Categories: ଜାତୀୟ

‘ସିଜେଆଇଙ୍କୁ ସମାଲୋଚନା ସର୍ବୋଚ୍ଚ ଅଦାଲତଙ୍କ ପ୍ରଭୁତ୍ୱକୁ ନୂ୍ୟନ କରୁନାହିଁ’

ନୂଆଦିଲ୍ଲୀ, ୪ା୮:ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲାର ସମ୍ମୁଖୀନ ହୋଇଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏକ ସତ୍ୟପାଠ ଦାଖଲ କରି କହିଛନ୍ତି, ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ ସମାଲୋଚନା କରିବା ସର୍ବୋଚ୍ଚ ଅଦାଲତଙ୍କୁ ବଦନାମ କରୁନାହିଁ କିମ୍ବା ଏହାର ପ୍ରଭୁତ୍ୱକୁ ନୂ୍ୟନ କରୁନାହିଁ। ସିଜେଆଇଙ୍କୁ ସୁପ୍ରିମକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କୁ ସିଜେଆଇ ଭାବେ ବିବେଚନା କରାଯିବା ଭାରତର ସର୍ବୋଚ୍ଚ ଅଦାଲତକୁ ଦୁର୍ବଳ କରିଦେବ ବୋଲି ସେ କହିଛନ୍ତି।
ସିଜେଆଇ ଏସ୍‌.ଏ. ବୋବ୍‌ଡେ ଓ ନ୍ୟାୟ ବ୍ୟବସ୍ଥା ଉପରେ ପୂର୍ବରୁ ପ୍ରଶାନ୍ତ ଭୂଷଣ କରିଥିବା ଟୁଇଟ୍‌କୁ ନେଇ ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ତାଙ୍କୁ ଅଦାଲତ ଅବମାନନା ନୋଟିସ ଜାରି କରିଥିଲେ। ସିଜେଆଇ ଛୁଟିରେ ନାଗପୁରରେ ଥିବାବେଳେ ଏକ ସୁପରବାଇକ୍‌ରେ ବସିଥିଲେ, ଯାହାକୁ ନେଇ ବରିଷ୍ଠ ଆଇନଜୀବୀ ଟୁଇଟ୍‌ କରିଥିଲେ। କରୋନା ମହାମାରୀ ଯୋଗୁ ୩ ମାସରୁ ଊର୍ଦ୍ଧ୍ୱ ସମୟ ଧରି ସୁପ୍ରିମକୋର୍ଟରେ ଭିଡିଓ କନ୍‌ଫରେନ୍ସ ଜରିଆରେ କ୍ୱଚିତ ମାମଲା ଶୁଣାଣି ହେଉଥିବାରୁ ସେ ନିଜର ମନବ୍ୟଥା ଜଣାଇବା ପାଇଁ ଏଭଳି ଟୁଇଟ୍‌ କରିଥିଲେ ବୋଲି କହିଛନ୍ତି। ସତ୍ୟପାଠରେ ଆହୁରି କୁହାଯାଇଛି, ୪ ପୂର୍ବତନ ସିଜେଆଇଙ୍କ ସମ୍ପର୍କରେ ପ୍ରଶାନ୍ତ ଭୂଷଣଙ୍କ ଟୁଇଟ୍‌ ସେମାନଙ୍କ ସମ୍ପର୍କରେ ତାଙ୍କର ଯଥାର୍ଥ ଧାରଣା। ଗଣତନ୍ତ୍ରକୁ ନଷ୍ଟ କରିବାକୁ ସୁପ୍ରିମକୋର୍ଟ ସୁଯୋଗ ଦେଉଛି ବୋଲି ସେ ଯେଉଁ ମତାମତ ଦେଇଥିଲେ, ତାହା ଅପ୍ରିୟ ତଥା ଅରୁଚିକର ହୋଇପାରେ, କିନ୍ତୁ ଅଦାଲତ ଅବମାନନା ହୋଇପାରିବ ନାହଁ ବୋଲି ସତ୍ୟପାଠରେ କୁହାଯାଇଛି।

Share