Categories: ଖେଳ

ପେନାଲ୍ଟି ଶୁଟ୍‌ଆଉଟରେ କ୍ରୋଏସିଆ କ୍ୱାର୍ଟରରେ

ଦୋହା,୬ା୧୨: ଅଣ୍ଡରଡଗ୍‌ ଜାପାନ ବିପକ୍ଷ କଡା ସଂଘର୍ଷପୂର୍ଣ୍ଣ ମ୍ୟାଚକୁ ପେନାଲ୍ଟି ଶୁଟ ଆଉଟରେ ଜିତି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ୨୦୧୮ ସଂସ୍କରଣ ରନର୍ସଅପ୍‌ କ୍ରୋଏସିଆ। ନିର୍ଦ୍ଧାରିତ ସମୟରେ ମ୍ୟାଚଟି ୧-୧ରେ ରହିଥିଲା। ଅତିରିକ୍ତ ସମୟରେ ମଧ୍ୟ ଉଭୟ ଦଳ ପରସ୍ପରକୁ ଗୋଲ ଦେବାରେ ଅସମର୍ଥ ରହିଥିଲେ। ୧୨୦ ମିନିଟ ଧରି ମ୍ୟାଚରେ ଉଭୟ ଦଳ ସମାନ ସ୍ଥିତିରେ ରହିଥିଲେ। ମ୍ୟାଚ ପେନାଲ୍ଟି ଶୁଟ ଆଉଟକୁ ଯାଇଥିବା ବେଳେ କ୍ରୋଏସିଆ ୩-୧ରେ ଏହାକୁ ଜିତି ନେଇଥିଲା। ପ୍ରଥମାର୍ଦ୍ଧରେ ୪୩ତମ ମିନିଟରେ ଜାପାନର ଡାଇଜେନ୍‌ ମାଏଦା ପ୍ରଥମ ଗୋଲ ସ୍କୋର କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ତେବେ ଦ୍ୱିତୀୟାର୍ଦ୍ଧର ୫୫ତମ ମିନିଟରେ ଇଭାନ ପେରିସିକ୍‌ କ୍ରୋଏସିଆ ପକ୍ଷରୁ ଗୋଲ ପରିଶୋଧ କରିଥିଲେ। ପେରିସିକଙ୍କ ଗୋଲଟି ଜାପାନ ଗୋଲର ଅବିକଳ କପି ଥିଲା। ଲଭରେନଙ୍କ କ୍ରସକୁ ହେଡର ଜରିଆରେ ଗୋଲ ସ୍କୋର କରିଥିଲେ ପେରିସିକ୍‌।

ଚଳିତ ବିଶ୍ୱକପର ପ୍ରଥମ ଶୁଟଆଉଟ ଅଲ ଜନୌବ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା। ଜାପାନ ଟସ୍‌ ଜିତି ଆଟାକ୍‌ର ନିଷ୍ପତ୍ତି ନେଇଥିଲା। ଜାପାନ ପକ୍ଷରୁ ମିନି ମାଓ ପ୍ରଥମ ଶଟ୍‌ ମାରିଥିବା ବେଳେ ଏହାକୁ ଅଟକାଇଥିଲେ କ୍ରୋଏସିଆ ଗୋଲ ରକ୍ଷକ ଲିଭାକୋଭିକ୍‌। ଭ୍ଲାସିକ୍‌ କ୍ରୋଏସିଆ ପକ୍ଷରୁ ସ୍କୋର କରିଥିବା ବେଳେ ଲିଭାକୋଭିକ୍‌ ମିତୋମାଙ୍କ ଶଟକୁ ମଧ୍ୟ ଅଟକାଇ ଦେଇଥିଲେ। ବ୍ରୋଜୋଭିକ୍‌ ଦ୍ୱିତୀୟ ଗୋଲ ସ୍କୋର କରିବ ସହ କ୍ରୋଏସିଆକୁ ୨-୦ରେ ଆଗୁଆ କରିଥିଲେ। ଜାପାନ ପକ୍ଷରୁ ଆସାନୋ ତୃତୀୟ ଶଟରେ ସ୍କୋର କରିଥିବା ବେଳେ ଲିଭାଜାଙ୍କ ଶଟ ବାରରେ ବାଜିଥିଲା। ଜାପାନ ଅଧିନାୟକ ୟୋଶିଦା ୪ର୍ଥ ପ୍ରୟାସରେ ଗୋଲ ଦେବାରେ ଅସମର୍ଥ ରହିଥିବା ବେଳେ ପାସାଲିକ ସ୍କୋର କରିବାରୁ କ୍ରୋଏସିଆ କ୍ୱାର୍ଟରରେ ପ୍ରବେଶ କରିଥିଲା। ଏହାକୁ ମିଶାଇ କ୍ରୋଏସିଆ ତୃତୀୟ ଥର ପାଇଁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ୧୯୯୮ ଓ ୨୦୧୮ ପରେ ଦଳ ତୃତୀୟ ଥର ପାଇଁ ଏହି ସଫଳତା ହାସଲ କରିଛି। ବ୍ରାଜିଲ ଓ ଦକ୍ଷିଣ କୋରିଆ ମ୍ୟାଚର ବିଜେତାକୁ କ୍ୱାର୍ଟର ମୁକାବିଲାରେ ଭେଟିବ କ୍ରୋଏସିଆ।

Share