Categories: ଜାତୀୟ

ଡ୍ରୋନ୍‌ରେ ସୀମା ପାର୍‌ ହେରୋଇନ୍‌ ଚୋରା ଚାଲାଣ, ବିଏସ୍‌ଏଫ୍‌ ଗୁଳି କରି ଖସାଇଲା …

ଅମୃତସର, ୯।୫ : ପାକିସ୍ତାନ ଭାରତ ବିରୋଧରେ ଷଡ଼ଯନ୍ତ୍ର ଜାରି ରହିଛି। ଡ୍ରୋନ୍‌ ମାଧ୍ୟମରେ ସୀମାବର୍ତ୍ତୀ ଅଞ୍ଚଳକୁ ଅସ୍ତ୍ରଶସ୍ତ୍ରଠାରୁ ଆରମ୍ଭ କରି ବିଭିନ୍ନ ନିଶାଦ୍ରବ୍ୟ ଚୋରା ଚାଲାଣ ପାକିସ୍ତାନ ଇଶାରାରେ କରାଯାଉଛି। ରବିବାର ରାତିରେ ବିଏସ୍‌ଏଫ୍‌ ଅମୃତସର ସେକ୍ଟରରେ ଏକ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଛି।

ଡ୍ରୋନ୍‌ଟି ଭାରତୀୟ ଆକାଶ ମାର୍ଗ ସୀମାରେ ଅନୁପ୍ରବେଶ କରିଥିଲା। ଏହି ଡ୍ରୋନରୁ ଏକ ବ୍ୟାଗ ଜବତ କରାଯାଇଛି। ଏଥିରେ ଦଶ କିଲୋଗ୍ରାମ ୭୪ ଗ୍ରାମ ହିରୋଇନ ଜବତ ହୋଇଛି। ଡ୍ରୋନରେ ୯ ପ୍ୟାକେଟ ହେରୋଇନ୍‌ ଥିବା ବିଏସ୍‌ଏଫ୍‌ ଅଧିକାରୀ କହିଛନ୍ତି।

ଏହା ପୂର୍ବରୁ ବିଏସଏଫ ସୀମାରେ ପାକିସ୍ତାନର ଡ୍ରୋନ ଉଡ଼ି ବୁଲୁଥିଲା। ମେ ୭ ରେ ପାକିସ୍ତାନୀ ଡ୍ରୋନ ଭାରତୀୟ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ପ୍ରସ୍ତୁତ ବିଏସ୍‌ଏଫ୍‌ କର୍ମଚାରୀମାନେ ତାଙ୍କ ଡ୍ରୋନ୍‌ ଉପରକୁ ଆଠ ରାଉଣ୍ଡ ଗୁଳି ଚଳାଇଥିଲେ। ଶେଷରେ ପାକିସ୍ତାନୀ ଡ୍ରୋନଟି ଫେରି ଯାଇଥିଲା।

ପଞ୍ଜାବର ବହୁ ଗାଁ ପାକିସ୍ତାନ ସୀମାକୁ ଲାଗିଛି। ଏଥିମଧ୍ୟରେ ହାଓ୍ବେଲିସ, ମହାଓ୍ବା, ରାଜତାଲ, ଧନୋଏ କାଲାଂ, ପୁଲ କଞ୍ଜାରି ଆଦିଠାରେ ଚୋରା ଚାଲାଣକାରୀମାନେ ସକ୍ରିୟ ରହିଛନ୍ତି। ପାକିସ୍ତାନୀ ଚୋରା ଚାଲାଣକାରୀମାନେ ସେମାନଙ୍କ ସହିତ ଯୋଗାଯୋଗ କରି ସୀମା ପାର କରି କ୍ଷେତରେ ଅସ୍ତ୍ରଶସ୍ତ୍ର ଏବଂ ହିରୋଇନ ଡ୍ରୋନ୍‌ ମାଧ୍ୟମରେ ପକାଇଥାନ୍ତି।

ଦିନକୁ ଦିନ ବୃଦ୍ଧି ପାଉଥିବା ଡ୍ରୋନର ସୀମା ପାର୍‌ ଘଟଣା ବିଏସ୍‌ଏଫ୍‌କୁ ଚିନ୍ତାରେ ପକାଇଛି। ସୀମାନ୍ତ ଗ୍ରାମଗୁଡ଼ିକରେ ପାଟ୍ରୋଲିଂ ବୃଦ୍ଧି କରାଯାଇଛି। ପାଟ୍ରୋଲିଂ ଦଳ ପ୍ରତି ଘଣ୍ଟାରେ ପାଟ୍ରୋଲିଂ କରିଥାନ୍ତି। ଗାଁରେ ଦେଖାଯାଇଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଧରାଯାଇ ପଚରାଉଚରା କରାଯାଏ ଏବଂ ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଗ୍ରାମ ସରପଞ୍ଚଙ୍କ ଦ୍ୱାରା ମଧ୍ୟ ଚିହ୍ନଟ କରାଯାଉଥିବା ବିଏସ୍‌ଏଫ୍‌ ପକ୍ଷରୁ କୁହାଯାଇଛି।

Share