ବରଗଡ଼ ଅଫିସ,୫ା୧୦: ବରଗଡ଼ ବ୍ଲକ ଅନ୍ତର୍ଗତ ଏସ୍. ଡୁମ୍ବେରପାଲି ଗ୍ରାମର ଅଧିକାଂଶ ଚାଷୀଙ୍କୁ ଗତ ଫସଲ କ୍ଷତିପୂରଣ ବୀମା ମିଳିପାରି ନ ଥିବା ଅଭିଯୋଗ ହୋଇଛି। ଉକ୍ତ ଗ୍ରାମର ଅନେକ ଚାଷୀ ଗତବର୍ଷ ବରଗଡ଼ରେ ଥିବା ଏକ ବ୍ୟାଙ୍କରେ ବୀମା ପ୍ରିମିୟମ ଜମା କରି ବୀମାଭୁକ୍ତ ହୋଇଥିଲେ। ଫସଲକ୍ଷତି ହେଲେ ବୀମା କ୍ଷତିପୂରଣ ପାଇବେ ବୋଲି ମନରେ ଆଶା ବାନ୍ଧିଥିଲେ। ମାତ୍ର ଫସଲ କ୍ଷତି ହେବା ସତ୍ତ୍ୱେ ଗ୍ରାମର କିଛି ଚାଷୀଙ୍କୁ ବୀମା କ୍ଷତିପୂରଣ ମିଳିଥିବା ବେଳେ ଏବେ ମଧ୍ୟ ଅଧିକାଂଶ ଚାଷୀ ସେଥିରୁ ବାଦ୍ ପଡ଼ିଛନ୍ତି। ଏ ନେଇ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କୌଣସି ସୁଫଳ ମିଳି ନ ଥିବା ଅଭିଯୋଗ ହୋଇଛି। ଫଳରେ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି। ଏହି ଦାବି ନେଇ ସୋମବାର କ୍ଷତିଗ୍ରସ୍ତ ଚାଷୀମାନେ ବରଗଡ଼ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ପ୍ରଦୀପ କୁମାର ନନ୍ଦ ସ୍ମାରକପତ୍ର ଗ୍ରହଣ କରିଥିଲେ।