ଫସଲ ବିବିଧୀକରଣ

ଡି ଶୁଭମ୍‌

 

ସତୁରି ଅଶୀ ଦଶକରେ ଯେପରି ଚାଷ ହେଉଥିଲା, ଏବେ ସେସବୁରେ ପରିବର୍ତ୍ତନ ଆସିଲାଣି। ଆପଣ ଲକ୍ଷ୍ୟକରନ୍ତୁ ଏବେ ଯୁବକମାନେ ବି ଚାଷ ପାଇଁ ଆଗ୍ରହ ପ୍ରକାଶ କଲେଣି। ଷ୍ଟାର୍ଟ ଅପ୍‌ ନାଁରେ ବିଭିନ୍ନ କୃଷି ଉଦ୍ୟୋଗ ଯୁବକମାନେ ପ୍ରତିଷ୍ଠାକରି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ରୋଜଗାର ମଧ୍ୟ ଦେଉଛନ୍ତି। ତେବେ କଥା ହେଉଛି ଆଗରୁ ଯେଉଁ ଧାରଣା ଥିଲା ଚାଷ ଏକ ନିମ୍ନମାନର କାର୍ଯ୍ୟ ଏହାକୁ ମନରୁ ସମ୍ପୂର୍ଣ୍ଣ ଭାବରେ ମୂଳପୋଛ କରିଦେବା ପାଇଁ ମୋ ତରଫରୁ ଅନ୍ତତଃ ଆପଣମାନଙ୍କୁ ଅନୁରୋଧ ରହିବ। ଦ୍ୱିତୀୟରେ ପିଲା ଯଦି ଛୋଟବେଳେ ପାଠ ନ ପଢ଼ି ଦୁଷ୍ଟ ହେଉଛି ତାକୁ ଆକଟ କରନ୍ତୁ, ଏହା ଠିକ୍‌ ଅଛି କିନ୍ତୁ କଥା ଛଳରେ କୁହନ୍ତୁନି ଯେ- ଆରେ ପାଠ ନ ପଢ଼ିଲେ ଜମିରେ ଚାଷ କରିବୁ, ନ ହେଲେ ଛେଳି ଚରେଇବୁ। କେବଳ ପାଠ ପଢ଼ିଲେ ଯେ ଚାକିରି କରି ସ୍ବାବଲମ୍ବୀ ହୋଇଯିବ, ଆଉ ସବୁ ଅପାଠୁଆମାନେ ଚାଷ କରନ୍ତି, ଏ କଥାକୁ ବି ମନରୁ ପୋଛିବାକୁ ଅନୁରୋଧ। ଦିନ ଥିଲା, ଯେଉଁଠି ଯୁବକମାନେ ଚାଷ କରିବାକୁ ମଙ୍ଗୁ ନ ଥିଲେ ଆଜି ସେମାନଙ୍କ ଜମିରେ ସବୁଜିମା ଲହଡ଼ି ଭାଙ୍ଗୁଛି। ଉନ୍ନତ କୃଷି ହିଁ ଜୈବବିବିଧତାକୁ ରକ୍ଷାକରେ। ତେବେ ଚାଷକ୍ଷେତ୍ରରେ ଏବେ ବିଭିନ୍ନ ନୂଆ ବୈଜ୍ଞାନିକ ଜ୍ଞାନକୌଶଳ ଉପଯୋଗ ହେଲାଣି। ଏପରିକି ଆଉ ସେ ଅଶୀ ଦଶକର ପ୍ରଣାଳୀ ନ ଆପଣେଇ ସହଜ ଓ କମ୍‌ ସମୟରେ କିପରି ଚାଷ କରିହେବ ସେ ଦିଗରେ ପ୍ରାଧାନ୍ୟ ଦିଆଯାଉଛି। ଏହା ଭିତରୁ ଏକ ପ୍ରମୁଖ ମାଧ୍ୟମ ହେଉଛି ଫସଲ ବିବିଧୀକରଣ।
ପ୍ରଥମ କଥା ଫସଲ ବିବିଧୀକରଣ କ’ଣ, ଏ କଥାକୁ ଟିକେ ଭଲଭାବେ ବୁଝିବା ଓ ଜାଣିବା ଦରକାର। କାରଣ ଚାଷୀ ଏହାର ଉପକାରିତା ବିଷୟରେ ନ ଜାଣିଲେ ଏ ଦିଗରେ ଆଗକୁ ଯାଇପାରିବେ ନାହିଁ। ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ତଥା ତାପମାତ୍ରାରେ ଅନିଶ୍ଚିତତା ନିହାତି ଭାବେ କୃଷିକ୍ଷେତ୍ରକୁ ପ୍ରଭାବିତ କରୁଛି। ତେଣୁ ଏହାସହ ତାଳ ଦେଇ ଆମକୁ ଉତ୍ପାଦନରେ ବୃଦ୍ଧି ଆଣିବା ଆହ୍ବାନ। ଫସଲ ବିବିଧୀକରଣ ଏହି ଆହ୍ବାନ ଭିତରୁ ଅନ୍ୟତମ। ଫସଲ ବିବିଧୀକରଣ ହେଉଛି ଇଣ୍ଟରକ୍ରପ ଆକାରରେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସମାନ କିମ୍ବା ଭିନ୍ନ ପ୍ରଜାତିର ଏକରୁ ଅଧିକ ବା ବିଭିନ୍ନ ପ୍ରକାରର ଫସଲ ଚାଷ କରିବାର ଅଭ୍ୟାସ। ଗୋଟିଏ ଫସଲ ଉପରେ ନିର୍ଭର ନ କରି, ଏହାକୁ ପ୍ରମୁଖ ପ୍ରାଧାନ୍ୟ ନ ଦେଇ ଏକାଧିକ ଫସଲ ଚାଷ କରିବାର ମାଧ୍ୟମ ହିଁ ଫସଲ ବିବିଧୀକରଣ। ଏହାଦ୍ୱାରା ସ୍ବଳ୍ପ ଅର୍ଥକରୀ ଫସଲକୁ ପରିବର୍ତ୍ତନ କରି ଅଧିକ ଅର୍ଥକରୀ ଫସଲ ଉତ୍ପାଦନ କରାଯାଇପାରେ। ଧାନ ପରେ ଧାନ ନ କରି ଅନ୍ୟ ଫସଲ ଚାଷ କରିବା ଫସଲ ବିବିଧୀକରଣର ଆହ୍ବାନ। ଏହା କୃଷିକ୍ଷେତ୍ରରେ ଅନିଶ୍ଚିତତା ହ୍ରାସ କରିବା ସହ ପରିବେଶର ବିବିଧତା ଆଣିବାରେ ସାହାଯ୍ୟ କରେ। ଏହାସହ ଫସଲର ବିବିଧତା ମୃତ୍ତିକାର ଉର୍ବରତାକୁ ଉନ୍ନତ କରିଥାଏ, କୀଟନାଶକ ଏବଂ ରୋଗପୋକ ନିୟନ୍ତ୍ରଣ କରିଥାଏ। ଏତଦ୍‌ଭିନ୍ନ ଏହା ଅମଳର ସ୍ଥିରତା, ପୁଷ୍ଟିକର ବିବିଧତା ମଧ୍ୟ ଆଣିଥାଏ। କୃଷିକ୍ଷେତ୍ରରେ ମୃତ୍ତିକାର ଉର୍ବରତା ରକ୍ଷଣାବେକ୍ଷଣ ପାଇଁ ଏକ ପରିବେଶଗତ ବିକଳ୍ପ ଭାବରେ ଏହାକୁ ବିବେଚନା କରାଯାଇପାରେ। ତେଣୁ ଏହା ସୂଚିତ କରେ ଯେ ଫସଲର ବିବିଧୀକରଣ ଗୋଟିଏ ଉପାୟରେ ଉନ୍ନତି କରି ତିନୋଟି ମୁଖ୍ୟ ଦିଗରେ ଉନ୍ନତି ଆଣିଥାଏ; ଉତ୍ପାଦକତା, ଜୀବିକାରେ ସ୍ଥିରତା, ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ।
ଗ୍ରାମ୍ୟ ଜୀବନ ଆମ ଦେଶର ମୁଖ୍ୟ ପରିମାପକ। ଏହି ଗ୍ରାମ୍ୟ ପରିପାଟୀ ଭିତରେ ମୁଖ୍ୟ ଜୀବନଜୀବିକା ଭାବେ ଲୋକେ କୃଷିକୁ ହିଁ ଗ୍ରହଣ କରିଥାନ୍ତି। ପାଖାପାଖି ୯୩ ପ୍ରତିଶତ କୃଷକଙ୍କ ପାଖରେ ୪ ହେକ୍ଟରରୁ କମ୍‌ ଜମି ଅଛି ଏବଂ ସେମାନେ ପ୍ରାୟ ୫୫ ପ୍ରତିଶତ ଚାଷଜମିରେ ଚାଷ କରନ୍ତି। ଆମ ଦେଶରେ ବହୁସଂଖ୍ୟକ କୃଷିଜାତ ଦ୍ରବ୍ୟ ଉତ୍ପାଦନ କରାଯାଏ। ଏହାକୁ ଦୁଇଟି ଗୋଷ୍ଠୀରେ ବିଭକ୍ତ କରାଯାଇପାରେ- ଖାଦ୍ୟଶସ୍ୟ ଫସଲ ଏବଂ ବ୍ୟବସାୟିକ ଫସଲ। ବର୍ଦ୍ଧିତ ଜନସଂଖ୍ୟାକୁ ଯଦି ନଜର ପକାଇବା ତେବେ ଲୋକମାନଙ୍କୁ ଖାଦ୍ୟ ଯୋଗାଇବା ଏକ ପ୍ରଥମ ପ୍ରାଥମିକତା ବୋଲି ଗ୍ରହଣ କରିବାକୁ ହେବ। ତେବେ ଏହି ଅଭାବର ଅନୁଭୂତି ହେତୁ ଗତ ୫୦ ବର୍ଷ ମଧ୍ୟରେ ଖାଦ୍ୟଶସ୍ୟରେ ଆତ୍ମନିର୍ଭରଶୀଳତା ଆମ ନୀତିର ମୂଳଦୁଆ ପାଲଟିଛି।
ଫସଲର ବିବିଧକରଣ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବିଭିନ୍ନ ଫସଲ ଉତ୍ପାଦନ କରିବାର ଏକ ନିଆରା ମାଧ୍ୟମ, ଯାହାଦ୍ୱାରା ବିଭିନ୍ନ ଫସଲ ଉପରେ ଉତ୍ପାଦନ ସମ୍ବନ୍ଧୀୟ କାର୍ଯ୍ୟକଳାପ ବିସ୍ତାର ହୋଇପାରିବ ଏବଂ ଫସଲ ଉତ୍ପାଦନ ଓ ଅମଳ କମ୍‌ର ବିପଦ ମଧ୍ୟ ହ୍ରାସ ପାଇବ। ଆମଦାନି ହ୍ରାସ କରିବା ଏକ ପ୍ରମୁଖ ଲକ୍ଷ୍ୟ ହେବା ସହ ଏହାଦ୍ୱାରା ଜମିର ଗୁଣାମତ୍କ ମାନ ବୃଦ୍ଧି ପାଇଥାଏ। ଆଧୁନିକ କୃଷି ପ୍ରଯୁକ୍ତିବିଦ୍ୟାର ଆଗମନ ସହିତ, ବିଶେଷକରି ଷାଠିଏ ଦଶକର ଶେଷ ତଥା ସତୁରି ଦଶକର ସବୁଜ ବିପ୍ଳବ ସମୟରେ ଫସଲ ଦୃଷ୍ଟିରୁ ବିବିଧ କୃଷି ପାଇଁ କ୍ରମାଗତ ବୃଦ୍ଧି ଘଟିଛି।
ଭାରତୀୟ କୃଷି ବିଭିନ୍ନ କାରଣରୁ ଅଧିକରୁ ଅଧିକ ପ୍ରଭାବିତ ହେଉଛି, ଯେପରିକି ଜଳସେଚନ ସମ୍ପ୍ରସାରଣ, ଗ୍ରାମୀଣ ବଜାରର ଅନୁପ୍ରବେଶ, ସ୍ବଳ୍ପ ସମୟର ବିକାଶ ଏବଂ ବିସ୍ତାର ଓ ମରୁଡ଼ି ପ୍ରତିରୋଧକ ଫସଲ ପ୍ରଯୁକ୍ତିବିଦ୍ୟା ପ୍ରମୁଖ। କୃଷି ଉଦାରୀକରଣ ଏବଂ ଜଗତୀକରଣ ନୀତି ପରିପ୍ରେକ୍ଷୀରେ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ମଧ୍ୟ ମାଇକ୍ରୋ ଏବଂ ମାକ୍ରୋସ୍ତରରେ ଫସଲ ରଚନା ନିର୍ଣ୍ଣୟ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବାକୁ ଯାଉଛି। ଏହି ଅବସ୍ଥାରେ ଯେଉଁଠାରେ କୃଷି ଅଭିବୃଦ୍ଧି କ୍ଷେତ୍ର ବିସ୍ତାର ଅପେକ୍ଷା ଉତ୍ପାଦକତାରୁ ଅଧିକ ଫଳାଫଳ ପାଇଥାଏ, ସେଠାରେ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ବାଟ ଖୋଲିପାରେ।
ଫସଲ ବିବିଧୀକରଣ ପ୍ରକ୍ରିୟାରେ ଅନୁଭୂତ ବିଭିନ୍ନ ସମସ୍ୟା ଯୋଗୁ ଏହା ଅଧିକରୁ ଅଧିକ ବିନିଯୋଗ ହୋଇପାରୁନାହିଁ। ଯେପରିକି ଦେଶ ସ୍ବାଧୀନତା ପରଠାରୁ ପନିପରିବା ସମେତ ବ୍ୟବସାୟିକ ଫସଲ ଅଧୀନରେ ଦେଶରେ ଫସଲର ବିବିଧତା ବୃଦ୍ଧିପାଉଛି। ଅବଶ୍ୟ ଗତ ଦଶନ୍ଧିରେ ଏହା ପନିପରିବା ଏବଂ ଫସଲ ଅଧୀନରେ ବୃଦ୍ଧି ହୋଇଥିବା କ୍ଷେତ୍ରକୁ ସୁଦୃଢ଼ କରିପାରିଛି। ଏହାକୁ ବାଦ୍‌ ଦେଲେ ଚିନି, କପା ଏବଂ ତୈଳବୀଜ ଫସଲ ଭଳି ବ୍ୟବସାୟିକ ଫସଲ ଉପରେ ମଧ୍ୟ କିଛିମାତ୍ରାରେ ବୃଦ୍ଧିପାଇଛି। ତେବେ ଏଥିରେ ଦେଖାଯାଉଥିବା ସମସ୍ୟାକୁ ଯଦି ଲକ୍ଷ୍ୟ କରିବା ତା’ହେଲେ ଉଥିବା ଅଞ୍ଚଳର ୧୧୭ ମିଟର/ହେକ୍ଟର ପ୍ରତି ୬୩-୬୫ ପ୍ରତିଶତ ବର୍ଷା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଏହା ବ୍ୟତୀତ ଜଳଉତ୍ସ ପରି ସମ୍ବଳର ଅତ୍ୟଧିକ ବ୍ୟବହାର, ପରିବେଶ ତଥା କୃଷିର ସ୍ଥାୟିତ୍ୱ ଉପରେ ନକାରାମତ୍କ ପ୍ରଭାବ ପକାଇଥାଏ। ଉନ୍ନତଧରଣର କ୍ଷମତାଯୁକ୍ତ ମଞ୍ଜିର ଅଭାବ, କୃଷିରେ ଆଧୁନିକୀକରଣ ସହ ଠିକ୍‌ଭାବେ ଭିତ୍ତିଭୂମିର ଅଭାବ, ଅମଳ ପରବର୍ତ୍ତୀ କୃଷି ଉତ୍ପାଦ ପ୍ରସ୍ତୁତ ତଥା ସଠିକ୍‌ ଜ୍ଞାନ ଏବଂ କୃଷକମାନଙ୍କ ଭିତରେ ସଚେତନତାର ଅଭାବ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି।
ଜୈବ ନିରୀକ୍ଷକ, ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥା, ଭୁବନେଶ୍ୱର,
ମୋ-୯୪୩୮୪୬୭୦୭୯