ମାଲେସିଆ,୪।୧୨: ମାଲେସିଆର ତାୱା ଡିଭିଜନ ଲାହାଦ ଡାଟୁରେ ଏକ ଅଭାବନୀୟ ଘଟଣା ଘଟିଛି। ଆଖି ପିଛୁଳାକେ ବାପାଙ୍କ ଆଖି ଆଗରେ ପୁଅକୁ କୁମ୍ଭୀର ଟାଣି ନେଇଥିବା ଜଣାପଡିଛି। ଶିଶୁ ପୁତ୍ରର ବୟସ ୧ବର୍ଷ ହେବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷେ କୁମ୍ଭୀର ଆକ୍ରମଣରେ ବାପା ଗୁରୁତର ଆହତ ହୋଇଛନ୍ତି।
ମିଳିଥିବା ସୂଚନା ମୁତାବକ, ଗୁରୁବାର ସକାଳେ ଏକ ଡଙ୍ଗାରେ ବାପା ୧ବର୍ଷର ଶିଶୁ ପୁତ୍ରକୁ ଧରି ମାଛ ମାରୁଥିଲେ। ସେତିକିବେଳେ ନଦୀରେ ଥିବା ୧୧ ଫୁଟ୍ ଲମ୍ବର ଏକ ବିଶାଳକାୟ କୁମ୍ଭୀର ଡଙ୍ଗା ପାଖକୁ ଚାଳିଆସି ଶିଶୁକୁ ଝାମ୍ପି ନେଇଥିଲା। ଏହା ଦେଖି ବାପା ନଦୀକୁ ଡେଇଁ କୁମ୍ଭୀର ସହ ଯୁଦ୍ଧ କରି ପୁଅକୁ ବଞ୍ଚାଇବା ପାଇଁ ଶତପ୍ରତି ଚେଷ୍ଟା କରିଥିଲେ। ହେଲେ ସେ ଦୁର୍ଭାଗ୍ୟବଶତଃ ପୁଅକୁ ବଞ୍ଚାଇ ପାରି ନ ଥିଲେ। ଅନ୍ୟପକ୍ଷେ କୁମ୍ଭୀର ଆକ୍ରମଣରେ ତାଙ୍କ ମୁଣ୍ଡ ଏବଂ ଶରୀର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଅଗ୍ନିଶମ କର୍ମଚାରୀଙ୍କ ସହ ଉଦ୍ଧାର କରି ଦଳ ପହଞ୍ଚି ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ହେଲେ ଶିଶୁଙ୍କ କୌଣସି ପତ୍ତା ମିଳିପାରି ନାହିଁ। ପୁଅକୁ ହରାଇ ପରିବାର ମଧ୍ୟରେ ଶୋକରଛାୟା ଖେଳି ଯାଇଛି।