବାସରେ ରହୁଥିବା ହବିଷିଆଳିମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଏକ ତୁଷ୍ଟୀକରଣ ଜଣାଣ ଗାନ କରୁଥିବାର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ହବିଷିଆଳିମାନେ ଏଭଳି ବନ୍ଦନା ଗାନ କରୁଥିବାବେଳେ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଉପଭୋଗ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହାକୁ ନେଇ ସେବାୟତ, ବୁଦ୍ଧିଜୀବୀ ଓ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ପୁରୀ ସହରର ଜଣେ ହବିଷିଆଳି ରାଧାରାଣୀ ପଣ୍ଡା କହିଛନ୍ତି, କାର୍ତ୍ତିକ ବ୍ରତ ପାଳନର ଉଦ୍ଦେଶ୍ୟ କ’ଣ ଜାଣିଥିବା ଲୋକେ ଏଭଳି କରିବେ ନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ମହାପ୍ରଭୁଙ୍କ ସହ ତୁଳନା କରିବା ଲଜ୍ଜାଜନକ। କାର୍ତ୍ତିକ ବ୍ରତ ସମୟରେ ଏଭଳି ଦୁଃସାହସ କେହି କରିବା ଉଚିତ୍‌ ନୁହେଁ। ସେହିଭଳି ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ସରକାରୀ ଯୋଜନା ମାଧ୍ୟମରେ ହବିଷିଆଳିମାନେ ବିଭିନ୍ନ ସୁବିଧା ପାଉଛନ୍ତି। ଏଣୁ ତାଙ୍କୁ ହବିଷିଆଳିମାନଙ୍କ ଆଶୀର୍ବାଦ ମିଳୁ। ମାତ୍ର ତାଙ୍କୁ ମହାପ୍ରଭୁଙ୍କ ସହ ତୁଳନା କରିବାର ଧୃଷ୍ଟତା କରା ନ ଯାଉ। ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏଭଳି ଅଶୋଭନୀୟ କାର୍ଯ୍ୟକଳାପ ହେବା ଅତ୍ୟନ୍ତ ନିନ୍ଦନୀୟ। ସେହିପରି ଚୂନରା ସେବାୟତ ଡ. ଶରତ ମହାନ୍ତି କହିଛନ୍ତି, ଈଶ୍ୱରଙ୍କ ଭଳି ସରକାରଙ୍କ ଉଦ୍ଦେଶ୍ୟରେ ଭଜନ କୀର୍ତ୍ତନ କରିବା ଆଦୌ ଗ୍ରହଣୀୟ ନୁହେଁ। ଏହା ଓଡ଼ିଆ ଜାତି ପାଇଁ ବିଡ଼ମ୍ବନା। ଭାଜପା ନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ମହାପ୍ରଭୁଙ୍କ ପୀଠରେ ନବୀନଙ୍କୁ ଚଳନ୍ତି ପ୍ରତିମା ବୋଲି କୁହାଯାଉଛି। ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ସହ ତୁଳନା କରାଯାଉଛି। ଏହାକୁ ଅତି ଗର୍ବେ ହତ ଲଙ୍କା ଭଳି ସ୍ଥିତି କୁହାଯାଇପାରିବ। କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, ଯେଉଁ ଜଣାଣ କରାଯାଉଛି ତାହା ହବିଷିଆଳିମାନେ ମନକୁ କରୁନାହାନ୍ତି। ତାଙ୍କୁ ଯୋଜନାବଦ୍ଧ ଭାବେ ଏଭଳି କରିବାକୁ କୁହାଯାଉଛି। ଏସବୁକୁ ନିର୍ବାଚନ କ୍ଷେତ୍ର ପ୍ରସ୍ତୁତି ଭାବେ ବିଜେଡି ଦେଖୁଛି ବୋଲି ଜୟଦେବ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବିଜେଡି ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ଯଦି ହବିଷିଆଳିମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି, ତେବେ ଏଥିରେ କାହାର ଗାତ୍ରଦାହ ହେବାର ଆବଶ୍ୟକତା ନାହିଁ। ମୁଖ୍ୟମନ୍ତ୍ରୀ ପ୍ରମାଣ କରିଛନ୍ତି ଯେ, ସାଢେ ଚାରିକୋଟି ଓଡ଼ିଆଙ୍କ ମନ ଭିତରେ ସେ ରହିଛନ୍ତି। ଏହାକୁ ଯଦି କିଏ କେଉଁ ରୂପ ଦେଉଥିବ ତାହା ଦୁର୍ଭାଗ୍ୟଜନକ।