ଗୁଣପୁର,୬।୩(ଡି.ଏନ୍.ଏ.)- ରାୟଗଡ଼ା ଜିଲା ଗୁଣପୁର ସହରର ୩ ଡାକ୍ତରୀ ଛାତ୍ରୀଛାତ୍ର ୟୁକ୍ରେନ୍ରେ ଯୁଦ୍ଧ ଯୋଗୁ ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ ୨ଜଣ ଶନିବାର ସୁରକ୍ଷିତଭାବେ ଘରକୁ ଫେରିଛନ୍ତି। ଗୁଣପୁର ସହର ନିବାସୀ ଜି. ମାଣିକେଶ୍ୱରଙ୍କ ଝିଅ ଜି. ସନ୍ତୋଷୀ ଏବଂ ଚିନାରା ଭେଙ୍କେଟ ରାମଣାଙ୍କ ପୁଅ ସମ୍ପତ୍ ବିନାୟକ ଗୁଣପୁର ଫେରିବା ପରେ ନିଜକୁ ଭାଗ୍ୟବାନ ବୋଲି କହିଛନ୍ତି। ୟୁକ୍ରେନ୍ ବର୍ଡର ପାର ହେବା ସମୟର ଭୟଙ୍କର ସ୍ଥିତିକୁ ଦୁହେଁ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି।
ଯୁଦ୍ଧ ସ୍ଥିତି ଭୟଙ୍କର ହେବାପରେ ଓଡ଼ିଶା ସରକାର, ଭାରସ ସରକାର ଏବଂ ଆମ୍ବାସି ପକ୍ଷରୁ ଫେରାଇ ଆଣିବା ବ୍ୟବସ୍ଥା କରାଯାଇଥିଲା। ଅନ୍ୟ ଭାରତୀୟ ଛାତ୍ରୀଛାତ୍ରଙ୍କ ସହ ସୁବିଧାରେ ସେମାନେ ୟୁକ୍ରେନ୍ ବର୍ଡର ପର୍ଯ୍ୟନ୍ତ ପହଞ୍ଚିଥିଲେ। ହେଲେ ୟୁକ୍ରେନ୍ ସେନା ସେମାନଙ୍କୁ ବର୍ଡର ପାର ହେବାକୁ ଦେଇ ନ ଥିଲେ। ସେଠାରେ ହଜାର ହଜାର ସଂଖ୍ୟାରେ ଲୋକ ନିଜ ଦେଶକୁ ଫେରିବାକୁ ଅପେକ୍ଷା କରିଥିଲେ। ମାଇନସ୍ ୧୦ ଡିଗ୍ରୀରେ ବିନା ଖାଦ୍ୟ ଏବଂ ଆଶ୍ରୟସ୍ଥଳୀରେ ଛାତ୍ରୀଛାତ୍ରମାନଙ୍କୁ ଦୀର୍ଘ ୨୪ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। ପରିସ୍ରା କରିବାକୁ ମଧ୍ୟ ସେନା ଛାଡ଼ୁ ନ ଥିଲେ। ଯାଞ୍ଚପରେ ସେମାନଙ୍କୁ ଛଡ଼ାଯାଇଥିଲା। ରୋମାନିଆ ରେ ପହଞ୍ଚିବା ପରେ ରୋମାନିଆ ଆମ୍ବାସି ସମସ୍ତ ସହଯୋଗ କରିଥିଲେ। ସେଠାରୁ ରୋମାନିଆ ଏବଂ ଭାରତ ସରକାରଙ୍କ ସହଯୋଗରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ଓଡ଼ିଶା ସରକାରଙ୍କ ସମସ୍ତ ବ୍ୟବସ୍ଥାରେ ଅନ୍ୟ ଛାତ୍ରୀଛାତ୍ରଙ୍କ ସହ ଦୁହେଁ ଓଡ଼ିଶା ଫେରିଥିବା କହିଛନ୍ତି। ଅନ୍ୟପକ୍ଷରେ ପିଲାମାନେ ଘରକୁ ଫେରିବା ପରେ ପରିବାର ଲୋକେ ମଧ୍ୟ ଖୁସିରେ ଭାବବିହ୍ବଳ ହୋଇପଡ଼ିଛନ୍ତି। ଉଲ୍ଲେଖଯୋଗ୍ୟ, ସନ୍ତୋଷୀ ଏବଂ ସମ୍ପତ୍ ବିନାୟକ ୟୁକ୍ରେନ୍ର ଭିନ୍ନିସ୍ତାରେ ରହି ଡାକ୍ତରୀ ପାଠ ପଢ଼ୁଥିଲେ। ଦୁହେଁ ପ୍ରଥମ ବର୍ଷରେ ପଢ଼ୁଥିଲେ। ଯୁଦ୍ଧ ଆରମ୍ଭ ହେବାପରେ ସେମାନଙ୍କୁ ଅନେକ ସମୟ ବଙ୍କର୍ ମଧ୍ୟରେ କାଟିଥିବା ପଡ଼ିଥିବା କହିଛନ୍ତି। ଗୁଣପୁର ଅଞ୍ଚଳର ଅନ୍ୟଜଣେ ଛାତ୍ରୀ ଡି.ଶ୍ରୀୟା ରବିବାର ଫେରିବେ ବୋଲି ଜଣାପଡ଼ିଛି।