ବିଦ୍ୟୁତ୍‌ ଦର ବୃଦ୍ଧିକୁ ନେଇ ବିରୋଧୀ କ୍ଷୁବ୍ଧ

ଭୁବନେଶ୍ୱର ୨୬।୯(ବ୍ୟୁରୋ): ଘରୋଇ ବିଜୁଳି ଉପଭୋକ୍ତାଙ୍କ ଦର ବଢିବା ଘଟଣାରେ ବିରୋଧୀ ଭାଜପା ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳ ନେତା ଗୋଲକ ମହାପାତ୍ର କହିଛନ୍ତି, ଲକ୍‌ଡାଉନ୍‌ ସମୟରେ ବଦ୍ୟୁତ୍‌ କିଣିବା ପାଇଁ ରାଜ୍ୟର ବିତରଣ କମ୍ପାନିଗୁଡ଼ିକୁ ଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଦ୍ୱାରା ୮୪ କୋଟି ଟଙ୍କାର ରିହାତି ଦେଇଛନ୍ତି। ରାଜ୍ୟର ବିଦ୍ୟୁତ ବିତରଣ କମ୍ପାନିଗୁଡ଼ିକୁ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଅଧୀନରେ ଥିବା ଏନ୍‌ଏଚ୍‌ପିସି ୩.୭୮ କୋଟି, ଏନ୍‌ଟିପିସି ୫୬.୮ କୋଟି ଏବଂ ପିଜିସିଆଇଏଲ୍‌ ପକ୍ଷରୁ ୨୪.୩୫ କୋଟି ରିହାତି ଦିଆଯାଇଛି। କରୋନାରେ ଉପଭୋକ୍ତାଙ୍କ ପାଇଁ ନିରନ୍ତର ବିଦ୍ୟୁତ୍‌ ସରବରାହ ହୋଇପାରିବା ଲକ୍ଷ୍ୟରେ ଏହି ଆର୍ଥତ୍କ ରିହାତି ଦିଆଯାଇଛି। ଏହାସତ୍ତ୍ୱେ ରାଜ୍ୟରେ ଅକ୍ଟୋବର ପହିଲାରୁ ବିଜୁଳି ଦର ୟୁନିଟ୍‌ ପିଛା ୨୦ ପଇସା ବୃଦ୍ଧି ଲାଗି ଓଡ଼ିଶା ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ନିଷ୍ପତ୍ତି ନେଇଛନ୍ତି ା ତେବେ କରୋନା ପରିସ୍ଥିତିରେ ଲୋକ ଦୁର୍ଦ୍ଦିନ ଭିତରେ ଥିବାବେଳେ ବିଦ୍ୟୁତ୍‌ ଦର ବୃଦ୍ଧି ନିଷ୍ପତ୍ତି କେତେଦୂର ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି।
କଂଗ୍ରେସ ନେତା ଶିବାନନ୍ଦ ରାୟ କହିଛନ୍ତି, ଏପରି ଘଡ଼ିସନ୍ଧି ମୂହୁର୍ତ୍ତରେ ବିଦ୍ୟୁତ୍‌ ଦର ବଢ଼ିବା ଦୁଃଖଦାୟକ। ଓଡିଶା କେନ୍ଦ୍ର ସରକାରଙ୍କୁ ତାଳଚେର ତାପଜ କେନ୍ଦ୍ର ଓ ଅନ୍ୟ ସ୍ଥାନରୁ ବିଦ୍ୟୁତ୍‌ ଯୋଗାଉଥିଲେ ମଧ୍ୟ ରାଜ୍ୟରେ ବାରମ୍ବାର ବିଦ୍ୟୁତ୍‌ କର ବଢ଼ିଚାଲିଛି। ସରକାରୀ ଓ ଘରୋଇ କମ୍ପାନୀ କର୍ମଚାରୀଙ୍କ ଦରମା କଟାଯାଉଥିବା ବେଳେ ବିଧାୟକ, ଏମ୍‌ପିଙ୍କ ହାତ ପାଣ୍ଠି କମାଯାଇଛି। ଏଭଳି ସ୍ଥିତିରେ ବିଦ୍ୟୁତ୍‌କର ବଢ଼ାଇବା କେତେଦୁର ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି।

Share