ମହାନଦୀରେ ଘଡ଼ିଆଳ କୁମ୍ଭୀର

କଟକ ଅଫିସ,୩୦ା୧: ମହାନଦୀର ମଧୁସୂଦନ ବ୍ରିଜ ନିକଟରେ ରବିବାର ଏକ କୁମ୍ଭୀର ବୁଲୁଥିଲା। ଏହାକୁ ଦେଖିବା ପାଇଁ ବ୍ରିଜ ଉପରେ ଲୋକଙ୍କ ଭିଡ଼ ଲାଗିଥିଲା। ଏଠାକାର ଲୋକମାନେ ମହାନଦୀ ଉପରେ ନିର୍ଭର କରୁଥିବାବେଳେ ଏହି କୁମ୍ଭୀର ପାଇଁ ସେମାନେ ଆତଙ୍କିତ ହୋଇପଡିଛନ୍ତି। ୫ ଦିନ ହେବ ମହାନଦୀରେ ଏହି କୁମ୍ଭୀର ବୁଲୁଥିବା ଜଣାପଡିଛି। ଘଡିଆଳ କୁମ୍ଭୀରଙ୍କ ବଂଶ ଦିନକୁ ଦିନ ଲୋପ ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ସେମାନଙ୍କ ବଂଶ ବିସ୍ତାର ଉଦ୍ଦେଶ୍ୟରେ ମହାନଦୀରେ ୧୭ଟି ଘଡିଆଳ କୁମ୍ଭୀର ଛଡ଼ାଯାଇଛି ବୋଲି ବନ ବିଭାଗ ସ୍ପଷ୍ଟ କରିଛି। ସେଥିମଧ୍ୟରୁ ୪ଟି କୁମ୍ଭୀର ଦେହରେ ଜିପିଏସ୍‌ ଲଗାଯାଇ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ଜିପିଏସ୍‌ ଲାଗିଥିବା ଘଡିଆଳ ସୁରକ୍ଷିତ ଅଛନ୍ତି। ଏହି ପ୍ରଜାତିର କୁମ୍ଭୀରମାନେ ସାଧାରଣତଃ ମାଛ ଖାଇଥାନ୍ତି। ଏବେ ମଧୁସୂଦନ ସେତୁ ନିକଟରେ ଦୁଇଟି ଓ ବାଙ୍କୀରେ ଦୁଇଟି ଘଡିଆଳ ଦେଖିବାକୁ ମିଳିଛି ା ସେମାନେ ଠିକ୍‌ ଭାବେ ଚଳ ପ୍ରଚଳ କରୁଥିବା ଜଣାପଡିଛି। ଏ ସମ୍ପର୍କରେ ରେଞ୍ଜର ଦୁର୍ଗା ପ୍ରସାଦ ସାହୁ କହିଛନ୍ତି, ସାତକୋଶିଆରୁ ଏହି କୁମ୍ଭୀରଟି ଆସିଥିବା ଅନୁମାନ କରାଯାଉଛି। ଦୁଇଦିନ ହେବ କୁମ୍ଭୀରକୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି। ଖୁବ୍‌ଶୀଘ୍ର ତାକୁ ଉଦ୍ଧାର କରାଯିବ ବୋଲି ସେ କହିଛନ୍ତି।

Share