କେନ୍ଦ୍ରାପଡ଼ା,୨୧ା୬(ଜଗନ୍ନାଥ ଧଳ): ପ୍ରଜନନ ଋତୁରେ କୁମ୍ଭୀର ହିଂସ୍ର ଆଚରଣ କରେ। ମଣିଷ, ପଶୁପକ୍ଷୀ ଏହି ହିଂସ୍ର ଜନ୍ତୁ ଆକ୍ରମଣର ଶିକାର ହୁଅନ୍ତି। ଏପରିକି ଜୀବନ ଯିବା ଏକ ସାମାନ୍ୟ ଘଟଣା ବୋଲି କେନ୍ଦ୍ରାପଡ଼ା ଜିଲାରେ ଦେଖିବାକୁ ମିଳୁଛି। ଗତ ୨୦୨୩ ଜୁନ୍ରୁ ଅଗଷ୍ଟ ମଧ୍ୟରେ ୫ ଜଣ ମଣିଷ ଏହି ହିଂସ୍ର ଜନ୍ତୁର ଶିକାର ହୋଇଥିବା ବେଳେ ଚଳିତ ମାସରେ ଏହାର ପୁନରାବୃତ୍ତି ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ସିଙ୍ଗଡ଼ି ଗ୍ରାମର ସନାତନ ସାମଲଙ୍କୁ କୁମ୍ଭୀର ଗତ ୬ ତାରିଖରେ ଟାଣି ନେଇଥିଲା। ୭ ତାରିଖରେ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଥିଲା। ଏହା ପୂର୍ବରୁ ମାର୍ଚ୍ଚ ୮ରେ ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତ ଦକ୍ଷିଣଭେଡ଼ାର ନିମାଇଁ ମଲ୍ଲିକ କୁମ୍ଭୀରର ଶିକାର ହୋଇଛନ୍ତି। ସେହିପରି ଓଳାଭର ଅଞ୍ଚଳରେ ଗୋଟିଏ ଗାଈକୁ ଏହି ମାସରେ କୁମ୍ଭୀର ଟାଣି ନେଇଛି। ଏ ସବୁ ସ୍ଥାନ ଜାତୀୟ ଉଦ୍ୟାନ ଭିତରକନିକା ସଂରକ୍ଷିତ ଅଞ୍ଚଳ ନୁହେଁ। ଏହାସତ୍ତ୍ୱେ ସଂରକ୍ଷିତ ଅଞ୍ଚଳ ବାହାରେ ଏହି ଜିଲା ସମେତ ନିକଟସ୍ଥ ଯାଜପୁର ଓ ଭଦ୍ରକ ଜିଲାରେ କୁମ୍ଭୀର ଆତଙ୍କ ଖେଳାଇଛି। ପ୍ରତି ମାସରେ କୁମ୍ଭୀର ଓ ମଣିଷ ଲଢ଼େଇ ଦେଖିବାକୁ ମିଳୁଛି। ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ରରେ ସାବଧାନତା ପାଇଁ ପ୍ରଚାର ଓ ସାଇନ୍ବୋର୍ଡରେ ସଚେତନତା କାର୍ଯ୍ୟକ୍ରମ କୁମ୍ଭୀର ଓ ମଣିଷର ସଂଘର୍ଷକୁ ରୋକିପାରୁନାହିଁ। ସବୁଠାରୁ ବଡ଼କଥା ହେଲା, ଜିଲାର ନଦୀ ନାଳ ଅଞ୍ଚଳରେ ଥିବା କୁମ୍ଭୀରଙ୍କୁ ବାର୍ଷିକ ଗଣନାରେ ସାମିଲ କରାଯାଉନାହିଁ। ୧୯୯୧ ମସିହାରେ ଜାତୀୟ ଉଦ୍ୟାନରେ ଏହାର ବଂଶ ବୃଦ୍ଧି ରୋକିବାକୁ କେନ୍ଦ୍ର ସରକାରଙ୍କ ବନ୍ୟ ଓ ପର୍ଯ୍ୟାବରଣ ମନ୍ତ୍ରଣାଳୟରୁ ଚିଠି ହୋଇଥିଲା। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଓ ପରିବେଶବିତ୍ମାନେ ଏବେ ସ୍ବର ଉଠାଇଲେଣି।
ପରିବେଶବିତ୍ ତଥା କଇଁଛ ସୁରକ୍ଷା ସମିତିର ସମ୍ପାଦକ ହେମନ୍ତ କୁମାର ରାଉତ କହିଛନ୍ତି, ଲୁଣା କୁମ୍ଭୀର ପାଇଁ ଭିତରକନିକା ପ୍ରସିଦ୍ଧ। ଜାନୁଆରୀ ଗଣନା ସମୟରେ ୧୮୧୧ କୁମ୍ଭୀର ରହିଥିବା ଜଣାପଡ଼ିଛି। ଏଠାରେ ଧଳା କୁମ୍ଭୀର ସହ ଅନ୍ୟ ଦୁଇ ପ୍ରଜାତି କୁମ୍ଭୀର ମଧ୍ୟ ଦେଖାଗଲେଣି। ଜାତୀୟ ଉଦ୍ୟାନର ସୀମିତ ଅଞ୍ଚଳରେ ଏହି ସଂରକ୍ଷିତ ପ୍ରାଣୀଙ୍କ ବଂଶବୃଦ୍ଧି ଏବେ ଜିଲା ଓ ବାହାର ଜିଲାରେ ଆତଙ୍କ ଖେଳାଇଛି। ୧୦ ବର୍ଷର ହିସାବକୁ ନିଆଗଲେ ପ୍ରାୟ ଶତାଧିକ ଲୋକ କୁମ୍ଭୀର ଆକ୍ରମଣରେ ମୃତାହତ ହେଲେଣି। ସେହିପରି ଜାଲ ଓ ଅନ୍ୟ କାରଣରୁ ୨୫ରୁ ଊର୍ଦ୍ଧ୍ୱ କୁମ୍ଭୀରଙ୍କ ଜୀବନ ଗଲାଣି। ସଂଖ୍ୟା ଗଣନାରେ ସାମିଲ ନ ଥିବା ନଦୀ ନାଳ ଅଞ୍ଚଳରେ କୁମ୍ଭୀର ବୁଲୁଥିବା ଦେଖି ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଯାଜପୁରର କୟଁାଗୋଲା, ଦଶରଥପୁର, ଭଦ୍ରକର ବିଭିନ୍ନ ନଦୀକୂଳବାସୀ ଆତଙ୍କିତ ହେଉଛନ୍ତି। ଜାତୀୟ ଉଦ୍ୟାନ ବାହାରେ ଥିବା ଆଳି, ରାଜକନିକା, ପଟ୍ଟାମୁଣ୍ଡାଇ, ମହାକାଳପଡ଼ା ଓ ରାଜନଗରରେ କୁମ୍ଭୀର ପ୍ରତି ସାବଧାନ ସାଇନ୍କାର୍ଡରେ ସଚେତନତା କାର୍ଯ୍ୟକ୍ରମ ସୀମିତ ରହୁଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। ଅଧ୍ୟାପକ କ୍ଷୀତିଶ କୁମାର ସିଂହ କହିଛନ୍ତି, ସୀମିତ ଅଞ୍ଚଳରେ ବଉଳା କୁମ୍ଭୀରଙ୍କ ଅତ୍ୟଧିକ ବଂଶବୃଦ୍ଧି ଚିନ୍ତାର କାରଣ ନିଶ୍ଚିତ ହେବ। ଖାଦ୍ୟ, ପ୍ରଜନନ ପାଇଁ ପାର୍ଟନର, ବସା ସ୍ଥାପନ ସହିତ ଅନ୍ୟ ସମସ୍ୟା ରହିବ, ଯାହା କଳହର ସୂତ୍ରପାତ କରିବା ସହିତ ବଂଶବୃଦ୍ଧି ପାଇଁ ନିକଟସ୍ଥ ଅଞ୍ଚଳକୁ ବ୍ୟବହାର କରିବ। ଏଠାରେ ଅତ୍ୟଧିକ ବଂଶବୃଦ୍ଧିକୁ ରୋକିବା ପାଇଁ ୧୯୯୧ ମସିହାରେ କେନ୍ଦ୍ର ସରକାରଙ୍କ ବନ୍ୟ ଓ ପର୍ଯ୍ୟାବରଣ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। କୁମ୍ଭୀରର ଅତ୍ୟଧିକ ବଂଶବୃଦ୍ଧି ଯୋଗୁ ବର୍ଷା ଓ ବନ୍ୟା ସମୟରେ ବାହାର ଅଞ୍ଚଳକୁ ପଳାଇବା ସାଧାରଣ କଥା। ଫଳରେ ମଣିଷ ଓ କୁମ୍ଭୀର ଲଢ଼େଇ ଅଧିକ ହେଉଛି। ଏହାକୁ ରୋକିବା ସହ ଲୁଣା ଅଞ୍ଚଳରେ ମାଛବଂଶ ବୃଦ୍ଧି ପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ। ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ କହିଛନ୍ତି, ୧୯୭୫ ମସିହାରେ ଭିତରକନିକାରେ କୁମ୍ଭୀର ସଂରକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ତତ୍କାଳୀନ ସମୟରେ ଏହାର ସଂରକ୍ଷଣ ଜରୁରୀ ଥିଲା। ୧୯୯୧ରେ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ୧୯୯୫ ମସିହାରେ ସଂରକ୍ଷଣ କାର୍ଯ୍ୟକ୍ରମକୁ ବନ୍ଦ ରଖାଗଲା। ୧୯୭୫ରେ ମାତ୍ର ୯୪ଟି କୁମ୍ଭୀର ଥିବାବେଳେ ୨୦ ବର୍ଷରେ ଏହା ହଜାରକୁ ବୃଦ୍ଧି ପାଇସାରିଥିଲା। ଏହାସତ୍ତ୍ୱେ ଏବେ ମଧ୍ୟ କୁମ୍ଭୀର ଅଣ୍ଡା ସଂଗ୍ରହ ଓ ହାଚେରିରେ ସଂରକ୍ଷଣ କରାଯାଉଛି। ସୀମିତ ଅଞ୍ଚଳରେ କୁମ୍ଭୀରଙ୍କ ଅତ୍ୟଧିକ ବଂଶବୃଦ୍ଧି ସ୍ଥାନୀୟ ଅଞ୍ଚବାସୀଙ୍କ ପାଇଁ ଘାତକ ହେବ। ଏ ସମ୍ପର୍କରେ କନିକା ରେଞ୍ଜର ମାନସ ଦାସଙ୍କୁ ପଚାରିବାରେ ଭିତରକନିକାରେ କୁମ୍ଭୀର ସଂରକ୍ଷଣ କାର୍ଯ୍ୟକ୍ରମ ଜାରି ରହିଛି। ବିଭାଗୀୟ ନିର୍ଦ୍ଦେଶକୁ ସର୍ବଦା କାର୍ଯ୍ୟକାରୀ କରାଯାଉଛି ବୋଲି ସେ କହିଛନ୍ତି।