ନାକଟିଦେଉଳ,୨୧ା୧୦(ଡି.ଏନ.ଏ.): ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ସରାପାଲି ବିଟର ମହୁକୁଦ ଗ୍ରାମରେ ହାତୀ ଉପଦ୍ରବରେ ବ୍ୟାପକ ଧାନଫସଲ କ୍ଷତି ହୋଇଛି। ହାତୀପଲ ମଙ୍ଗଳବାର ବିଳମ୍ବିତ ରାତିରେ ଗ୍ରାମର ଖଳିମୁଣ୍ଡା ନିକଟ ଜାମୁପଟି, ସଡ଼କ ସାହି ଓ ସୁଦ ସାହିର ଧାନ କ୍ଷେତରେ ପଶି ଫସଲ ନଷ୍ଟ କରିଛନ୍ତି। ଏହି ପଲରେ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ହାତୀ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗ୍ରାମର ସରୋଜ ସାହୁ, ଅଶୋକ ମହାନ୍ତି, ସୁଦର୍ଶନ ଧଳ, ସୁରେଶ ବେହେରା, ତରଣୀ ବିଶ୍ୱାଳ, ଭୀମ ଦେହୁରି, ବାବୁ ଦେହୁରି, ପର୍ଶୁରାମ ଦେହୁରି ପ୍ରମୁଖ ଚାଷୀଙ୍କ ଧାନଫସଲ ନଷ୍ଟ ହୋଇଛି। ଧାରକରଜ କରି ଚାଷ କରିଥିବାରୁ ତାହା ନଷ୍ଟ ହୋଇଯାଇଥିବାରୁ ଚାଷୀମାନେ ଋଣ ଶୁଝିବା ଚିନ୍ତାରେ ପଡ଼ିଛନ୍ତି। ବନ ବିଭାଗ ପକ୍ଷରୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ କ୍ଷତିଗ୍ରସ୍ତ ଚାଷୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ନାକଟିଦେଉଳ ଫରେଷ୍ଟର ଅନୀଲ କୁମାର କିଷାନଙ୍କୁ ପଚାରିବାରେ ହାତୀ ଉପଦ୍ରବରେ କ୍ଷୟକ୍ଷତିର ଆକଳନ କରାଯାଇ ସରକାରୀ ନିୟମାନୁସାରେ କ୍ଷତିପୂରଣ ଯୋଗାଇଦେବା ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ।